ତୁମ ପରି ଛୋଟ ପିଲାଟିଏ

‘ତୁମ ପରି ଛୋଟ ପିଲାଟିଏ’ ଦେଖିଲେ, କହିଲେ, ଶୁଣିଲେ ବା ପଢ଼ିଲେ ଆମ ମନକୁ ତୃତୀୟ ଶ୍ରେଣୀ ସାହିତ୍ୟ ବହିର ସେଇ ପୃଷ୍ଠା କଥା ମନେପଡ଼ିଥାଏ। ଯେଉଁଠି ଡ. ଜଗନ୍ନାଥ ମହାନ୍ତି ଅତି ସୁନ୍ଦର ଭାବେ କବିତା ମାଧ୍ୟମରେ ଉତ୍କଳ ଗୌରବ ମଧୁବାବୁଙ୍କ ବଷୟରେ କହିଛନ୍ତି। କିନ୍ତୁ ମୁଁ ଆଜି କୋଉ ମଧୁବାବୁ ବା ଗୋପବନ୍ଧୁ ଦାସ କି ବୀର ସୁରେନ୍ଦ୍ର ସାଏଙ୍କ କଥା କହିବିନି। କହିବି ଏକ ସାମାନ୍ୟ ପିଲାଟି କଥା; ଯିଏ ସବୁବେଳେ ସମସ୍ତଙ୍କୁ ଅନୁରୋଧ କରେ ଟିକେ ହୃଦୟଙ୍ଗମ କରିବାକୁ କି ସିଏ ତୁମ ପରି ଛୋଟ ପିଲାଟିଏ। ଯଦି ପିଲାମାନଙ୍କ କଥା ପଡ଼ିଛି, ତେବେ ନଭେମ୍ବର ୧୪ ତାରିଖକୁ କେମିତି ଭୁଲିପାରିବା। ଏଇ ଦିନଟି କ’ଣ ଲାଗି ପ୍ରସିଦ୍ଧ ପଚାରିଲେ, ସଙ୍ଗେ ସଙ୍ଗେ ଉତ୍ତର ଆସିବ ଏଇ ଦିନ ଜବାହରଲାଲ୍‌ ନେହରୁ ଜନ୍ମ ହୋଇଥିଲେ। ତାଙ୍କ ଜନ୍ମଦିନକୁ ମନେ ରଖିବାକୁ ପ୍ରତି ବର୍ଷ ନଭେମ୍ବର ୧୪ରେ ଆମେ ପାଳନ କରୁ ଶିଶୁ ଦିବସ। ଅନେକ ପ୍ରତିଷ୍ଠାନ ଆୟୋଜନ କରନ୍ତି ଭଳିକି ଭଳି ପ୍ରତିଯୋଗିତା।

ଏଇ ଶିଶୁ ଦିବସ ସେଲିବ୍ରେସନ୍‌ରେ ଆମେ କିନ୍ତୁ ଭୁଲିଯାଉ ସେଇ ଶିଶୁମାନଙ୍କ କଥା, ଯେଉଁମାନେ ଜନ୍ମ ହୋଇଥାନ୍ତି ଗରିବ ପରିବାରରେ ଆଉ ବାଧ୍ୟ ହୋଇଥାନ୍ତି ତ୍ୟାଗ କରିବାକୁ ନିଜର ଶିଶୁ ହେବାର ଅଧିକାରକୁ। ପୂଜା ପାର୍ବଣରେ ମେଳା ଦେଖିବାକୁ କାହାକୁ ଭଲ ନଲାଗେ। କିନ୍ତୁ ସରପିବାର ମେଳା ବୁଲୁଥିବା ସମୟରେ ଯେତେବେଳେ ଛୋଟ ଛୋଟ ପିଲାମାନେ ଆସି ଏଇଟା କିଣ ସେଇଟା କିଣ କହିବା ଭଳି ମାଗି ଆମ ଆଗ ପଛରେ ବୁଲନ୍ତି। ଆମ ସମସ୍ତଙ୍କୁ ବିରକ୍ତ ଲାଗେ। ଆଉ ରହିଲା ଭିକ ଦେବା କଥା। ଆମେ ଛୁଆମାନଙ୍କୁ ଭିକ ଦେବାରେ ବିଶ୍ୱାସ କରୁନା କି ଏହାକୁ ଉଚିତ କି ଦରକାର ମନେ କରୁନା। କାରଣ ଆମ ମନରେ କୋଉଠି ନା କୋଉଠି ଥାଏ ଭିକାରୀମାନେ ଛୋଟ ଛୁଆମାନଙ୍କୁ ବ୍ୟବହାର କରି ଭିକ ମାଗୁଛନ୍ତି, ଯେମିତି ଲୋକମାନେ ଦୟାପ୍ରବଣ ହୋଇ ଭିକ ଦେବେ କି ବିକୁଥିବା ଜିନିଷ ସହଜରେ କିଣିବେ। ଏଥିରେ ଛୋଟ ପିଲାଟିର କ’ଣ ଭୁଲ୍‌? କ’ଣ ଏଇ ଭୁଲ୍‌କୁ ସୁଧାରି ହବନି? ଏଇ ପିଲାମାନେ ମଧ୍ୟ ଖେଳନା କି ବେଲୁନ୍‌ ବିକିବାକୁ ନୁହଁ ଖେଳିବାକୁ ଚାହାନ୍ତି। ଚାହାନ୍ତି ପାଢ଼ଠ ପଢ଼ି ନିଜ ଗୋଡ଼ରେ ନିଜେ ଠିଆ ହେବାକୁ, ନା କି କାହା ଗୋଡ଼ ଧରି ଭିକ ମାଗିବାକୁ। ହେଲେ ଏଇ ଶିଶୁମାନଙ୍କ ଅଧିକାର ଲାଗି କିଏ କାହା ସଙ୍ଗେ ଲଢ଼ିବ?

