ହଳଦୀ ପତ୍ର ବିଡ଼ାକୁ ୧୦୦ ଟଙ୍କା !

ଖଣ୍ଡଗିରି: ବିଧି ଅନୁସାରେ ପ୍ରଥମାଷ୍ଟମୀରେ ହଳଦୀ ପତ୍ର ପିଠା ପୂଜା ହୁଏ। ମାତ୍ର ଆଜି ରାଜଧାନୀରେ ହଳଦୀପତ୍ରର ଦାମ୍ ଲୋକଙ୍କ ହୋସ୍ ଉଡ଼ାଇ ଦେଇଛି। କ୍ୟାପିଟାଲ ହାଟରେ ୫ଟି ପତ୍ରଥିବା ବିଡ଼ାକୁ ୧୦୦ ଟଙ୍କା‌ରେ ବିକ୍ରି କରାଯାଇଛି। ଫଳରେ ବହୁ ଗ୍ରାହକ ହଳଦୀପତ୍ର କିଣି ନ ପାରି ମନ ଦୁଃଖରେ ଫେରିଥିବା ଦେଖିବାକୁ ମିଳିଛି। ଗଞ୍ଜାମ ଓ କନ୍ଧମାଳରୁ ଆମଦାନୀ କମ୍ ହୋଇଥିବା ହେତୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କିଛି ବ୍ୟବସାୟୀ କହିଛନ୍ତି। ତିତ୍‌ଲି ବାତ୍ୟା ଯୋଗୁଁ ହଳଦୀ ଚାଷ ପ୍ରଭାବିତ ହୋଇଥିବାରୁ ଆଜି ରାଜଧାନୀବାସୀ ହଳଦୀପତ୍ର ପାଇଁ ହିନସ୍ତା ହୋଇଛନ୍ତି। ଆଜି ଦିନ ବେଳା ବିଡ଼ାକୁ ୨୦ ଟଙ୍କାରେ ବିକ୍ରି ହୋଇଥିଲା। ୫/୬ଟି ପତ୍ରଥିବା ବିଡ଼ାକୁ ୨୦ଟଙ୍କା ଦରରେ କିଣି ଲୋକେ ମନସ୍ତାପ କରିଥିଲେ ବି ବିଧି ରକ୍ଷା ପାଇଁ କାନମୁଣ୍ଡା ଆଉଁସି କିଣିଥିଲେ। କିନ୍ତୁ ରାତି ୭ଟା ପରେ ଆଉ ପତ୍ର ମିଳି ନଥିଲା। ତେଣୁ ଯେଉଁ କ‌ତେଜଣ ବେପାରୀ ରଖିଥିଲେ, ସେମାନେ ଗ୍ରାହକମାନଙ୍କ ଭିଡ଼ ଦେଖି ଦର ବଢ଼ାଇଦେଲେ। ଫଳରେ ୨୦ ଟଙ୍କାରୁ ବଢ଼ି ବଢ଼ି ଶେଷରେ ଦର ୧୦୦ ଟଙ୍କାକୁ ଛୁଇଁଥିଲା। କିଛି ଲୋକ କିଣି ପାରିଥିଲେ ସିନା ବହୁ ଲୋକ ଫେରିବାକୁ ବାଧ୍ୟ ହୋଇଥିଲେ। ତେବେ ଯେଉଁମାନେ କିଣି ପାରିଲେ, ସେମାନେ ମାତ୍ର ଗୋଟିଏ ବିଡ଼ା ହିଁ କିଣିଥିଲେ। ଏମିତିକି ହଳଦୀପତ୍ର ରଖିଥିବା ବେପାରୀମାନେ ମଧ୍ୟ ଜଣଙ୍କୁ କେବଳ ଗୋଟିଏ ବିଡ଼ା ହିଁ ବିକୁଥିଲେ। କୌଣସି ଗ୍ରାହକ ଅଧିକ ମାଗିଲେ ବି ସେମାନେ ଦେଉ ନଥିଲେ।

ସମ୍ବନ୍ଧିତ ଖବର