ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ନିକଟ ଅସ୍ଥାୟୀ ଆବର୍ଜନା କେନ୍ଦ୍ର (ଟିଟିଏସ୍) ଆବର୍ଜନାକୁ ନେଇ ଟେନ୍ସନ୍ ବଢ଼ୁଛି। ଗ୍ରୀଷ୍ମ ଦିନେ ଦୁର୍ଗନ୍ଧ ଟିକିଏ କମ୍ ରହିଥିଲେ ମଧ୍ୟ ଅଳିଆଗଦାକୁ ସମ୍ପୂର୍ଣ୍ଣ ହଟାଇବା ଦାବିରେ ଅଞ୍ଚଳବାସୀ ଅଡ଼ି ବସିଛନ୍ତି। ଅଳିଆ ପକାଇବା ବନ୍ଦ କରିବା ସହ ପଳାଶୁଣୀଠାରେ ନିର୍ମାଣ ହୋଇସାରିଥିବା ପ୍ରକ୍ରିୟାକରଣ ୟୁନିଟ୍କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ଏପରିକି ଜନସାଧାରଣ ଗତ ସପ୍ତାହରେ ନଡ଼ିଆ ବାଡ଼େଇ ଏହାକୁ ଉଦ୍ଘାଟନ କରିବା ପରେ ବିବାଦ ଘନେଇଛି। ବିଏମ୍ସି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଗତକାଲି ଅଞ୍ଚଳବାସୀ ଟିଟିଏସ୍ରେ ତାଲା ପକାଇ ଅଳିଆ ଗାଡ଼ିଗୁଡ଼ିକୁ ଭିତରକୁ ଛାଡ଼ି ନ ଥିଲେ। ବର୍ଷା ଲାଗିରହିଥିବାରୁ ଆଗାମୀ ଦିନରେ ଦୁର୍ଗନ୍ଧ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି।
ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣି ଭୁବନେଶ୍ୱର ଉନ୍ନୟନ ପରିଷଦ ତରଫରୁ ମୈତ୍ରୀବିହାର ଥାନାରେ ଏତଲା ଦିଆଯାଇଛି। ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଡମ୍ପିଂୟାର୍ଡରେ ଦୈନିକ ୧୫୦ ମେଟ୍ରିକ୍ ଟନ୍ ଅଳିଆ ପ୍ରକ୍ରିୟାକରଣ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ ବିଏମ୍ସି ଅନୁମତି ନେଇଛି। ମାତ୍ର ଏବେ ଦୈନିକ ୩୫୦ରୁ ଅଧିକ ମେଟ୍ରିକ୍ ଟନ୍ ଅଳିଆ ଗଦାଇବା ସହ ପ୍ରକ୍ରିୟାକରଣ କରୁଛି। ବିନା ଅନୁମତିରେ କିଭଳି ମେସିନ୍ ସ୍ଥାପନ କରାଗଲା ତାହା ତଦନ୍ତ ସାପେକ୍ଷ। ରାଜ୍ୟର ପ୍ରକଳ୍ପ ପ୍ରଭାବ ଆକଳନ ସ୍ୱୀକୃତି ବା ଏସ୍ଇଆଇଏଏର ବିନା ପରିବେଶ ସୁରକ୍ଷା ଅନୁମୋଦନରେ ଜାଲ୍ କାଗଜପତ୍ର ଦେଖାଇ ଆଇନକୁ ଉଲ୍ଲଂଘନ କରି ଏବଂ ସଠିକ୍ ଅନୁମୋଦନ ନନେଇ ସୈନିକ ସ୍କୁଲଠାରେ ଅଳିଆଗଦା କରିଚାଲିଛନ୍ତି। ଭାରତୀୟ ନ୍ୟାୟ ସଂହିତା ଧାରା ୩୩୬, ୩୩୭, ୩୩୮, ୩୩୯, ୩୪୦, ୩୪୩ରେ ଜାଲିଆତି କରିବା, ଧାରା ୩୧୬, ୩୧୭, ୩୧୮, ୩୧୯, ୩୨୦, ୩୨୧ରେ ଠକିବା, ଧାରା ୨୯୦, ୨୭୬, ୨୭୭, ୨୭୮, ୨୭୯ରେ ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଇବା ସହ ଛାତ୍ରଛାତ୍ରୀଙ୍କ କ୍ଷତି ପାଇଁ ଜେଜେ ଆକ୍ଟ-୨୦୧୫ ଅନୁସାରେ ମାମଲା କରିବାକୁ ପରିଷଦ ଦାବି କରିଛି। ସହରର ହଜାରରୁ ଅଧିକ ପିଲା ଓ ଜନସାଧାରଣଙ୍କୁ ଦୁର୍ଗନ୍ଧ, ଭୟାନକ କିଡ୍ନି ରୋଗ, ଚର୍ମ ରୋଗରେ ପୀଡ଼ିତ କରାଇବା ଅଭିଯୋଗରେ ପରିଷଦ ପକ୍ଷରୁ ବିଏମ୍ସି କମିସନରଙ୍କ ବିରୁଦ୍ଧରେ ଏତଲା ଦେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଅଭିଯାନର ବରିଷ୍ଠ ସଦସ୍ୟ ତଥା ଭୁବନେଶ୍ୱର ଉନ୍ନୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ, ଅଶୋକ ପାଇକରାୟ, ପ୍ରସନ୍ନ ବିଷୋୟୀ, ଚିନ୍ତାମଣି ବାରିକ, ନିରୁପମା ପାତ୍ର, ଅସିତା ମହାନ୍ତି ପ୍ରମୁଖ ମୈତ୍ରୀବିହାର ଥାନାରେ ଏତଲା ଦେଇଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଆଜି ଡର୍ମ୍ପିଂୟାର୍ଡ ପରିଦର୍ଶନ କରିଛନ୍ତି। ବିଏମ୍ସିର ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କ ସମେତ ୧୨ ନମ୍ବର ୱାର୍ଡ କର୍ପୋରେଟର ଜୟନ୍ତୀ ଜେନା ଟିଟିଏସ୍ ବୁଲି ଦେଖିଛନ୍ତି। ଏବେ ଦୈନିକ କେତେ ପରିମାଣର ଅଳିଆ ଆସୁଛି ଏବଂ କିଭଳି ପ୍ରକ୍ରିୟାକରଣ ହେଉଛି ତାହାକୁ ଅନୁଧ୍ୟାନ କରିଛନ୍ତି। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ ପ୍ରଚଳିତ ବିଧି ବ୍ୟବସ୍ଥା ଅନୁଯାୟୀ ଆଉ କୌଣସିଠାରେ ଡମ୍ପିଂ ଗ୍ରାଉଣ୍ଡ କରାଯାଇ ପାରିବ ନାହିଁ। ତେଣୁ ଟିଟିଏସ୍କୁ ବର୍ଜ୍ୟ ସଂଗ୍ରହ, ବର୍ଜ୍ୟ ପ୍ରକ୍ରିୟାକରଣ ଓ ପ୍ରକ୍ରିୟାକୃତ ବର୍ଜ୍ୟର ସ୍ଥାନାନ୍ତର ସ୍ଥଳ ଭାବେ ବ୍ୟବହାର କରାଯାଉଛି। ସେଥିପାଇଁ ଏଠାରେ ଵେ ବ୍ରିଜ୍, ପ୍ରକ୍ରିୟାକରଣ ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ଆଧୁନିକ ଉଇଁଣ୍ଡ୍ରୋସ୍ ମେସିନ କାର୍ଯ୍ୟ କରୁଛି। ଟିଟିଏସ୍ଠାରେ ଜୈବିକ ଦୁର୍ଗନ୍ଧ ନିୟନ୍ତ୍ରଣ ପାଇଁ ରାସାୟନିକ ଘୋଳ ଓ ପାଉଡର ସିଞ୍ଚନ, ସ୍ୱଚ୍ଛ ବାୟୁ ନିମନ୍ତେ ପାଣି ସିଞ୍ଚନ କରି କୁହୁଡି ବର୍ଷା, ସବୁଜ ବଳୟ ସୃଷ୍ଟି ପାଇଁ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଚାଲୁ ରହିଛି।