ଭୁବନେଶ୍ୱର: ବର୍ଜ୍ୟବସ୍ତୁ ପରିଚାଳନା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଗାଡ଼କଣରେ ଥିବା ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନ(ଟିଟିଏସ୍) ଠାରେ ମେଗା ଟ୍ରମେଲ ମେସିନ ଉଦ୍ଘାଟିତ ହୋଇଛି। ମେୟର ସୁଲୋଚନା ଦାସ ଏହାକୁ ଉଦ୍ଘାଟନ କରିଛନ୍ତି। ଏହି ମେସିନ୍ କାର୍ଯ୍ୟକ୍ଷମ ହେବା ଦ୍ବାରା ଟିଟିଏସ୍ ପାଇଁ ସୃଷ୍ଟି ହୋଇଥିବା ଅସନ୍ତୋଷ ଅନେକ ପରିମାଣରେ କମିବ ବୋଲି ସ୍ଥାନୀୟ ବାସିନ୍ଦା ଆଶା ପ୍ରକାଶ କରିଛନ୍ତି।
ଏହି ଟ୍ରମେଲ ମେସିନ ପ୍ରତିଘଣ୍ଟାରେ ୧୦୦ ମିଲିମିଟର ବା ତା’ ଠାରୁ ବଡ ଆକାରର ୪୦ ଟନ୍ କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ କରିବା କ୍ଷମତା ରଖିଛି। ଏହା ଠାରୁ ଛୋଟ ଯଥା ୪୦ ମିମି, ୨୦ ମିମି ଓ ୪ ମିମି କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ ପାଇଁ ଖୁବ୍ଶୀଘ୍ର ଆଉ ୩ଟି ମେସିନ ବସିବ। ପରେ ୱିଣ୍ଡ୍ରୋସ ପଦ୍ଧତିରେ ସେଗୁଡିକର ପ୍ରକ୍ରିୟାକରଣ କରାଯାଇ ଜୈବିକ ଖତ(ମୋ ଖତ)ଉତ୍ପାଦନ ହେବ। ଅବଶେଷ ବର୍ଜ୍ୟକୁ ସିମେଣ୍ଟ ପ୍ରସ୍ତୁତ କାରଖାନା ବା ବିକଳ୍ପ ବ୍ୟବହାର ପାଇଁ ବିକ୍ରି କରାଯିବ। ବାକି ୩ଟି ମେସିନ୍ ବସି ସାରିବା ପରେ ମାସକୁ ୨୮ ଦିନ ପୃଥକୀକରଣ ଓ ପ୍ରକ୍ରିୟାକରଣ କାମ ଚାଲିବ। ଏଣୁ ଟିଟିଏସ୍କୁ ନେଇ ଅସନ୍ତୋଷ ରହିବ ନାହିଁ ବୋଲି କୁହାଯାଉଛି।
ଏହି ଉଦ୍ଘାଟନ ଉତ୍ସବରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର, ସ୍ଥାନୀୟ କର୍ପୋରେଟରଙ୍କ ସମେତ ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ, ଡେପୁଟି କମିସନର ମନୋରଞ୍ଜନ ସାହୁ, ଉତ୍ତର ଜେଡ୍ଡିସି ପୁରନ୍ଦର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।