ଏମ୍ସରେ ସପ୍ତାହକରେ ଆସିବ ଯକ୍ଷ୍ମା ରିପୋର୍ଟ, ଆଣ୍ଟି ଟିବି ଡ୍ରଗ ପରୀକ୍ଷା ଆରମ୍ଭ

ଭୁବନେଶ୍ବର : ଏମ୍‌ସରେ ଏଣିକି ଗୋଟିଏ ସପ୍ତାହ ମଧ୍ୟରେ ଆସିବ ଯକ୍ଷ୍ମା ରିପୋର୍ଟ। ପୂର୍ବରୁ ଏଥିପାଇଁ ୬ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା। ଏମ୍‌ସର ମାଇକ୍ରୋ ବାୟୋଲୋଜିକାଲ ବିଭାଗରେ ଯକ୍ଷ୍ମା ନିରାକରଣ ପାଇଁ ଦ୍ରୁତ ତରଳ ପରୀକ୍ଷା ଆକାରରେ ପ୍ରଥମ ଏବଂ ଦ୍ବିତୀୟ ଧାଡ଼ିରେ ଆଣ୍ଟି ଟିବି ଡ୍ରଗ୍‌ ପାଇଁ ପରୀକ୍ଷା ଆରମ୍ଭ ହୋଇଛି।

ପ୍ରଫେସର ପ୍ରଶାନ୍ତ ମହାପାତ୍ର କହିଛନ୍ତି, ଯକ୍ଷ୍ମା ହେଉଛି ରାଜ୍ୟର ସର୍ବାଧିକ ଜୀବନ ନେଉଥିବା ରୋଗ। ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତରେ ପ୍ରତି ଗାଁରେ ଯକ୍ଷ୍ମା ଚିକିତ୍ସା କରାଯାଉଛି। ପ୍ରତି ରୋଗୀଙ୍କ ନିକଟରେ ଯକ୍ଷ୍ମା ଔଷଧ କିଭଳି ପହଞ୍ଚି ପାରିବ, ଏଥିପାଇଁ ବ୍ୟବସ୍ଥା ମଧ୍ୟ ହେଉଛି। ଏମ୍ସକୁ ଆସୁଥିବା ଅଧିକାଂଶ ରୋଗୀ ଗୁରୁତର ଅବସ୍ଥାରେ ଆସିଥାଆନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ତ୍ରୁଟିପୂର୍ଣ୍ଣ ଚିକିତ୍ସା କିମ୍ବା ତ୍ରୁଟିପୂର୍ଣ୍ଣ ଡାଇଗ୍ନୋସିସର ଶିକାର ହୋଇଥାଆନ୍ତି। ଏଥିଯୋଗୁଁ ଏଠାରେ ପରୀକ୍ଷଣ ଉପରେ ଗୁରୁତ୍ବ ଦିଆଯାଉଛି। ଲକ୍‌ଡାଉନ୍‌ ସମୟରେ ବି ଏ ସଂକ୍ରାନ୍ତରେ କିଛି ଗୁରୁତ୍ବପୂର୍ଣ୍ଣ ମେସିନ ଆସିଥିଲା। କେଉଁ ଔଷଧ କେତେ କାର୍ଯ୍ୟକ୍ଷମ ହୋଇପାରିବ, ତାହା ଉକ୍ତ ମେସିନ୍‌ ଜରିଆରେ ଜାଣି ହେଉଛି। ଏଠାରେ ମଲିକୁଲାର ଟେଷ୍ଟ ଫେସିଲିଟି ଦ୍ବାରା ୨ ଘଣ୍ଟା ମଧ୍ୟରେ ରୋଗ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ଜଣାଇଦିଆଯାଏ। ‌ତେବେ ଉନ୍ନତମାନର ପରୀକ୍ଷଣ ବ୍ୟବସ୍ଥା ଓ ଭଲ ଡାକ୍ତର ଥାଇ ବି ଏଠାରେ ଉନ୍ନତମାନର ଚିକିତ୍ସା ହୋଇପାରୁନାହିଁ।

କରୋନା ଯୋଗୁଁ ଯକ୍ଷ୍ମା କାର୍ଯ୍ୟକ୍ରମ ପ୍ରଭାବିତ
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, କରୋନା ଯୋଗୁଁ ଯକ୍ଷ୍ମା କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି। ଉଭୟ ଯକ୍ଷ୍ମା ଓ କରୋନାର ଲକ୍ଷଣ ସମାନ। କରୋନା ଭୟରେ ଅନେକ ଯକ୍ଷ୍ମା ରୋଗୀ ମଧ୍ୟ ପରୀକ୍ଷା କରିବାକୁ ଆସି ନ ଥିଲେ। ଏହି ସମୟରେ ଚିହ୍ନଟ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଯକ୍ଷ୍ମା ପରୀକ୍ଷଣ ବନ୍ଦ ହୋଇଥିଲା। ଏମ୍‌ସରେ ଏହା ଚାଲୁ ରହିଥିଲେ ମଧ୍ୟ ଲକ୍‌ଡାଉନ୍‌ ସମୟରେ ମାତ୍ର ୫ରୁ ୬ ଯକ୍ଷ୍ମା ରୋଗୀ ଆସିଥିଲେ। ସାଧାରଣ ସମୟରେ ଏଠାରେ ୩୦ରୁ ୪୦ ଏବଂ ବର୍ତ୍ତମାନ ମାସକୁ ପ୍ରାୟ ୫୦ ରୋଗୀ ଆସୁଛନ୍ତି। ପ୍ରଫେସର୍‌ ମହାପାତ୍ର କହିଛନ୍ତି, କୌଣସି ରୋଗ କ୍ଷେତ୍ରରେ ପ୍ରତିଷେଧକ ହିଁ ମୁକାବିଲାର ଶ୍ରେଷ୍ଠ ବ୍ୟବସ୍ଥା। ଯକ୍ଷ୍ମା କ୍ଷେତ୍ରରେ ଚିକିତ୍ସା ହିଁ ଶ୍ରେଷ୍ଠ ବ୍ୟବସ୍ଥା। ରୋଗୀ ଯେତେ ଶୀଘ୍ର ଚିକିତ୍ସିତ ହେବେ, ଏହା ଅନ୍ୟମାନଙ୍କୁ ସଂକ୍ରମଣ ହେବ ନାହିଁ। ନଚେତ ପରିବାରରେ ଜଣଙ୍କୁ ଯକ୍ଷ୍ମା ହେଲେ ଖୁବ୍‌ଶୀଘ୍ର ପରିବାରର ଅନ୍ୟଜଣଙ୍କୁ ହୋଇଯିବାର ଆଶଙ୍କା ରହିଛି। ଲକ୍‌ଡାଉନ୍‌ରେ ଯକ୍ଷ୍ମା ରୋଗୀ ଘରେ ରହିଯିବାରୁ ଘରର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ଏହା ବ୍ୟାପିଥିଲା। ୨୦୨୦ ସୁଦ୍ଧା ଯକ୍ଷ୍ମା ରୋଗର ଚିକିତ୍ସା ଏବଂ ଚିହ୍ନଟ କାର୍ଯ୍ୟକ୍ରମକୁ ସୁଦୂରପ୍ରସାରୀ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର କରୋନା ଯୋଗୁଁ ଲକ୍ଷ୍ୟ ହାସଲ ବିଳମ୍ବିତ ହେବା ନେଇ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଅଧିକ ସତର୍କ ହେବା ପାଇଁ ପ୍ରଫେସର ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର