ଆଡ୍ରିନାଲ ଗ୍ରନ୍ଥିରୁ ବାହାରିଲା ଟ୍ୟୁମର, ସମ୍‌ରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ବର: ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ଆଣ୍ଡ ସମ୍ ହସ୍ପିଟାଲରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ପଶ୍ଚିମବଙ୍ଗ ଖଡ଼ଗପୁର ଅଞ୍ଚଳର ସଞ୍ଜୀବ ସିଂ ନାମକ ଜଣେ ରୋଗୀଙ୍କ ବାମପଟ ଆଡ୍ରିନାଲ ଗ୍ଲାଣ୍ଡରେ ଥିବା ୬ ସେମିର ଏକ ଟ୍ୟୁମରକୁ କଢ଼ା ଯାଇଛି। ଏହି ବିରଳ ଅସ୍ତ୍ରୋପଚାରକୁ ସଫଳ ରୂପ ଦେବାରେ ସକ୍ଷମ ହୋଇଛନ୍ତି ସମ୍‌ର ଶଲ୍ୟ ଚିକିତ୍ସକ।

ରୋଗୀଜଣକ ଏବେ ସୁସ୍ଥ ଥିବା ବେଳେ ଅଳ୍ପଦିନ ଭିତରେ ଡିସ୍‌ଚାର୍ଜ ହେବେ ବୋଲି ଜଣାପଡ଼ିଛି। ତଳି ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ସଞ୍ଜୀବ ଗତ ଶନିବାର ସମ୍ ହସ୍ପିଟାଲରେ ଭର୍ତି ହୋଇଥିଲେ। ପରୀକ୍ଷାନିରୀକ୍ଷା ପରେ ତାଙ୍କର ଟ୍ୟୁମର ଥିବା ସ୍ପଷ୍ଟ ହୋଇଥିଲା। ରେଡିଓଲୋଜି ବିଭାଗର ମୁଖ୍ୟ ଡା. ସତ୍ୟ ମହାପାତ୍ର ସିଟି ସ୍କାନ୍‌ରେ ଏହି ଟ୍ୟୁମରକୁ ଚିହ୍ନଟ କରିଥିଲେ। ପରେ ଶଲ୍ୟ ବିଭାଗର ଡା. ଜିତେନ୍ଦ୍ର ନାରାୟଣ ସେନାପତିଙ୍କ ନେତୃତ୍ବରେ ଶଲ୍ୟ ଚିକିତ୍ସକଙ୍କ ଏକ ଟିମ୍ ଲାପାରାସ୍କୋପିକ ଆଡ୍ରିନାଲେକଟୋମି ଜରିଆ‌ରେ ଏହି ଟ୍ୟୁମର୍‌କୁ ସଫଳତାର ସହ କାଢ଼ିବାରେ ସକ୍ଷମ ହୋଇଥିଲେ। ଟିମ୍‌ରେ ଡା. ଜେ.ଆର୍‌ ପାଣି, ଡା. ବିନୟ କୋନର, ଡା. ସୁନୀଲ କର, ଡା. ସୋନାଲି ମହାନ୍ତି, ଡା. କିଷାନ ରେଡ୍ଡୀ ଓ ଡା. ସୌରଭ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର