ହଳଦୀ ହଳଦୀ ବାସୁଛି ରାଜଧାନୀ, ୨ ଦିନ ପରେ ପ୍ରଥମାଷ୍ଟମୀ

ଭୁବନେଶ୍ବର: ଘର ବାସିବ ହଳଦୀ ହଳଦୀ। ବରଷକୁ ଥରେ ହଳଦୀ ପତ୍ର ତିଆରି ପିଠାରେ ମହକିବ ପରିବେଶ। ଦୁଇ ଦିନ ପରେ ‘ପ୍ରଥମାଷ୍ଟମୀ’ ଆଣିଦେବ ଏହି ଅବକାଶ। ଏନେଇ ଏବେଠୁ ରାଜଧାନୀରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରାଜଧାନୀର କେବେ ଦେଖାଯାଉ ନଥିବା ହଳଦୀ ପତ୍ର ଏବେ ସହରର ଗଳିକନ୍ଦି ବିକ୍ରି ହେଲାଣି। ପ୍ରଥମାଷ୍ଟମୀକୁ ଆଉ ଦୁଇ ଦିନ ଥିଲେ ବି କାଳେ ମିଳିବ କି ନ ମିଳିବ ଆଶଙ୍କାରେ ଆଜିଠାରୁ ଗ୍ରାହକମାନେ ଏହାକୁ ସଂଗ୍ରହରେ ଲାଗି ପଡ଼ିଲେଣି।

ପରିବାରର ମଙ୍ଗ ସମ୍ଭାଳିବେ ପଢ଼ୁଆଁ ସନ୍ତାନ। ପାରମ୍ପରିକ ରୀତିନୀତିକୁ ଆଗେଇ ନେବେ। ପରିବାରର ସବୁଠୁ ବଡ଼ ସନ୍ତାନ/ସନ୍ତତିଙ୍କ ଉପରେ ହିଁ ଆପେଆପେ ନ୍ୟସ୍ତ ହୁଏ ଏହି ପାରିବାରିକ ଗୁରୁଦାୟିତ୍ୱ। ଖାସ୍‌ ଏଇଥି ପାଇଁ ବର୍ଷକୁ ଦିନଟିଏ ସମର୍ପିତ ପଢ଼ୁଆଁମାନଙ୍କ ପାଇଁ। ଏହି ଦିନ ପରିବାରର ପ୍ରଥମ ସନ୍ତାନମାନେ ମାମୁ ଘରୁ ଆସିଥିବା ନୂଆ ବସ୍ତ୍ର ପିନ୍ଧି ପଢ଼ୁଆଁ ହେବେ ଓ ଗୁରୁଜନଙ୍କ ଆଶୀର୍ବାଦ ସାଉଁଟିବେ। ଏହି ଅବସରରେ ବଡ଼ମାନଙ୍କୁ ଷଠୀ ଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା କରାଯିବ। ଘରର ମହିଳା ଅଥବା ମା’ମାନେ ଚଉରା ମୂଳେ ପୂଜାର୍ଚନା କରିବେ। ପ୍ରତ୍ୟେକ ପରିବାରରେ ପିଠାପଣାର ଆସର ଜମିବ। ଏହି ଦିନ ଖାଦ୍ୟରେ ଆକର୍ଷଣ ସାଜିବ ଏଣ୍ଡୁରି ପିଠା। ରାଜଧାନୀରେ ବି ସେ ଦିନ ପ୍ରତିଟି ଘରୁ ଭାସିଆସିବ ହଳଦୀ ପିଠାର ମହମହ ବାସ୍ନା। ବିଶେଷ କରି ଏଣ୍ଡୁରି ପିଠା ଓ ହଳଦୀ ପତ୍ରରେ ପ୍ରସ୍ତୁତ ପିଠା ଷଠୀ ଦେବୀଙ୍କ ନିକଟରେ ସମର୍ପଣ ପରେ ବଡ଼ମାନଙ୍କୁ ଖିରି ପିଠାରେ ଆପ୍ୟାୟିତ କରାଯିବ।

ହଳଦୀ ପତ୍ର ବିଡ଼ା ପିଛା ୧୦ ଟଙ୍କା ଥିଲା ବେଳେ ୩ ବିଡ଼ାକୁ ୨୦ ଟଙ୍କାରେ ବିକ୍ରି ହେଉଛି। କୋଚିଲେଇ ହାଟରେ ଅସ୍ଥାୟୀ ପସରା ଖୋଲିଥିବା ପଞ୍ଚାନନ ସାହୁ କୁହନ୍ତି, ଗାଁରେ ଏସବୁ ମାଗଣାରେ ମିଳିଯାଏ। କିନ୍ତୁ ସହରିଆଙ୍କ ପାଇଁ ଏସବୁ ମହରଗ। ଏଣୁ ଅଷ୍ଟମୀ ପୂର୍ବରୁ ଗାଁରୁ ଏହି ହଳଦୀ ପତ୍ର ଆଣି ବିକ୍ରି କରି କିଛି ରୋଜଗାର ପାଇଯାଉ।

ସମ୍ବନ୍ଧିତ ଖବର