ଶ୍ରମ କମିସନର କାର୍ଯ୍ୟାଳୟ ସମ୍ମୁଖରେ ଟିୟୁସିଆଇର ବିକ୍ଷୋଭ

ଭୁବନେଶ୍ବର: ଚନ୍ଦକା ଅଁଳାପାଟଣାସ୍ଥିତ ଅନ୍‌ମୋଲ ବିସ୍କୁଟ୍‌ କାରଖାନାରେ ବେଆଇନ ଶ୍ରମିକ ଛଟେଇ ଓ ଲେ-ଅଫ୍ ବିରୋଧରେ ଆଜି ଟ୍ରେଡ୍ ୟୁନିୟନ୍‌ ସେଣ୍ଟର ଅଫ୍‌ ଇଣ୍ଡିଆ (ଟିୟୁସିଆଇ) ପକ୍ଷରୁ ଶ୍ରମ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୪ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଥିଲା। ଶ୍ରମିକ ଛଟେଇ ପ୍ରତ୍ୟାହାର ନ କଲେ, ଆନ୍ଦୋଳନକୁ ଅଧିକ ଜୋର୍‌ଦାର କରାଯିବ ବୋଲି କୁହାଯାଇଛି।

ଆଜି ପୂର୍ବାହ୍ଣରେ ଟିୟୁସିଆଇ କର୍ମକର୍ତ୍ତା ଓ ଅନମୋଲ୍ କମ୍ପାନିର ଛଟେଇ ଶ୍ରମିକମାନେ ମାଷ୍ଟରକ୍ୟାଣ୍ଟିନ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଶ୍ରମ କମିସନରଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପରେ ଏକ ପ୍ରତିନିଧି ଦଳ ଶ୍ରମ କମିସନରଙ୍କୁ ୪ ଦଫା ସମ୍ବଳିତ ଦାବିପତ୍ର ଦେଇଥିଲେ। ଟିୟୁସିଆଇ ଅଭିଯୋଗ ଅନୁଯାୟୀ କରୋନା କଟକଣା ବାହାନାରେ ଏହି କାରଖାନାରୁ ଶ୍ରମିକମାନଙ୍କୁ ଛଟ‌େଇ କରାଯାଇଛି। ଏମିତିକି ବିନା କାରଣରେ ୪ଜଣ କର୍ମଚାରୀଙ୍କୁ ବିହାର ବଦଳି କରାଯାଇଛି। ବହୁ ଦିନ ଧରି ମ୍ୟାନେଜ୍‌ମେଣ୍ଟ ଜାଣିଶୁଣି ବିନା କାରଣରେ ପ୍ଲାଣ୍ଟ୍‌ ବନ୍ଦ କରିଛି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। କମ୍ପାନି ଜୁନ୍ ୨୯ରେ ସର୍ଟ ଟର୍ମ ନୋଟିସ ଜାରି କରି ଜୁଲାଇ ୧ରୁ କାରଖାନା ବନ୍ଦ କରାଯାଇଛି ବୋଲି ଶ୍ରମିକ ସଂଘ ଅଭିଯୋଗ କରିଛି। ସେହିଭଳି ବିନା ନୋଟିସ୍ ରେ ସ୍ଥାୟୀ କର୍ମଚାରୀମାନଙ୍କୁ ଲେ-ଅଫ୍ ନୋଟିସ ଦିଆଯାଇଛି। ଏହାକୁ ବିରୋଧ କରି ଶ୍ରମିକମାନେ ୩୫ ଦିନ ଧରି ଧାରଣା ବସିଥିଲେ ବି କମ୍ପାନି କର୍ତ୍ତୃପକ୍ଷ କିଛି ଶୁଣୁନାହାନ୍ତି।

ସମ୍ବନ୍ଧିତ ଖବର