ଭୁବନେଶ୍ୱର : ଟ୍ରାଫିକ୍ ନିୟମ ଉଲ୍ଲଘଂନ କରି ଆଉ ଖସି ପାରିବେନି ଅମାନିଆ। ରାଜଧାନୀର ପ୍ରମୁଖ ୨୫ଟି ଜାଗାରେ କାର୍ଯ୍ୟକ୍ଷମ ହୋଇଛି ଟିଭିଡିଏସ୍(ଟ୍ରାଫିକ୍ ଭାଓଲେସନ୍ ଡିଟେକ୍ସନ୍ ସିଷ୍ଟମ୍)। ରଙ୍ଗ୍ରୁଟ୍ ହେଉ କି ବିନା ହେଲ୍ମେଟ୍, ଦ୍ରୁତଗତି ହେଉ କି ରେଡ୍ ସିଗ୍ନାଲ ଅତିକ୍ରମ; ଏସବୁ ପାଇଁ ଆଉ କ୍ଷମା ନାହିଁ। ସିଧା ଚାଲାଣ ଘରେ ପହଞ୍ଚିଯିବ। ପୂର୍ବରୁ କେବଳ ରୂପାଲି ଛକରେ କାମ କରୁଥିବା ଏହି ବ୍ୟବସ୍ଥା ଏବେ ୨୫ଟି ଜାଗାରେ କାର୍ଯ୍ୟକ୍ଷମ ହେବା ପରେ ଭୁବନେଶ୍ବର କମିସନରେଟ୍ ପୁଲିସ ଆଶ୍ବସ୍ତ ହୋଇଛି। ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ ଏହାକୁ ପ୍ରସ୍ତୁତ କରିବା ପରେ କମିସନରେଟ୍ ପୁଲିସକୁ ହସ୍ତାନ୍ତର କରିଛି। ଅକ୍ଟୋବର ୩୧ ତାରିଖ ସୁଦ୍ଧା ଆଉ ୮ଟି ଜାଗାରେ ଏଭଳି ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ବିଏମ୍ସି କମିସନର୍ ସଂଜୟ କୁମାର ସିଂହ।
ସୂଚନା ମୁତାବକ, ଏହି ବ୍ୟବସ୍ଥାକୁ ବାହନ ପୋର୍ଟାଲ ସହ ସମନ୍ବିତ କରାଯାଇଛି। ଫଳରେ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ନମ୍ବରରୁ ତୁରନ୍ତ ଗାଡ଼ି ମାଲିକ ପରିଚୟ ମିଳି ପାରୁଛି। ପୁଲିସକୁ ୧୦ଟି ୟୁଜର ଆଇଡି ଓ ପାସ୍ୱାର୍ଡ ଦିଆଯାଇଛି। ଏହି ୟୁଜର ଆଇଡି ଓ ପାସ୍ୱାର୍ଡ ଜରିଆରେ ପୁଲିସ ଏହି ବ୍ୟବସ୍ଥାକୁ ଅନୁଧ୍ୟାନ କରିପାରିବ। ତେବେ ଏଥିରେ ହାତରେ କିଛି କରିବାକୁ ରହିବ ନାହିଁ। ଏହି ବ୍ୟବସ୍ଥା ଜରିଆରେ ଆପେଆପେ ଚାଲାଣ କଟିବ। ଚାଲାଣ କଟିବା ପରେ ପୁଲିସ ପାଖକୁ ସୂଚନା ଆସିବ।
ତେବେ କେବଳ ଟ୍ରାଫିକ୍ ଉଳ୍ଲଂଘନକାରୀଙ୍କୁ ଚିହ୍ନଟ ପାଇଁ ନୁହେଁ, ବରଂ ଏଥିରେ ଅସାମାଜିକ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ବି ସହଜ ହେବ। ଦାଗୀ, କୁଖ୍ୟାତ ଅପରାଧୀଙ୍କ ଫଟୋ ଅପ୍ଲୋଡ୍ କରିଦିଆଯିବ। ସେମାନେ ଯଦି କୌଣସି କ୍ୟାମେରାରେ ଦେଖା ଦିଅନ୍ତି, ତେବେ ତୁରନ୍ତ ପୁଲିସ ପାଖକୁ ସୂଚନା ଚାଲିଯିବ। ଏଣୁ ଅପରାଧୀଙ୍କୁ ଧରିବା ପାଇଁ ମଧ୍ୟ ଏହି ବ୍ୟବସ୍ଥା ବ୍ୟବହାର କରିହେବ। ତେବେ କୌଣସି ବ୍ୟକ୍ତି ଯଦି ଗାଡ଼ିର ନମ୍ବର ପ୍ଲେଟ୍ ବଦଳାଇ ଆଉ କାହା ଗାଡ଼ିର ନମ୍ବର ପ୍ଲେଟ୍ ବ୍ୟବହାର କରିବ, ତେବେ ଧରିବା ସମ୍ଭବ ହେବ ନାହିଁ। ଯେଉଁ ଲୋକର ଗାଡ଼ି ନମ୍ବର ବ୍ୟବହାର କରାଯାଇଥିବ ତା' ପାଖକୁ ଚାଲାଣ ଯିବ। ଏହା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ। ଏଭଳି ଅପରାଧକୁ ରୋକିବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। କ୍ୟାମେରାରେ ଗାଡ଼ି ଚାଳକକୁ ଚିହ୍ନଟ କରି କାର୍ଯ୍ୟନୁଷ୍ଠାନ ନେଇ ହେବ ବୋଲି ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଯେଉଁ ୨୫ଜାଗାରେ ଏହି ଟିଭିଡିଏସ୍ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇସାରିଛି, ସେଗୁଡ଼ିକ ହେଲା, କ୍ୟାପିଟାଲ ହସ୍ପିଟାଲ ଛକରୁ ଏଜି ଛକ ମଧ୍ୟଭାଗ, ରାଜପଥ, ୧୨୦ ବାଟାଲିୟନ, ଟ୍ରାଇଡେଣ୍ଟ ହୋଟେଲ ଛକ, ଏକାମ୍ରକାନନ, ନାକାଗେଟ୍, ବରମୁଣ୍ଡା-ଖଣ୍ଡଗିରି ରାସ୍ତା, ମଧୁସୂଦନ ପାର୍କ, ଇନ୍ଫୋସିଟି-ପଟିଆ ରାସ୍ତା, କିଟ୍-ସିଲିକନ୍ ରାସ୍ତା, ସୈନିକ ସ୍କୁଲ୍ ଛକ, ବାଣୀବିହାର, କଳ୍ପନା, ଶିଶୁଭବନ ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ଏୟାରପୋର୍ଟ ଛକ, ପାୱାର ହାଉସ୍ ଛକ, କଳିଙ୍ଗ ଷ୍ଟାଡିୟମ୍ ଛକ, ନିକୋପାର୍କ ଛକ, ହାଉସିଂବୋର୍ଡ ଛକ, ରୂପାଲି ଛକ, କଳିଙ୍ଗ ହସ୍ପିଟାଲ ଛକ, ପଟିଆ ଛକ, କିଟ୍ ଛକ ଓ କିଟ୍ ବିଶ୍ବବିଦ୍ୟାଳୟ ସାମ୍ନା।