୫ ମାସ ପରେ ତୁଳସୀ ଦେଇ ହତ୍ୟା ମାମଲାର ପର୍ଦ୍ଦାଫାସ୍ : ଜେଲ୍‌ରୁ ମାମୁ-ଭଣଜାଙ୍କ ସୁରାକ୍‌

ଲୁଟିବାକୁ ଯାଇ କଟୁରିରେ ହାଣି ପକାଇଥିଲେ
ରିମାଣ୍ଡରେ କୁଖ୍ୟାତ ନାରୁ, ଭଣଜା ସାଗର ଗିରଫ

ଭୁବନେଶ୍ବର : କମିସନରେଟ୍‌ ପୁଲିସ ପାଇଁ ଏକ ଆହ୍ବାନ ପାଲଟି ଯାଇଥିବା ଅବସରପ୍ରାପ୍ତ ମହିଳା ଶିକ୍ଷୟିତ୍ରୀ ତୁଳସୀ ଦେଇ ହତ୍ୟା ମାମଲା ଉପରୁ ଶେଷରେ ପରଦା ହଟିଛି। ଦୀର୍ଘ ୫ ମାସ ପରେ ଏକ ନାଟକୀୟ ଢଙ୍ଗରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଛି। ଭିନ୍ନ ଭିନ୍ନ ୨ଟି ଲୁଟ୍‌ ମାମଲାରେ ଜେଲ୍‌ରେ ଥିବା ଗଞ୍ଜାମ ପୋଲସରା ମଠସାହିର କୁଖ୍ୟାତ ଲୁଟେରା ନାରାୟଣ ମହାନ୍ତି ଓରଫ୍ ନାରୁ ନିଜେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଥିବା ଉଗାରି ପକାଇଛି। କମିସନରେଟ୍‌ ପୁଲିସ ଦ୍ବାରା ୭ ଥର ଗିରଫ ହୋଇଥିବା ଓ ୨୬ଟି ସଂଗିନ୍ ମାମଲାରେ ସମ୍ପୃକ୍ତ ଥିବା ନାରୁ ନିଜ ପତିଆରା ଦେଖାଇବାକୁ ଜେଲ୍‌ରେ ଥିବା ସାଥୀ ଅନ୍ତେବାସୀଙ୍କୁ କହୁକହୁ ଏହି ଗୁମର ଖୋଲି ଦେଇଛି। ନିଜର ବାହାଦୁରୀ କଥା କହିବାକୁ ଯାଇ ଧରାପଡ଼ି ଯାଇଛି। ଜେଲ୍‌ର ଚାରିକାନ୍ଥ ଡେଇଁ ନାରୁର କା‌ହାଣୀ ପଦାକୁ ଆସିବା ମାତ୍ରେ ନୂଆପଲ୍ଲୀ ଥାନା ପୁଲିସ ତାକୁ ୨ ଦିନିଆ ରିମାଣ୍ଡରେ ଆଣି ଛାନ୍‌ଭିନ୍‌ କରିଛି। ଫଳରେ ଏହି ହତ୍ୟାକାଣ୍ଡରେ ତା’ର ସହଯୋଗୀ ଥିବା ଅଭିଯୋଗରେ ପୁଲିସ ତା’ର ଭଣଜା ସାଗରକୁ ଗିରଫ କରିଛି ଓ ଶିକ୍ଷୟିତ୍ରୀ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି ଜବତ କରାଯାଇଛି।

ନୂଆପଲ୍ଲୀ ଥାନା ପୁଲିସ ୩ ଦିନିଆ ରିମାଣ୍ଡ ମାଗିଥିବାବେଳେ କୋର୍ଟ ୨ ଦିନିଆ ରିମାଣ୍ଡ୍‌ ପାଇଁ ଅନୁମତି ଦେଇଛନ୍ତି। ଆଜି ତାକୁ ଝାରପଡ଼ା ଜେଲ୍‌ରୁ ଅଣାଯାଇଛି। ତେବେ ପୂର୍ବରୁ ଜେଲ୍‌ରେ ତାକୁ ପଚରାଉଚରା କରାଯାଇଥିବାବେଳେ ଏହି ହତ୍ୟାକାଣ୍ଡରେ ନାରୁ ସହ ତା’ ଭଣଜା ସାଗରର ସମ୍ପୃକ୍ତି ଥିବା କଥା ଜଣାପଡ଼ିଥିଲା। ସେ ମଧ୍ୟ ନିଜେ ପୁଲିସ ଆଗରେ ସ୍ବୀକାର କରିଥିଲା। ତେଣୁ ଏହା ଭିତରେ ପୁଲିସ ସାଗରକୁ ଗିରଫ କରି ସାରିଛି।

