ମହାଶିବରାତ୍ରି ପାଇଁ ଟ୍ରଷ୍ଟ ବୋର୍ଡ ବୈଠକ: ରାତି ୧୦ଟାରେ ମହାଦୀପକୁ ମୋହର

ଓବିସିସି, ବିଏମ୍‌ସି, ପୂର୍ତ୍ତ ବିଭାଗ ସହ ଆଲୋଚନା

ପୁରୁଣା ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୮ତାରିଖରେ ମହାଶିବରାତ୍ରି। ଏନେଇ ଆଜି ସର୍କିଟ୍‌ ହାଉସ୍‌ଠାରେ ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ସେବାୟତଙ୍କ ସହ ଆଲୋଚନା କରାଯାଇ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନିଷ୍ପତ୍ତିରେ ମୋହର ବାଜିଛି। ଏଥି ସହ ମହାଶିବରାତ୍ରିରେ ଯେପରି ସବୁ ନୀତି ଶୃଙ୍ଖଳିତ ହେବ ସେନେଇ ଆଲୋଚନା ହୋଇଛି। ସେହିପରି ମନ୍ଦିରକୁ ଆସୁଥିବା ଦର୍ଶନାର୍ଥୀଙ୍କୁ କିପରି ଭଲରେ ଦର୍ଶନ କରିବେ ସେଥିପ୍ରତି ଧ୍ୟାନ ଦିଆଯିବ। ଏନେଇ ‌ଅଣସେବାୟତମାନଙ୍କୁ ମନ୍ଦିରରୁ ବାହାର କରାଯାଇ ସେବାୟତଙ୍କୁ ପ୍ରଶିକ୍ଷଣ ଦିଆଯିବ। ଅପରପକ୍ଷରେ ସେବାୟତଙ୍କୁ ଖୁବଶୀଘ୍ର ପରିଚୟପତ୍ର ପ୍ରଦାନ କରିବାକୁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। ସେହିପରି ଠାକୁରଙ୍କ ବିଭିନ୍ନ ସମ୍ପତ୍ତିକୁ କୌଣସି ଲିଜ୍‌ ଦଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଜିଲ୍ଲାପାଳ ମହାଶିବରାତ୍ରି ପାଇଁ ମନ୍ଦିର ଭିତର ଓ ବାହାରେ ସୌନ୍ଦର୍ଯ୍ୟୀକରଣ ଓ ସୁବିଧା ନିମନ୍ତେ ବିଏମ୍‌ସି, ଓବିସିସି ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଡକାଇ ଆଲୋଚନା କରିଥିଲେ। ମନ୍ଦିର ବାହାରେ ବ୍ୟାରିକେଡ୍‌ କରାଯିବା ସହ ଉପରେ ଛାମୁଣ୍ଡିଆ ଓ ଆବଶ୍ୟକସ୍ଥଳେ ଫ୍ୟାନ୍‌ ଲଗାଇବାକୁ ଆଲୋଚନା ହୋଇଥିଲା। ସେହିପରି ରାସ୍ତା ଓ ଡ୍ରେନ୍‌ ମରାମତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। କେତେ କାର୍ଯ୍ୟ ସରିଛି ସେଥିପାଇଁ ସମନ୍ବୟ ବୈଠକରେ ବିସ୍ତୃତ ଆଲୋଚନା କରାଯିବ ବୋଲି କୁହାଯାଇଛି।

ଓବିସିସି, ବିଏମ୍‌ସି, ପୂର୍ତ୍ତ ବିଭାଗ ସହ ଆଲୋଚନା
ଲାଗିବ ଅଧିକ ସିସିଟିଭି କ୍ୟାମେରା
ବ୍ୟାରିକେଡ଼୍‌ ଉପରେ ରହିବ ଛାମୁଣ୍ଡିଆ ଓ ଫ୍ୟାନ୍‌

ଯାତ୍ରାରେ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ବାହାରେ ଅଧିକ ଅସ୍ଥାୟୀ ସିସିଟିଭି କ୍ୟାମେରା ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ମନ୍ଦିର କାର୍ଯ୍ୟାଳୟର ଅସ୍ଥାୟୀ କର୍ମଚାରୀଙ୍କ ୬ମାସ ଅବଧି ବୃଦ୍ଧି କରାଯାଇଛି। ଜିଲ୍ଲାପାଳ ଶ୍ରୀ ରଣାଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ଚିନ୍ମୟ ଆଚାର୍ଯ୍ୟ, ତହସିଲଦାର ମାନସ ରଞ୍ଜନ ସ୍ବାଇଁ, ଏସିପି ଜୋନ୍‌-୨, ଟ୍ରଷ୍ଟି ମାନସ କୁମାର ମହାପାତ୍ର, ରୁଦ୍ର ପ୍ରସାଦ ନନ୍ଦ, ପୂଜାପଣ୍ଡା ନିଯୋଗ ସଭାପତି ପ୍ରସନ୍ନ କୁମାର ପୂଜାପଣ୍ଡା, ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ବଡ଼ୁ ନିଯୋଗ ସଭାପତି ଅଞ୍ଚଳ ବଟୁ ଓ ମନ୍ଦିର କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର