ଭୁବନେଶ୍ୱର: ‘ସତ୍ୟଚେତନା ଆନ୍ଦୋଳନ’ ହେଉଛି ଜୀବାତ୍ମାର ଜାଗରଣ ଓ ଏହା ପରର ଯାତ୍ରା। ଜୀବାତ୍ମା କେଉଁ ଗତିରେ ଯାଇ ପରମାତ୍ମାଙ୍କୁ ଅନୁଭବ କରିପାରିବ ତାହା ଏହି ଆନ୍ଦୋଳନ ଲକ୍ଷ୍ୟ। ପ୍ରତ୍ୟେକେ ଯେପରି ଜୀବନର ସର୍ବୋତ୍ତମ ଲକ୍ଷ୍ୟ ବୁଝିବା ସହ ସେହି ଅବସ୍ଥାରେ ପହଞ୍ଚିପାରିବ ତାହାକୁ ଏହି ଆନ୍ଦୋଳନ ଗୁରୁତ୍ୱ ଦେବ। ସତ୍ୟଚେତନା ଟ୍ରଷ୍ଟ ପକ୍ଷରୁ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ‘ସତ୍ୟଚେତନା-ସମୟର ଆହ୍ୱାନ’ ଶୀର୍ଷକ କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ସ୍ୱାମୀ ଶ୍ରୀଆତ୍ମାନନ୍ଦ ଯୋଗଦେଇ ଏଭଳି ମତ ରଖିଛନ୍ତି। ସ୍ୱାମିଜୀ କହିଥିଲେ, ଓଡ଼ିଶାରୁ ହିଁ ଏହି ଆଧ୍ୟାତ୍ମିକ ଆନ୍ଦୋଳନର ଅୟମାରମ୍ଭ ହେଇଛି। ଅନ୍ୟ ସବୁ ଆନ୍ଦୋଳନଠାରୁ ଏହି ଆନ୍ଦୋଳନର ଏକ ମୌଳିକ ପାର୍ଥକ୍ୟ ରହିଛି। ଅନ୍ୟ ସମସ୍ତ ଆନ୍ଦୋଳନ ମଣିଷର ମନକୁ ଲକ୍ଷ୍ୟକରି କରାଯାଇଥିବା ବେଳେ ଏହି ଆନ୍ଦୋଳନରେ ମଣିଷର ଆତ୍ମସତ୍ତାର ଜାଗରଣ ହୁଏ। ଏହି ଜାଗରଣ ହେଲେ ପୃଥିବୀରେ ଏକ ବିରାଟ ପରିବର୍ତ୍ତନ ଆସିବ।
ଅନୁଷ୍ଠାନର ଆବାହକ ଅସିତ ମହାନ୍ତି କହିଥିଲେ, ତାମିଲନାଡୁରେ ଥିବା ସ୍ୱାମୀଜୀଙ୍କ ଆଶ୍ରମ ଏକ ଶିକ୍ଷା ସଂସ୍ଥାନ। ମିଥ୍ୟା ବଚନ କହି ସେ ନିଜର ଶିଷ୍ୟ ବୃଦ୍ଧି କରିନାହାନ୍ତି ବରଂ ଶିଷ୍ୟଙ୍କ ଆତ୍ମ ଚେତନା ବୃଦ୍ଧି କରିଛନ୍ତି। ଆମ ଦେଶର ବୈଦିକ ଜ୍ଞାନକୁ ସାରା ବିଶ୍ୱରେ ପ୍ରଚାର କରିବା ପାଇଁ ସେ ୧୨ କୋଟି ଟଙ୍କା ବିନିଯୋଗରେ ଏକ ଆପ୍ ବିକଶିତ କରୁଛନ୍ତି। ଯେଉଁଥିରେ ଆଙ୍ଗୁଳି ଟିପରେ ଚାରୋଟି ଯାକ ବେଦର ମନ୍ତ୍ର ରହିବ। ‘ସତ୍ୟଚେତନା ପତ୍ରିକା’ର ସମ୍ପାଦକ ଗୋକୁଳାନନ୍ଦ ପରିଡ଼ା ଆଧ୍ୟାତ୍ମିକ ଚେତନାର ଗୁଣ ଉପରେ ଆଲୋକପାତ କରିଥିବା ବେଳେ ଅନୁଷ୍ଠାନର ଓଡ଼ିଶା ପ୍ରମୁଖ ଶିଶିର କୁମାର ଦାସ ପ୍ରାରମ୍ଭିକ ଭାଷଣ ଦେଇଥିଲେ। ଏଥିରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ହରିହର କାନୁନ୍ଗୋ ନିଜର ସ୍ୱସମ୍ପାଦିକ ପୁସ୍ତକ ‘ବିବର୍ତ୍ତନରେ ଓଡ଼ିଆ ଭାଷା’ ସ୍ୱାମୀଜୀଙ୍କୁ ଉପହାର ଦେଇଥିଲେ। ଧନେଶ୍ୱର ସାହୁ ଧନ୍ୟବାଦ ଦେଇଥିଲେ।