ସୂଚନାଯୋଗ୍ୟ, ଗତ ଜୁଲାଇ ୨୬ ତାରିଖ ଦିନ(୨୦୨୦ ମସିହା) ପୂର୍ବାହ୍ନ ୧୦ଟା ବେଳେ ନୂଆପଲ୍ଲୀ ଏନ୍‌-୪ ସ୍ଥିତ ମହର୍ଷି ପବ୍ଲିକ୍‌ ସ୍କୁଲ ସାମ୍ନାରେ ରହୁଥିବା ଚକ୍ରପାଣି ମିଶ୍ରଙ୍କ ପତ୍ନୀ ତୁଳସୀ ଦେଈଙ୍କୁ ଏକୁଟିଆ ଦେଖି ଘରେ ନାରୁ ଓ ସାଗର ତାଙ୍କ ଘରେ ପଶି ଯାଇଥିଲେ। କଟୁରି ଦେଖାଇ ଲୁଟିବାକୁ ଉଦ୍ୟମ କଲାବେଳେ ତୁଳସୀ ପ୍ରତିରୋଧ କରିଥିଲେ। ତେଣୁ ସେମାନେ ତାଙ୍କୁ କଟୁରିରେ ଚୋଟ ପରେ ଚୋଟ ପକାଇ ଗୁରୁତର କରିବା ସହ ସୁନା ଗହଣା ଲୁଟି ଫେରାର୍‌ ହୋଇ ଯାଇଥିଲେ। ଗୁରୁତର ଅବସ୍ଥାରେ ତୁଳସୀଙ୍କୁ ହସ୍‌ପିଟାଲ ନିଆଯାଇଥିଲା। ସେଠାରେ ଦୁଇ ଦିନ ଚିକିତ୍ସିତ ହେବା ଭିତରେ ସେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ତେଣୁ ତାଙ୍କୁ କୋଭିଡ୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଗଷ୍ଟ ୧ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ତେଣୁ ନୂଆପଲ୍ଲୀ ଥାନା ପୁଲିସ ଲୁଟ୍‌ ମାମଲା ସହ ହତ୍ୟାକାଣ୍ଡ ମାମଲା ଯୋଡ଼ି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଲାଗି ପଡ଼ିଥିଲା। ମାତ୍ର ମାମୁ-ଭଣଜାଙ୍କ ଟେର୍‌ ମିଳିନଥିଲା। ଶିକ୍ଷୟିତ୍ରୀ ତୁଳସୀଙ୍କୁ ହତ୍ୟା କରିବାର ମାତ୍ର କିଛି ଦିନ ଭିତରେ ନାରୁ ଘଟାଇଥିବା ଅନ୍ୟ ୨ଟି ଲୁଟ୍‌ ମାମଲାରେ ଗିରଫ ହୋଇ ଜେଲ୍‌ ଚାଲିଯିବାରୁ ପୁଲିସ ପାଇଁ ସମସ୍ୟା ହୋଇଥିଲା। ଫଳରେ ପୁଲିସର ସମସ୍ତ କୌଶଳ ସତ୍ତ୍ବେ ଦୀର୍ଘ ୫ ମାସ ବିତି ଯାଇଥିଲେ ବି ପୁଲିସ ହାତରେ ମାମୁଭଣଜାଙ୍କ ବାବଦରେ କୌଣସି ସୁରାକ୍‌ ଲାଗିନଥିଲା। ସେହିଭଳି ନାରୁ ଜେଲ୍‌ ଚାଲିଯିବା ପରେ ସାଗର ରାଜଧାନୀ ଛାଡ଼ି ପଳାଇବାରୁ ତା’ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା। ମାତ୍ର ଶେଷରେ ନାଟକୀୟ ଢଙ୍ଗରେ ରହସ୍ୟ ଉନ୍ମୋଚନ ହେଲା।

ଗୋଟିଏ ଦିନରେ ୨ କାଣ୍ଡ କରି ଜେଲ୍‌ ଯାଇଥିଲା
ଜୁଲାଇ ୨୬ରେ ନାରୁ ଓ ସାଗର ଶିକ୍ଷୟିତ୍ରୀ ତୁଳସୀଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲେ। ପରେ ପରେ ଅଗଷ୍ଟ ୮ ତାରିଖରେ(୨୦୨୦ ମସିହା) ବରମୁଣ୍ଡାସ୍ଥିତ କେୟାର୍‌ ସିକ୍ୟୁରିଟି ଆଣ୍ଡ୍‌ ଆଲଏଡ୍‌ ସର୍ଭିସ୍‌ର ଫିଲ୍ଡ ଏକ୍‌ଜିକ୍ୟୁଟିଭ୍‌ ସନ୍ତୋଷ କୁମାର ପଣ୍ଡାଙ୍କୁ ଭୋର ସାଢ଼େ ୪ଟା ବେଳେ ଲୁଟିଥିଲେ। ପୁରୀ ଚନ୍ଦନପୁରର ସନ୍ତୋଷ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଅଫିସକୁ ଯାଉଥିବା ବେଳେ ନାରୁ ଓ ଅନ୍ୟ ୩ଜଣ ବାଇକ୍‌ରେ ଆସି ତାଙ୍କୁ ଖଣ୍ଡାରେ ହାଣି ମୋବାଇଲ ଫୋନ୍‌ ଓ ପର୍ସ ଲୁଟି ନେଇଥିଲେ। ଏହି ଘଟଣାର ମାତ୍ର ଘଣ୍ଟାକ ପରେ ସେମାନେ କଳିଙ୍ଗ ଷ୍ଟୁଡିଓ ରୋଡ୍‌ର ସୌଭାଗ୍ୟନଗରର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଆକ୍ରମଣ କରି ମୋବାଇଲ ଓ ବାଇକ୍‌ ଲୁଟି ନେଇଥିଲେ। ମାତ୍ର ଘଣ୍ଟାକ ଭିତରେ ଦୁଇ ଦୁଇଟି ଲୁଟ୍‌ କରି ନାରୁ ଗ୍ୟାଙ୍ଗ୍‌ ପୁଲିସର ମୁଣ୍ଡବିନ୍ଧା ବଢ଼ାଇ ଦେଇଥିଲା। ତେଣୁ ଖଣ୍ଡଗିରି ଥାନା ପୁଲିସ ମାମଲାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଥିଲା।

ପ୍ରେମିକାକୁ ଉପହାର ଦେଉଥିଲା ଲୁଟ୍‌ ମାଲ୍‌
ନାରୁ ଲୁଟ୍‌ କରୁଥିବା ଗହଣା ଓ ଅନ୍ୟାନ୍ୟ ଦାମୀ ଜିନିଷକୁ ଭରତପୁର ତାରିଣୀ ବଜାର ନିକଟରେ ରହୁଥିବା ତା’ ପ୍ରେମିକାକୁ ଉପହାର ଭାବେ ଦେଉଥିଲା। ବରମୁଣ୍ଡାରୁ ଲୁଟ୍‌ କରିଥିବା ମୋବାଇଲ୍‌ ଦ୍ବୟକୁ ପୁଲିସ ଟ୍ରାକ୍‌ କରିବାକୁ ଯାଇ ଉକ୍ତ ପ୍ରେମିକା ନିକଟରେ ପହଞ୍ଚି ଯାଇଥିଲା। ତେଣୁ ଲୁଟ୍‌ର ମାତ୍ର ୪ ଦିନ ପରେ ଅର୍ଥାତ୍‌ ସେହି ମାସ ଅଗଷ୍ଟ ୧୨ ତାରିଖରେ ପୁଲିସ ଉକ୍ତ ପ୍ରେମିକା ସହ ନାରୁ, ରାହୁଲ୍‌ ମହାନ୍ତି, ଜଣେ ନାବାଳକକୁ ପୁଲିସ ଗିରଫ କରିଥିଲା। ସେମାନଙ୍କଠାରୁ ୩ଟି ଚୋରା ବାଇକ୍‌, ୮ଟି ମୋବାଇଲ୍‌ ଫୋନ୍‌, ୨ଟି ଖଣ୍ଡା ସହ ବିଭିନ୍ନ ଅଳଙ୍କାର ଜବତ ହୋଇଥିଲା। ନାରୁ ଗ୍ୟାଙ୍ଗ୍‌ ଜେଲ୍‌ ଚାଲିଯିବା ପରେ ନୂଆପଲ୍ଲୀ ଶିକ୍ଷୟିତ୍ରୀ ତୁଳସୀ ହତ୍ୟାକାଣ୍ଡ ମାମଲା ରହସ୍ୟ ହୋଇ ରହିଯାଇଥିଲା।

ସମ୍ବନ୍ଧିତ ଖବର