କୁଶଭଦ୍ରାରେ କଇଁଛ ମଡ଼କ

ଜାଲ ପକାଇ ଲକ୍ଷାଧିକ ଟଙ୍କାର ମାଛ ଲୁଟିନେଲେ ଦୁର୍ବୃତ୍ତ, ପ୍ରଶାସନ ବେଫିକର, ନିଲାମ ହେଉନି ଗଣ୍ଡ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ଭିଙ୍ଗାରପୁରସ୍ଥିତ କୁଶଭଦ୍ରା ନଦୀରେ କଇଁଛ ମଡ଼କ ଦେଖାଦେଇଛି। ନଦୀର ବିଭିନ୍ନ ସ୍ଥାନରେ ଶହଶହ କଇଁଛ ମରି ଭାସୁଛନ୍ତି। କଇଁଛଗୁଡ଼ିକର ଶବ ପଚି ନଦୀର ପାଣି ପ୍ରଦୂଷିତ ହୋଇଯାଇଛି। ଏହାଦ୍ବାରା ସ୍ଥାନୀୟ ଲୋକମାନେ ବିଶେଷ ପ୍ରଭାବିତ ହୋଇଛନ୍ତି। ଭିଙ୍ଗାରପୁର ଓ ବେଣ୍ଟପୁର ପଞ୍ଚାୟତ ଅଞ୍ଚଳର ଦୁଇ ନିର୍ଦ୍ଦିଷ୍ଟ ଗୋଷ୍ଠୀ କୁଶଭଦ୍ରାର ଏହି ଗଣ୍ଡରେ ମାଛ ଧରିବା ପାଇଁ ପକାଇଥିବା ଫାସି ଜାଲ‌ରେ ପଡ଼ି କଇଁଛମାନେ ମରୁଥିବା ଅଭିଯୋଗ ହେଉଛି। ବେଆଇନ ଭାବେ ନଦୀରେ ଜାଲ ପକାଇବା ବିରୋଧରେ ଭିଙ୍ଗାରପୁର ଅଞ୍ଚଳର ଚୌଧୁରୀ ଆଶିଷ ଦାଶ ନାମକ ଜଣେ ସମାଜସେବୀ ଜଳସେଚନ ବିଭାଗ କର୍ତୃପକ୍ଷ, ବାଲିଅନ୍ତା ତହସିଲଦାର ଓ ବାଳକାଟି ରେଞ୍ଜର ଜୟକୃଷ୍ଣ ଯଦୁମଣି ଦାସଙ୍କୁ ଜଣାଇଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ଅଧିକାରୀ ସେଠାରେ ପହଞ୍ଚି ନାହାନ୍ତି।

ଅପରପକ୍ଷେ ଭିଙ୍ଗାରପୁର ଓ ବେଣ୍ଟପୁର ପଞ୍ଚାୟତର ଦୁଇ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଗତ ୩ଦିନ ହେଲା ନଦୀ‌ରେ ବେଆଇନ ଭାବେ ଜାଲ ପକାଇ ଲକ୍ଷାଧିକ ଟଙ୍କାର ମାଛ ଲୁଟି ନେଇଛନ୍ତି। କିଛି ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ତହସିଲଦାର ୩୦ ଏକର ପରିମିତ ଏହି ଗଣ୍ଡ ଅଞ୍ଚଳ ନିଲାମ କରୁ ନଥିବାରୁ ଏଭଳି ଅପ୍ରୀତିକର ଘଟଣା ଘଟୁଛି। ଏନେଇ ସଂପୃକ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ମଧ୍ୟ ସେମାନେ ଦାୟୀ କରିଛନ୍ତି। ବେଣ୍ଟପୁର ସରପଞ୍ଚ ମୁରଲୀ ସାହୁ ଅଭିଯୁକ୍ତଙ୍କ ବିରୋଧରେ ଆସନ୍ତାକାଲି ବାଲିଅନ୍ତା ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ତତ୍କାଳୀନ ତହସିଲଦାର ଅକ୍ଷୟ କୁମାର ରାଉତ ଘଟଣାସ୍ଥଳରୁ ବଡ଼ ଜାଲ ଜବତ କରିବା ସହ ଉକ୍ତ ଗୋଷ୍ଠୀଙ୍କଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ।

ସମ୍ବନ୍ଧିତ ଖବର