ସମସ୍ତେ ପଢ଼ିବେ, ସମସ୍ତେ ବଢ଼ିବେ ହେଲା ମାନବ ଅଧିକାର। ହେଲେ କ’ଣ ସମସ୍ତେ ପଢ଼ୁଛନ୍ତି ନା ସମସ୍ତେ ବଢ଼ୁଛନ୍ତି? ବଢ଼ିବ ଲୋକ ତାଙ୍କ ବାଟରେ ବଢ଼ୁଛନ୍ତି, ଆଉ ତଳେ ଗଡ଼ୁଛି ଦେଶର ଭବିଷ୍ୟତ। ଏଇ ଶିଶୁମାନେ ହିଁ ଦେଶର ଭବିଷ୍ୟତ। ହେଲେ ଆମ ଛୁଆ ତ ପାଠ ପଢ଼ୁଛନ୍ତି, ଭଲ ସ୍କୁଲ୍‌ ଯାଉଛନ୍ତି ତ ଆମେ କାହିଁକି ଏଇ ଶିଶୁମାନଙ୍କ କଥା ଭାବିବା? ଭାବିବା ଏଥିପାଇଁ ଦରକାର କାହିଁକି ନା ଏମାନେ ବି ଆମ ଛୁଆପରି ଛୋଟ ଛୋଟ ଛୁଆମାନେ ଆମ ସମସ୍ତଙ୍କୁ ଖରାପ ଲାଗିବା କଥା ଯେତେବେଳେ ଛୋଟ ପିଲାଟିଏ ରାସ୍ତା କଡ଼ର କୁଡ଼ାଦାନୀରୁ ଅଧାଖିଆ ପାଉଁରୁଟି ଖୁସିରେ ବସି ବାକିତକ ପାଉଁରୁଟିକୁ ଅତି ଆନନ୍ଦରେ ଖାଏ। ସେମାନେ ରାସ୍ତା କଡ଼ରୁ ଦରି, ପଲିଥିନ୍‌, ପ୍ଲାଷ୍ଟିକ୍‌ ଗୋଟାଇ ନିଜ ପେଟକୁ ପୋଷିବାର ଉଦ୍ୟମ ଚଳାଇଥାନ୍ତି।

ଟିକେ ମନେପକାନ୍ତୁ, ସେଇ ମନର ଆନ୍ଦୋଳନକୁ ଯେଉଁ ରାତିରେ ଆପଣଙ୍କ ଛୁଆଟି ନଖାଇ ଶୋଇପଡ଼ିଛି। ତେବେ ଆସନ୍ତୁ, ଏଇ ଶିଶୁ ଦିବସରେ କିଛି ଅଲଗା କରିବା ଓ ପ୍ରକୃତ ସମ୍ମାନ ଦେବା ଶିଶୁ ମା’ଙ୍କୁ ଓ ବଢ଼ାଇବା ଶିଶୁ ଦିବସର ମାହାତ୍ମ୍ୟକୁ।

ଡ. ଅନ୍ତର୍ଜୀତ ନାୟକ, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲା

ସମ୍ବନ୍ଧିତ ଖବର