ଭୁବନେଶ୍ବର: ଓଡ଼ିଶାରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ କଟକଣାକୁ କଡ଼ାକଡ଼ି ଲାଗୁ କରିବାକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସ୍‌ପିସିବି) ରୂପରେଖ ପ୍ରସ୍ତୁତ କରିଛି। ଏନେଇ ଓଏସ୍‌ପିସିବିର ସଦସ୍ୟ ସଚିବ କେ ମୁରୁଗସେନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହରାଞ୍ଚଳ, ପଞ୍ଚାୟତିରାଜ ଅନୁଷ୍ଠାନ ଯଥା ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ, ପରିବେଶ ସମ୍ବେଦନଶୀଳ ଅଞ୍ଚଳ, ମନ୍ଦିର, ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ, ହସ୍ପିଟାଲ, ଶିକ୍ଷାନୁଷ୍ଠାନରେ ଯେପରି ପ୍ଲାଷ୍ଟିକ ବ୍ୟବହାର ବନ୍ଦ ହେବ ସେନେଇ ଆଲୋଚନା କରାଯାଇଛି। ପୌରାଞ୍ଚଳ ଓ ଗ୍ରାମ ପଞ୍ଚାୟତରୁ କେତେ ଆବର୍ଜନା ବାହାରୁଛି ତାହାର ତଥ୍ୟ ରଖିବା ସହ ସେଗୁଡ଼ିକୁ କିଭଳି ରି-ସାଇକେଲିଂ କରାଯାଇପାରିବ ସେଦିଗରେ ପଦକ୍ଷେପ ନେବାକୁ ପ୍ରସ୍ତାବ ଆଗତ ହୋଇଥିଲା।

Advertisment

ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇ ବଜାର, ପ୍ଲାଷ୍ଟିକ୍‌ ତଥା ପଲିଥିନ୍‌ ଗୋଦାମ, ଶିଳ୍ପାନୁଷ୍ଠାନ ଉପରେ ସପ୍ତାହକୁ ଅତିକମ୍‌ରେ ଦୁଇଥର ଅଚାନକ ଚଢ଼ଉ କରି ସାମଗ୍ରୀ ସିଜ୍‌ କରିବା ସହ ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ସଚେତନତା ସୃଷ୍ଟି, ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବିକଳ୍ପ ବ୍ୟବସ୍ଥା କରିବା, କମ୍‌ ଦାମ୍‌ର ପୋଷାକ, ପେପର୍‌ ବ୍ୟାଗ୍‌, କଦଳୀପତ୍ର, ପେପର କପ୍‌ ଆଦି ବ୍ୟବହାର କରିବାକୁ ଲୋକଙ୍କୁ ଅବଗତ କରିବାକୁ କୁହାଯାଇଛି। ଫୁଡ୍‌ ପ୍ୟାକିଂ ଲାଗି ପତ୍ର ବ୍ୟବାହାର ସମ୍ପର୍କରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଅବଗତ କରିବା, ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ଅଫିସ୍‌, ଶିଳ୍ପାନୁଷ୍ଠାନ, ଧର୍ମାନୁଷ୍ଠାନ, ହସ୍ପିଟାଲ, ନର୍ସିଂ ହୋମ୍‌କୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ମୁକ୍ତ କ୍ୟାମ୍ପସ ଭାବେ ଘୋଷଣା କରିବାକୁ ବୈଠକରେ ସ୍ଥିର ହୋଇଛି।