ଖଣ୍ଡଗିରି: ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଆସିନାହିଁ। ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ତା’ପୂର୍ବରୁ ଅଶାନ୍ତ ହେଉଛି କ୍ୟାମ୍ପସ। ଆଜି ରାଜଧାନୀ ମହାବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ସୁରକ୍ଷାକର୍ମୀଙ୍କ ସହ ଉଭୟ ଗୋଷ୍ଠୀର ଦୁଇଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ୨୦ରୁ ଅଧିକ ଛାତ୍ର ଆହତ ହୋଇ ସହରର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଆଜି ଅପରାହ୍ନରେ କିଛି ଅଣଛାତ୍ର ମହାବିଦ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସୁରକ୍ଷାକର୍ମୀମାନେ ବିରୋଧ କରିବାରୁ ଅଣଛାତ୍ରମାନେ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ। ସୁରକ୍ଷାକର୍ମୀଙ୍କ କଥା ଶୁଣି ନ ଥିଲେ। ସୁରକ୍ଷାକର୍ମୀଙ୍କୁ ମାଡ଼ମାରି ଲହୁଲୁହାଣ କରିଦେଇଥିଲେ। ଅଣଛାତ୍ରଙ୍କୁ ଅଟକାଇବାକୁ ଯାଇ ମହାବିଦ୍ୟାଳୟର ଗୋଟିଏ ଛାତ୍ର ଗୋଷ୍ଠୀ ମୁଖ୍ୟ ଫାଟକକୁ ଭିତର ପଟୁ ତାଲା ପକାଇ ଦେଇଥିଲେ। ଏହାକୁ ବିରୋଧ କରି ଅଣଛାତ୍ରଙ୍କ ସମର୍ଥିତ କିଛି ଛାତ୍ର ବାହାରିଥିଲେ। ପାଚେରି ଡେଇଁ କ୍ୟାମ୍ପସ ଭିତରକୁ ପ୍ରବେଶ କରିବାକୁ ସେମାନେ ଅଣଛାତ୍ରଙ୍କୁ ପ୍ରବର୍ତ୍ତାଇଥିଲେ। ଏହାକୁ ନେଇ ଉଭୟ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ମାରପିଟ୍ ଆରମ୍ଭ ହୋଇଥିଲା।
ଅଣଛାତ୍ର ଓ ତାଙ୍କ ସହଯୋଗୀ ଛାତ୍ରମାନେ ଠେଙ୍ଗା, ମାରଣାସ୍ତ୍ର ଆଣି ଅପରପକ୍ଷ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। କ୍ୟାମ୍ପସ୍ ଭିତରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ରୋକିବାକୁ ଉପସ୍ଥିତ ଅଧ୍ୟାପକମାନେ ଉଦ୍ୟମ କରିଥିଲେ। ମାତ୍ର ସଫଳ ହୋଇ ନଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତିରେ ସୁଧାର ଆସିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀକୁ ଥାନାକୁ ନେଇଯାଇଥିଲେ। ପରେ ସେମାନଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା ଏବଂ ଉଭୟ ପକ୍ଷରୁ ଲିଖିତ ଆକାରରେ ଥାନାକୁ ଜଣାଇବା ସହ ଆଗକୁ ଏମିତି କରିବେ ନାହିଁ ବୋଲି କହିଥିବା ଜଣାପଡ଼ିଛି। ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜକାନ୍ତ ଚୌଧୁରୀ କହିଛନ୍ତି କିଛି ଅଣଛାତ୍ର ଶୈକ୍ଷିକ ବାତାବରଣ ନଷ୍ଟ କରିବାକୁ କ୍ୟାମ୍ପସ୍ ଭିତରକୁ ଆସୁଥିଲେ। ଏହାର ବିରୋଧ କରିବାରୁ ସୁରକ୍ଷାକର୍ମୀଙ୍କୁ ମାଡ଼ମାରି ଆହତ କରିଛନ୍ତି। ଆଗାମୀ ଦିନରେ ଏଭଳି ଘଟଣା ନ ଘଟିବା ପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ।