ହାତୀଙ୍କୁ ହରପେସ ଭୂତାଣୁ ଡର: ନନ୍ଦନକାନନରୁ ସ୍ଥାନାନ୍ତର ହେଲେ ଗୌରୀ, କମଳା

ହାତୀଙ୍କ ପାଖରେ ଝୁଣା ଧୂଆଁ, ହଳଦୀ ଗୁଣ୍ତ

ବାରଙ୍ଗ: ମାତ୍ର ୨୦ ଦିନ ମଧ୍ୟରେ ହରପେସ୍‌ ଭାଇରସ୍‌ ପ୍ରାଣୀ ଉଦ୍ୟାନର ୨ଟି ଛୁଆ ହାତୀଙ୍କ ଜୀବନ ନେଇଯିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଏବେ ଚିନ୍ତାରେ। ଅନ୍ୟ ହାତୀମାନଙ୍କୁ କିପରି ଏହି ଭାଇରସ୍‌ରୁ ବଞ୍ଚାଇବେ, ସେଥିପାଇଁ ଓୟୁଏଟି ନିଦାନ ବିଭାଗ ମୁଖ୍ୟ ପ୍ରଫେସର୍‌ ସୁଶେନ ପଣ୍ତାଙ୍କ ପରାମର୍ଶକ୍ରମେ ହାତୀମାନଙ୍କୁ ପରସ୍ପରଠାରୁ ଅଲଗା ରଖା‌ଯାଇଛି। ଆଜି ରାତିରେ ଗୌରୀ (୬) ଓ କମଳା (୬)କୁ କଟେଜ୍‌ ପାଖକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଅଲଗା ରହୁଥିବା ମାମାକୁ ସେଇଠାରେ(ଭେଟେନାରୀ ପାଖରେ) ହିଁ ରଖାଯାଇଛି। ତାକୁ ଆଉ ହାତୀଶାଳକୁ ବୁଲାଇବା ପାଇଁ ନିଆଯିବ ନାହିଁ। ବାସନ୍ତୀ (୫୫) ଓ ହୀରା (୨୦)ଙ୍କୁ ପୂର୍ବବତ୍‌ ହାତୀଶାଳରେ ରହିଛନ୍ତି।

ହାତୀଶାଳ ଯିବନି ‘ମାମା’
ଓୟୁଏଟି ଗଲା ଲାଳ ନମୁନା

ଏବେ ହାତୀମାନଙ୍କ ପାଖରେ ଝୁଣା ଧୂଆଁ ଦିଆଯିବା ସହ ହଳଦୀ ଗୁଣ୍ତ ଛିଞ୍ଚା ଯାଉଛି। ନନ୍ଦନକାନନର ଉପ ନିର୍ଦ୍ଦେଶକ ଜୟନ୍ତ ଦାସ କହିଛନ୍ତି, ହାତୀମାନଙ୍କ ମଧ୍ୟରୁ କାହାକୁ ଏହି ଭାଇରସ୍‌ ସଂକ୍ରମଣ ହୋଇଛି କି ନାହିଁ, ତାହା ଜାଣିବା ପାଇଁ ରକ୍ତନମୁନା ଗତକାଲି ଉତ୍ତରପ୍ରଦେଶର ବରେଲିସ୍ଥିତ ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନକୁ ପଠାଯାଇଥିଲା। ଆଜି ମାମା, ଗୌରୀ ଓ କମଳାର ଲାଳ ପରୀକ୍ଷା ପାଇଁ ଓୟୁଏଟିକୁ ପଠାଯାଇଛି। ସବୁ ରିପୋର୍ଟ ଆସିବା ପରେ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ। ଉଲ୍ଲେଖଯୋଗ୍ୟ, ଏହି ମାରାତ୍ମକ ଭାଇରସ୍‌ ଯୋଗୁଁ ଗତ ଅଗଷ୍ଟ ୨୬ ତାରିଖରେ ମାଈ ହାତୀ ଜୁଲି(୧୦)ର ଏହି ଭାଇରସ୍‌ରେ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଏକମାତ୍ର ଦନ୍ତା ହାତୀ ଚନ୍ଦନ(୯)ର ମୃତ୍ୟୁ ଘଟିଥିଲା। ଅପରପକ୍ଷେ ଆଜି ପ୍ରାଣୀ ଉଦ୍ୟାନର ୩୮ନମ୍ବର ଖୁଆଡ଼ରେ ଏକ ବାରାଶିଙ୍ଗା ହରିଣ ଛୁଆ ଜନ୍ମ ହୋଇଛି। ଉଭୟ ମା’ ଓ ଛୁଆ ସୁସ୍ଥ ଅଛନ୍ତି। ଛୁଆଟିର ଲିଙ୍ଗ ଚିହ୍ନଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର