ଚନ୍ଦ୍ରଶେଖରପୁର: ମାସ କେଇଟା ଯାଇନି। ପୁଣି ଗନ୍ଧେଇଲାଣି ଅଧା ସହର। ସୈନିକ ସ୍କୁଲ ନିକଟ ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ(ଟିଟିଏସ୍‌) ରେ ସୃଷ୍ଟି ହୋଇଥିବା ଆବର୍ଜନା ପାହାଡ଼ ଏବେ ସହରବାସୀଙ୍କ ନିଦ ହଜାଇ ଦେଲାଣି। ରାତି ହେଉ କି ଦିନ, ସବୁବେଳେ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହେଉଛନ୍ତି ଅଞ୍ଚଳବାସୀ। ନିକଟବର୍ତ୍ତୀ ଗାଁ, କଲୋନି, ଆପାର୍ଟମେଣ୍ଟର ଲୋକେ ଦୁଇ ମାସ ହେଲା ଦୁର୍ଗନ୍ଧରେ ଆଉଟୁପାଉଟୁ ହେଉଛନ୍ତି। ଦିନ ସମୟରେ ସୂର୍ଯ୍ୟଙ୍କ କିରଣ ପଡ଼ୁଥିବାରୁ ଦୁର୍ଗନ୍ଧରୁ ଟିକିଏ ନିସ୍ତାର ମିଳୁଛି। ନ ହେଲେ ୧୪ରୁ ୧୫ ଘଣ୍ଟା ପର୍ଯ୍ୟନ୍ତ ଅସହ୍ୟ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ସ୍ମାର୍ଟସିଟି ବାସିନ୍ଦା। ଆଚାର୍ଯ୍ୟବିହାର-ସୈନିକ ସ୍କୁଲ-ଡମଣା ରାସ୍ତା, ଓମ୍‌ଫେଡ୍‌ ଛକରୁ ରଙ୍ଗମାଟିଆ, ମଞ୍ଚେଶ୍ବର ଷ୍ଟେସନ୍‌ରୁ ଭିଏସ୍‌ଏସ୍‌ନଗର ଦେଇ ରସୁଲଗଡ଼, ଆଚାର୍ଯ୍ୟ ବିହାରରୁ ପଳାସୁଣୀ ପର୍ଯ୍ୟନ୍ତ ରାସ୍ତାରେ ଯିବା ସମୟରେ ଲୋକେ ନାକରେ କପଡ଼ା ଲଗାଇ ଯାଉଛନ୍ତି। କେହି କେହି ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଉଥିବା ଦେଖିବାକୁ ମିଳିଛି।

Advertisment

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଦୁର୍ଗନ୍ଧରେ ନାକ ରୁନ୍ଧି ହୋଇଯାଉଥିଲେ ମଧ୍ୟ ସମସ୍ତେ ଚୁପ୍‌। ପରିବେଶ ପ୍ରଦୂଷଣ ଉଲ୍ଲଂଘନ କରୁଥିବା ଅନୁଷ୍ଠାନ/ସଂସ୍ଥାଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସ୍‌ପିସିବି)ଙ୍କୁ ଦିଆଯାଇଥିଲେ ମଧ୍ୟ ଏଠାରେ ତାହା କାର୍ଯ୍ୟକାରୀ ହେଉନାହିଁ। ଦୁର୍ଗନ୍ଧରେ ସହରର ପ୍ରାୟ ୩ ଲକ୍ଷ ଲୋକ ପ୍ରଭାବିତ ହେଉଥି‌ଲେ ମଧ୍ୟ ଓଏସ୍‌ପିସିବି ଅଧିକାରୀମାନେ ସେଥିପ୍ରତି ଆଦୌ ଗୁରୁତ୍ବ ଦେଉ ନାହାନ୍ତି। ୩ରୁ ୪ ମାସ ମଧ୍ୟରେ ଅଳିଆ ପାହାଡ଼ ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇ ଭୁବନେଶ୍ବର ମହାନଗର ନିଗମ ସହରବାସୀଙ୍କ ଜୀବନ ସହ ଖେଳୁଛି। ସେପଟେ ଓଏସ୍‌ପିସିବି ସମେତ ଅନ୍ୟାନ୍ୟ ସରକାରୀ ସଂସ୍ଥା ଲୋକଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଆବର୍ଜନା ନେଇ ଏନ୍‌ଜିଟିରେ ମାମଲା ହୋଇଥିଲେ ମଧ୍ୟ କୌଣସି ସୁଫଳ ହେଲା ନାହିଁ। କାର୍ଯ୍ୟାନୁଷ୍ଠାନ ବଦଳରେ କ୍ଲିନ୍‌ଚିଟ୍‌ ଦେଇ ଚୁପ୍‌ ବସିପଡ଼ିଲେ। ପରିଣାମ ଏବେ ସହରବାସୀ ଭୋଗୁଛନ୍ତି।

 ପୁଣି ୧୦୦ ଫୁଟ୍‌ ଉଚ୍ଚର ଆବର୍ଜନା ପାହାଡ଼
ସ୍ଥାନୀୟ ଲୋକ ପ୍ରଭାବିତ, ବଢ଼ୁଛି ଅସନ୍ତୋଷ

ଲକ୍ଷାଧିକ ଲୋକ, ଶିଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲେ ମଧ୍ୟ ଓଡ଼ିଶା ମାନବ ଅଧିକାର ଆୟୋଗ(ଓଏଚ୍‌ଆରସି) ଓ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର) ନିରବ ସାଜିଛନ୍ତି। ଟିଟିଏସ୍‌ ସ୍ଥାନାନ୍ତର ଦାବିରେ ଆଞ୍ଚଳିକ ସୁରକ୍ଷା ମଞ୍ଚର ସଦସ୍ୟମାନେ ଗତବର୍ଷ ଏହି ଦୁଇ ଆୟୋଗଙ୍କୁ ସାକ୍ଷାତ କରିବା ସହ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଟିଟିଏସ୍‌ ନିକଟରେ ଥିବା ସୈନିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ରେଲୱେ କଲୋନି ହାଇସ୍କୁଲ ସମେତ ୪ରୁ ଅଧିକ ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ସ୍ବାସ୍ଥ୍ୟ ପ୍ରଭାବିତ ହେଉଛି। ନିକଟରେ ଥିବା‌ ବସ୍ତିର ଶତାଧିକ ଶିଶୁଙ୍କୁ ରୋଗ ମାଡ଼ିବସିଥିବା ବେଳେ ଓଏସ୍‌ସିପିସିଆରର ନିରବତାକୁ ନେଇ ଅନେକ ସନ୍ଦେହ ଉପୁଜିଛି। ଜନପ୍ରତିନିଧିମାନେ ମଧ୍ୟ ସବୁ ଜାଣି ଏବେ ନିରବ। ଅଳିଆ ଗଦା ହଟାଇବାକୁ ପ୍ରତିଶ୍ରୁ୍ତି ଦେଇ ବିଜେପି ରାଜ୍ୟରେ କ୍ଷମତାକୁ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଳିଆ ଉଠାଇବା ଦିଗରେ ଆଦୌ ପଦକ୍ଷେପ ଗ୍ରହଣ କରି ନାହିଁ।

ଅଞ୍ଚଳବାସୀଙ୍କ ଅଭିଯୋଗ ହେଉଛି ଯେ ୨୦୦୬ରେ ଏଠାରେ ଜୋର ଜବରଦସ୍ତି କରାଯାଇଥିବା ଅସ୍ଥାୟୀ ଅଳିଆ ଗଦା ଏବେ ସ୍ଥାୟୀ ଭାବେ ପରିଚାଳିତ ହେଉଛି। ଭୁଆସୁଣୀ ଡମ୍ପିଂୟାର୍ଡକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଳିଆ ଯିବା ବନ୍ଦ ହେବା ପରେ ଟିଟିଏସ୍‌ରେ ପାହାଡ଼ର ଭ୍ରମ ସୃଷ୍ଟି ହୋଇଛି। ଏହି ଅଳିଆ ପାହାଡ଼ ଦ୍ବାରା ଲୋକଙ୍କ ଜୀବନଶୈଳୀ ପ୍ରଭାବିତ ହେବା ସହ ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାଗୁଡ଼ିକ ବହୁ ମାତ୍ରାରେ ପ୍ରଭାବିତ ହେଉଛି। ତେଣୁ ଏହାକୁ ତୁରନ୍ତ ବନ୍ଦ କରାଯିବା ସହ ସହରର ଅଳିଆକୁ ଅନ୍ୟତ୍ର ପକାଇବାକୁ ଦାବି ହୋଇଥିଲା। ଇତିମଧ୍ୟରେ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ କେହି ବି ପଦକ୍ଷେପ ନେଇନାହାନ୍ତି। ବରଂ ଏବେ ଦିନକୁ ଦିନ ଅଳିଆ ପରିମାଣ ବଢ଼ିବାରେ ଲାଗିଛି। ଦିନେ ଟିଟିଏସ୍‌ର ୨୦୦ ଫୁଟ୍‌ର ଗଦା ମାଟିରେ ମିଶିଯାଇଥିଲା ଆଜି ସେଠାରେ ୧୦୦ ଫୁଟ ଉଚ୍ଚାର ଅଳିଆ ଜମା ହୋଇଛି। ଭିଏସ୍‌ଏସ୍‌ନଗରକୁ ଲାଗି ଜମା ହେଉଥିବା ଅଳିଆ ୪ ମାସ ହେଲା ଖେଳା ଯାଉ ନଥିବାରୁ ଏହି ଅଞ୍ଚଳବାସୀ ଆବର୍ଜନା ଦୁର୍ଗନ୍ଧରେ ଘାଣ୍ଟି ହେଉଛନ୍ତି। ଅଳିଆ ପରିଚାଳନା ଠିକ୍‌ ଭାବେ ହେଉ ନ ଥିବାରୁ ଦୁର୍ଗନ୍ଧ ସାରା ଅଞ୍ଚଳରେ ଏବେ ପୁଣିଥରେ ପୂର୍ବ ସ୍ଥିତି ଉପୁଜିଲାଣି ବୋଲି ଲୋକେ ଅଭିଯୋଗ କରିଛନ୍ତି। ତେବେ ବିଏମ୍‌ସିର କଥା ହେଉଛି, ଏନ୍‌ଜିଟି ଆଦେଶର ଉପଯୁକ୍ତ ଅନୁପାଳନ କରାଯାଉଛି। ତେବେ ଲଗାତାର ବର୍ଷା ଯୋଗୁ ଆବର୍ଜନା ପରିଚାଳନା ବନ୍ଦ ରହିଥିଲା, ସେଥିପାଇଁ ସମସ୍ୟା ହୋଇଛି। ଆଜିଠାରୁ ଆମେ ପରିଚାଳନା ଆରମ୍ଭ କରୁଛୁ। ସମସ୍ୟାର ତୁରନ୍ତ ସମାଧାନ ହେଉଛି।