ଚନ୍ଦ୍ରଶେଖରପୁର: ପ୍ରେମରେ ଫସାଇ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେବା ସହ ଇଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଇନ୍‌ଫୋସିଟି ଥାନା ପୁଲିସ ଅଭିଯୁକ୍ତ ଟ୍ୟୁସନ୍ ଶିକ୍ଷକଙ୍କୁ ବାନ୍ଧିଛି। ସେ ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ନୀଳକଣ୍ଠପୁରର ଜଗତ ସେବକ ବାଈ(୨୮)। ପୁଲିସ ସୂଚନାନୁସାରେ ଜବତ ପ୍ରଶାନ୍ତିବିହାରରେ ରହୁଥିଲେ ଏବଂ କିଟ୍ ଛକରେ ଥିବା ଏକ କୋଚିଂ ସେଣ୍ଟରରେ ପଢ଼ାଉଥିଲେ। ସେଠାକୁ ପଢ଼ିବାକୁ ଆସୁଥିବା ନାବାଳିକା ଛାତ୍ରୀଙ୍କୁ ସେ ପ୍ରେମ କରି ବସିଲେ ଏବଂ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରି‌ନେଲେ। ଏହାଥିଲା ଚଳିତ ମାସ ୭ ତାରିଖର ଘଟଣା। କୋଚିଂ ସେଣ୍ଟରରୁ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଇନ୍‌ଫୋସିଟି ଥାନାରେ ନିଖୋଜ ଅଭିଯୋଗ କରିଥିଲେ। 

Advertisment

ପୁଲିସ ଖୋଳତାଡ଼ କରୁକରୁ ଜାଣିବାକୁ ପାଇଲା ଯେ କୋଚିଂ ସେଣ୍ଟରରେ ପଢ଼ାଉଥିବା ଜଗତ ହିଁ ନାବାଳିକାଙ୍କୁ ଅପହରଣ କରିନେଇଛନ୍ତି। ମୋବାଇଲ ଟ୍ରାକିଂରୁ ଜଣାପଡ଼ିଲା ଯେ ଜଗତ ପ୍ରଥମେ ନିଜ ଗାଁକୁ ଯିବା ପରେ ସେଠାରୁ ପୁରୀ ଯାଇଥିଲେ ଏବଂ ପରେ ଗୁଜରାଟରେ ରହୁଥିବା ନିଜ ଭଉଣୀ ପାଖକୁ ଚାଲିଯାଇଥିଲେ। ଏହା ଭିତରେ ସେ ନାବାଳିକାଙ୍କ ଇଛା ବିରୋଧରେ ବାଧ୍ୟକରି ଶାରୀରିକ ସମ୍ପର୍କ ରଖିଥିଲେ। ଗତକାଲି ସେମାନେ ଗୁଜରାଟରୁ କେନ୍ଦ୍ରାପଡ଼ା ଫେରିଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିବା ସହ ବଳପୂର୍ବକ ଦୁଷ୍କର୍ମ କରାଯାଇଛି ବୋଲି ନାବାଳିକାଜଣକ କହିବା ପରେ ପୁଲିସ ଜଗତ ବିରୋଧରେ ଅପହରଣ ଓ ଦୁଷ୍କର୍ମ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।