ଆପୋଲୋ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର, ବର୍ଷକ ଶିଶୁ ପେଟରୁ ବାହାରିଲା ଟ୍ୟୁମର

ଭୁବନେଶ୍ବର : ଜଣେ ୧ବର୍ଷର ଶିଶୁର ତଳିପେଟରୁ ବାହାରିଛି ୧୨ ସେଣ୍ଟିମିଟରର ଏକ ଟ୍ୟୁମର। ରାଜଧାନୀର ଆପୋଲୋ ହସ୍ପିଟାଲରେ ଶିଶୁଟିର ଏହି ସଫଳ ଅସ୍ତ୍ରୋପଚାର କରାଯାଇଛି। କନ୍ଧମାଳ ଅଞ୍ଚଳର ଏହି ଶିଶୁଟି ଜିନ୍‌ଗତ କାରଣ ପାଇଁ ୱିଲ୍‌ସ ଟ୍ୟୁମର ନାମକ ଏକ କିଡ୍‌ନି କର୍କଟ ରୋଗରେ ପୀଡ଼ିତ ଥିଲା। ଶିଶୁଟି ଏବେ ସୁସ୍ଥ ଥିବା ସୂଚନା ମିଳିଛି।

କନ୍ଧମାଳର ମାଳନୀ (ଛଦ୍ମନାମ)ଙ୍କ ୧ବର୍ଷର ପୁଅ ତଳିପେଟ ଫୁଲିଥିବା କିଛିଦିନ ପୂର୍ବରୁ ଲକ୍ଷ୍ୟ କରିଥିଲେ। ଏହା ଯୋଗୁଁ ଶିଶୁଟି ଠିକ୍‌ଭାବେ ଖେଳାଖେଳି କରିପାରୁ ନ ଥିଲା। ସ୍ଥାନୀୟ ଡାକ୍ତରଙ୍କୁ ଦେଖାଇଥିଲେ ହେଁ କୌଣସି ସୁଫଳ ମିଳି ନ ଥିଲା। ପରେ ସ୍ଥାନୀୟ ଏନ୍‌ଜିଓ ଓ ରାଜ୍ୟ ଚିକିତ୍ସା ପାଣ୍ଠି ସହାୟତାରେ ଶିଶୁର ଚିକିତ୍ସା କରାଯାଇଥିଲା। ହସ୍ପିଟାଲରେ ପରୀକ୍ଷା ପରେ ଶିଶୁଟି ପ୍ରାରମ୍ଭିକ ଅବସ୍ଥାରେ ଥିବା ବିରଳ କିଡ୍‌ନି ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ପରେ ଆପୋଲୋ ହସ୍ପିଟାଲର ୟୁରୋଲୋଜି ବିଭାଗର ବିଶେଷଜ୍ଞ ଡା.ସମୀରନ୍ ଦାସ ଅଧିକାରୀଙ୍କ ନେତୃତ୍ବରେ ୟୁରୋଲୋଜି, ଆନେସ୍ଥେଟିକ୍ ଓ ଶିଶୁ ରୋଗ ବିଶେଷଜ୍ଞଙ୍କୁ ନେଇ ଗଠିତ ଟିମ୍‌ ଶିଶୁର ସଫଳ ଅସ୍ତ୍ରୋପଚାର କରିଥିଲେ। ଦୁଇଦିନ ପରେ ଶିଶୁଟି ସୁସ୍ଥ ଅବସ୍ଥାରେ ଡିସ୍‌ଚାର୍ଜ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର