ଭୁବନେଶ୍ୱର: ବୁଧବାର ପାଳିତ ହେବ ପ୍ରଥମାଷ୍ଟମୀ। ଘରର ବଡ଼ ପୁଅ କିମ୍ବା ଝିଅ ନୂଆ ପୋଷାକ ପିନ୍ଧିବେ। ବିଧି ଅନୁସାରେ ଘରେ ଘରେ ମହକିବ ହଳଦୀପତ୍ର ଏଣ୍ଡୁରି ପିଠା। ତେଣୁ ପ୍ରଥମାଷ୍ଟମୀର ଅବ୍ୟବହିତ ପୂର୍ବରୁ ରବିବାରିଆ ରାଜଧାନୀ ବଜାର ଥିଲା ବେଶ୍ ଗହଳଚହଳ। ସହରର ବହୁ ସ୍ଥାନରେ ରାଜପଥ କଡ଼ରେ ମେଲିଥିଲା ହଳଦୀପତ୍ର ପସରା। ବିଡ଼ାକୁ ୧୫ ଟଙ୍କା‌ରେ ବିକ୍ରି କରାଯାଉଥିଲା। କନ୍ଧମାଳ, ରାୟଗଡ଼ା, ଜଗତସିଂହପୁରକଟକ ଆଦି ଜିଲ୍ଲାରୁ ହଳଦୀପତ୍ର ଆଣି ବେପାରୀମାନେ ବିକ୍ରି କରୁଛନ୍ତି। ଆଜି ଏକ ନମ୍ବର ହାଟରେ ନାହିଁ ନ ଥିବା ଭିଡ଼ ହୋଇଥିଲା। 

Advertisment

ସୋମବାର ହାଟ ବନ୍ଦ ରହୁଥିବାରୁ ମଙ୍ଗଳବାର ମାତ୍ର ଗୋଟିଏ ଦିନ। ତେଣୁ ରବିବାରରେ ସହରବାସୀ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଅଷ୍ଟମୀ ପିଠା ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ନୂଆ ବିରି, ଚାଉଳ, ମୁଗ, ନଡ଼ିଆ, ଛେନା ଆଦି ମଧ୍ୟ ଲୋକେ ବେଶ୍‌ କିଣିଥିଲେ। ପିଢ଼ାପୂଜା ପାଇଁ ଆଖୁ ଓ ଗେଣ୍ଡୁଫୁଲ ମଧ୍ୟ ବହୁଳ ଭାବରେ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି।
ପୋଷାକ ବଜାର ଗହଳି କିଛି କମ୍‌ ନଥିଲା। ରବିବାର ହୋଇଥିବାରୁ ଦିନତମାମ ରାଜଧାନୀର ସମସ୍ତ ମଲ୍‌ ଓ ମାର୍କେଟ୍‌ର ପୋଷାକ ଦୋକାନରେ ଭିଡ଼ ଜମିଥିଲା। ବିଭିନ୍ନ ବିଭିନ୍ନ ସୋ’ରୁମ୍‌ ସମେତ ମାର୍କେଟ ବିଲ୍‌ଡିଂ ଓ ଅନ୍ୟସବୁ ମାର୍କେଟରେ ଆଜି ଦିନସାରା ଭିଡ଼ ଥିଲା। ମାର୍କେଟ ବିଲ୍‌ଡିଂରେ ରାଜଧାନୀ ସମେତ ଉପକଣ୍ଠରୁ ବହୁ ଗ୍ରାହକଙ୍କ ସମାଗମ ହୋଇଥିଲା। ସୋ’ରୁମ୍‌ ଠାରୁ ଆରମ୍ଭ କରି ବାହାର ଦୋକାନଗୁଡ଼ିକରେ ସକାଳ ୧୦ରୁ ରାତି ୧୦ ପର୍ଯ୍ୟନ୍ତ ଲୋକମାନେ ଜିନିଷପତ୍ର କିଣୁଥିଲେ।