ମୃତ ଟୁକୁନା ନାଁରେ ବି ରୁଜୁ ହେଲା ମାମଲା
ଆତ୍ମରକ୍ଷା ପାଇଁ ହତ୍ୟା କହି ଖସିଯିବେ କି?
ଭୁବନେଶ୍ବର : ଗାଡ଼ି ଭିତରେ ଟୁକୁନା ଦାସ ଓରଫ୍ ଜଟିଆ ସେମାନଙ୍କୁ ଆକ୍ରମଣ କରିବାରୁ ଅଭିଯୁକ୍ତ ଦ୍ବୟ ଆତ୍ମରକ୍ଷା କରିବାକୁ ଯାଇ ତା’କୁ ହାଣି ପକାଇଲେ। ସେମାନଙ୍କ ପାଖରେ ବାଡ଼ିଟିଏ ବି ନ ଥିଲା। ତେଣୁ ଟୁକୁନା ଧରିଥିବା ଭୁଜାଲି ଛଡ଼ାଇ ଆଣି ସେମାନେ ତାକୁ ମାରିଛନ୍ତି। ଶନିବାର ରାଜଧାନୀର ବିଚ୍ ରାସ୍ତାରେ ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଏବଂ ଉତ୍ତ୍ୟକ୍ତ ଲୋକଙ୍କ ଦ୍ବାରା ହତ୍ୟାକାଣ୍ଡ ପରବର୍ତ୍ତୀ ଏତେ ବଡ଼ ହିଂସା ଘଟିଯିବା ପରେ ଏମିତି ଏକ ସରଳ ଓ ରୋଚକ କାହାଣୀ ଶୁଣାଇବା ଆରମ୍ଭ କରିଛି ପୁଲିସ। ସତେ ଯେମିତି ତଦନ୍ତର ଆଉ ଆବଶ୍ୟକତା ନାହିଁ; ଅଭିଯୁକ୍ତମାନେ ଯାହା କହୁଛନ୍ତି, ତାହା ହିଁ ଏକମାତ୍ର ବାସ୍ତବତା। ଏହି ମର୍ମରେ ଆଜି ଏକ ଏତଲା ମଧ୍ୟ ହୋଇଛି। ଅଭିଯୁକ୍ତ ଦୁଇ ଭାଇ ସାଗର ଓ ସୁଧୀରଙ୍କର ସମ୍ପର୍କୀୟ ଭାଇ ରାକେଶ ପୃଷ୍ଟି ଗତକାଲି ରାତି ୧୦ଟା ୪୩ ମିନିଟ୍ରେ ଅଭିଯୋଗ କରିବା ପରେ ନୂଆପଲ୍ଲୀ ଥାନା ପୁଲିସ ଆଇପିସିର ଦଫା ୩୦୭ରେ ମୃତ ଟୁକୁନା ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଛି।
ରାକେଶଙ୍କ ଏତଲା ମୁତାବକ, ସାଗର ଓ ସୁଧୀର ଗାଡ଼ି ନେଇ ଘରକୁ ଫେରୁଥିଲେ। ସାହି ମୁଣ୍ଡରେ ଟୁକୁନା ସେମାନଙ୍କୁ ଅପେକ୍ଷା କରିଥିଲା। ଟୁକୁନା ଗାଡ଼ି ଅଟକାଇ ସୁଧୀରକୁ ଭୁଜାଲିରେ ଆକ୍ରମଣ କଲା। ଏଣୁ ସେମାନେ ତାକୁ ଗାଡ଼ିରେ ଉଠାଇ ନେଇ ନୂଆପଲ୍ଲୀ ଥାନାକୁ ଯାଉଥିଲେ। ସିଆର୍ପି ଛକ ପୂର୍ବରୁ ରାସ୍ତାରେ ଟୁକୁନା ପୁଣି ଥରେ ଭୁଜାଲିରେ ଉଭୟଙ୍କୁ ଆକ୍ରମଣ କରିବାରୁ ସେମାନେ ଆତ୍ମରକ୍ଷା କରିବାକୁ ଯାଇ ତାରି ଭୁଜାଲିରେ ତାକୁ ମାରିଦେଲେ। ଏଣୁ ଏହାର ଉପଯୁକ୍ତ ବିଚାର କରାଯାଉ ବୋଲି ରାକେଶ ଏତଲାରେ ଲେଖିଛନ୍ତି।
ପ୍ରଶ୍ନ ଉଠୁଛି; ସାଗର ଓ ସୁଧୀର ଯଦି ଟୁକୁନାକୁ ସାଲିଆସାହିରୁ ନୂଆପଲ୍ଲୀ ଥାନାକୁ ଆଣୁଥିଲେ ତେବେ ଥାନା ଅତିକ୍ରମ କରି ନୂଆପଲ୍ଲୀ ଏନ୍-୧ ଗଳି ଆଡ଼େ ଗଲେ କାହିଁକି ? ଟୁକୁନା ଯଦି ସେମାନଙ୍କୁ ବସ୍ତିରେ ଆକ୍ରମଣ କଲା ତେବେ ଦୁଇଭାଇ କାହିଁକି ଥାନାରେ ଅଭିଯୋଗ ନ କରି ଆଇନକୁ ହାତକୁ ନେଇ ଟୁକୁନାକୁ ଗାଡ଼ିରେ ଉଠାଇ ନେଇ ଅପହରଣ କଲେ? ଅଭିଯୁକ୍ତଦ୍ବୟଙ୍କ ନାମରେ ଅପହରଣ ମାମଲା କାହିଁକି ରୁଜୁ ହେଲା ନାହିଁ? ଦୁଇଭାଇଙ୍କୁ ଭୁଜାଲି ମାଡ଼ କରିବା ପରେ ଟୁକୁନା କିଭଳି ସେମାନଙ୍କ ଗାଡ଼ିରେ ବସିଲା? ପୁଣି ଦୁଇ ଭାଇଙ୍କ କବ୍ଜାରେ ଥାଇ ଗାଡ଼ି ଭିତରେ ଟୁକୁନା ଏକୁଟିଆ କେମିତି ସେମାନଙ୍କୁ ଆକ୍ରମଣ କଲା? ଏସବୁ ପ୍ରଶ୍ନର ଉତ୍ତର ନ ଖୋଜି ତଦନ୍ତକାରୀ ପୁଲିସ ଅଭିଯୁକ୍ତ ଦ୍ବୟଙ୍କ କଥାରେ ମାମଲା ରୁଜୁ କରିଥିବାରୁ ଅଭିଯୁକ୍ତ ଖସିଯିବାର ସମ୍ଭାବନା ଅଧିକ ବୋଲି ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି।
ହସ୍ପିଟାଲରେ ଥିବା ଅଭିଯୁକ୍ତ ଦ୍ବୟ ଏଯାଏ ସୁସ୍ଥ ହୋଇ ନ ଥିବାରୁ ସେମାନଙ୍କୁ ଗିରଫ କରାଯାଇ ନାହିଁ। ଆସନ୍ତାକାଲି ସୁସ୍ଥ ହେବା ପରେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।
ଅନ୍ୟପକ୍ଷରେ ଆଜି ଟୁକୁନାର ଶବ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏହାପରେ ପରିବାରବର୍ଗ ସତ୍ୟନଗର ମଶାଣିରେ ଶବ ସତ୍କାର କରିଛନ୍ତି। ବ୍ୟବଚ୍ଛେଦ ବେଳେ ଦେଖାଯାଇଛି କି ଟୁକୁନାର ବେକ, ଛାତି ଓ ମୁଣ୍ଡରେ ଗଭୀର କ୍ଷତ ରହିଛି। ଧାରୁଆ ଅସ୍ତ୍ର ଆଘାତରେ ଏଭଳି କ୍ଷତ ସୃଷ୍ଟି ହୋଇଛି। ଶରୀରର ବିଭିନ୍ନ ଜାଗାରେ ମଧ୍ୟ ଦାଗ ରହିଛି। ହତ୍ୟା ପୂର୍ବରୁ ତାକୁ ବାନ୍ଧିବା ପାଇଁ ଉଦ୍ୟମ କରା ଯାଇଥିବାରୁ ହାତ, ବେକ ଓ ଗୋଡ଼ରେ ଦାଗ ରହିଛି।
ଏ ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ବିଭିନ୍ନ ସ୍ଥାନରେ ଦେଖାଯାଉଛି କି ସାଧାରଣ ଲୋକ ଆଇନକୁ ହାତକୁ ନେଇ ଯାଉଛନ୍ତି। ଲୁଟେରା କିମ୍ବା ଚୋର ଧରାପଡ଼ିବା ପରେ ତାକୁ ପିଟୁଛନ୍ତି। କିନ୍ତୁ ସାକ୍ଷୀ ପଡ଼ିବା ବେଳକୁ କେହି ରହୁନାହାନ୍ତି କିମ୍ବା ଯିଏ ସାକ୍ଷୀ ପଡ଼ୁଛି ସେ କୋର୍ଟରେ ଓଲଟି ଯାଉଛି। ଲୋକମାନେ କମିସନରେଟ୍ ପୁଲିସ ଉପରେ ବିଶ୍ବାସ ରଖନ୍ତୁ। ଏଭଳି ଆଇନକୁ ହାତକୁ ନ ନେଇ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ସହଯୋଗ କରନ୍ତୁ।