ଟ୍ୟୁସନ୍ ଓ କୋଚିଂ ସେଣ୍ଟରରୁ କଟକଣା ହଟିବ କେବେ?

ପୁରୁଣା ଭୁବନେଶ୍ୱର: ସରକାର ବିମାନ, ରେଳ ଓ ବସ୍ ଚଳାଚଳ କରିବାକୁ ଅନୁମତି ଦେଲେ। ବିବାହ, ବ୍ରତ ଘର ପାଇଁ ଅନୁମତି ଦେଲେ। ଏହି ସବୁ କାମ ସାମାଜିକ ଦୂରତା ବଜାୟ ରଖି କରାଯାଇ ପାରିବ ବୋଲି ସରକାରୀ ନିର୍ଦ୍ଦେଶ ଦେଲେ। ଅଥଚ କୋଚିଂ ଓ ଟ୍ୟୁସନ୍‌ରେ ଲାଗି ରହିଛି କଟକଣା। ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ବିକାଶର ଏକ ପ୍ରମୁଖ ଉତ୍ସ ଟ୍ୟୁସନ୍‌ ଓ କୋଚିଂ ଉପରୁ କଟକଣା ହଟୁନାହିଁ। ଫଳରେ ୨ମାସ ହେଲା ପିଲାମାନଙ୍କ ପାଠପଢ଼ା ଓ ପ୍ରବେଶିକା ପରୀକ୍ଷା ପ୍ରସ୍ତୁତିରେ ଘୋର ଅନ୍ତରାୟ ସୃଷ୍ଟି ହୋଇଥିବା ବେଳେ ଏହି ମାଧ୍ୟମ ଉପରେ ନିର୍ଭର କରୁଥିବା ଶହ ଶହ ଶିକ୍ଷକ ବେରାଜଗାର ହୋଇପଡ଼ିଛନ୍ତି। ତେଣୁ ସରକାର ଖୁବ୍‌ଶୀଘ୍ର ଏହି କଟକଣାକୁ ପ୍ରତ୍ୟାହାର କରିବାକୁ ଓଡ଼ିଶା କୋଚିଂ ଏଣ୍ଡ୍ ଟ୍ରେନିଂ ଏକାଡେମିକ୍ ଆସୋସିଏସନ୍ ପକ୍ଷରୁ ଦାବି କରାଯାଇଛି। ନଚେତ୍ ସେମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।

ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ ସ୍କୁଲ କଲେଜରେ ଶିକ୍ଷା ଗ୍ରହଣ କଲେ ମଧ୍ୟ ଛାତ୍ରଛାତ୍ରୀମାନେ ଟ୍ୟୁସନ୍ ଓ କୋଚିଂ ସେଣ୍ଟର ଉପରେ ନିର୍ଭର କରିଥାନ୍ତି। ଏବେ ଜାରି ରହିଥିବା ଅନ୍‌ଲାଇନ୍‌ ପାଠପଢ଼ାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଯଥେଷ୍ଟ ନୁହେଁ। ସେହିଭଳି ବିଭିନ୍ନ ପ୍ରବେଶିକା ପରୀକ୍ଷା ଓ ଚାକିରି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତିରେ କୋଚିଂ ସେଣ୍ଟରର ଭୂମିକା ଗୁରୁତ୍ବପୂର୍ଣ। ‌ତେଣୁ ତାଲାବନ୍ଦ ଛାତ୍ରଛାତ୍ରୀମାନଙ୍କର ବିପୁଳ କ୍ଷତି କରି ସାରିଲାଣି। ଅନ୍ୟପକ୍ଷରେ କୋଚିଂ ସେଣ୍ଟର୍‌ ମାଲିକ ଘରଭଡ଼ା ସମତେ ଶିକ୍ଷକ, କର୍ମଚାରୀଙ୍କୁ ପାରିଶ୍ରମିକ ଦେଇ ହତାଶ ହୋଇଗଲେଣି। ତେଣୁ ସାମଜିକ ଦୂରତା ଅବଲମ୍ବନରେ ଶ୍ରେଣୀ ଗୃହରେ ୧୫ଜଣ ଛାତ୍ରଙ୍କୁ ନେଇ ଶିକ୍ଷାଦାନ କରିବା, ଶତକଡ଼ା ୩୦ଭାଗ ଛାତ୍ରରେ ଛାତ୍ରାବାସ ଖୋଲିବା, ସମାନ ନିୟମରେ କୋଚିଂ ସେଣ୍ଟରଗୁଡ଼ିକ ଖୋଲିବାକୁ ସରକାର ଅନୁମତି ଦିଅନ୍ତୁ ବୋଲି ଆସୋସିଏସନ୍ ପକ୍ଷରୁ ଦାବି କରାଯାଇଛି। ନଚେତ୍‌ ଅଗାମୀ ଦିନର ଆନ୍ଦୋଳନ ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଆସୋସିଏସନ୍‌ର ସଭାପତି ପ୍ରସନ୍ନ ଚୌଧୁରୀ, ସମ୍ପାଦକ ପ୍ରଭାତ ତ୍ରିପାଠୀ, ଉପଦେଷ୍ଟା ବିଶ୍ୱରଞ୍ଜନ ଦାସ ଓ ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନେ କହିଛନ୍ତି।

ସମ୍ବନ୍ଧିତ ଖବର