୨୦ ସାହିତ୍ୟିକଙ୍କୁ ମିଳିଲା ସାହିତ୍ୟ ଏକାଡେମି ପୁରସ୍କାର, ୧୫ଜଣଙ୍କୁ ସାରସ୍ବତ ସମ୍ବର୍ଦ୍ଧନା

ବିକଶିତ ହେବ ‘ସଙ୍ଗୀତ ମାର୍ଗ’... ଅହରହ ଗୁଞ୍ଜରିତ ହେବ ସଙ୍ଗୀତ

ଭୁବନେଶ୍ବର: ବର୍ଷ ୨୦୧୫ ଓ ୨୦୧୬ ପାଇଁ ଆଜି ୨୦ ସାହିତ୍ୟିକଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ୨୦୧୯ ମସିହାର ସାରସ୍ବତ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଅବସରରେ ସେମାନଙ୍କୁ ସମ୍ମାନିତ କରାଯାଇଛି। ୨୦୧୫ ପାଇଁ ସାହିତ୍ୟର ବିଭିନ୍ନ ବିଭାଗରେ ନିତ୍ୟାନନ୍ଦ ପଣ୍ଡା, ପବିତ୍ର ପାଣିଗ୍ରାହୀ, ବୀଣାପାଣି ପଣ୍ଡା, ସଞ୍ଜୟ ହାତୀ, ନବୀନ କୁମାର ପରିଡ଼ା, ପଞ୍ଚାନନ ମିଶ୍ର, ସ୍ବର୍ଗତ ଧରଣୀଧର ପାଣିଗ୍ରାହୀ, ବିଜୟ କୁମାର ମହାନ୍ତି, ସ୍ବର୍ଗତ ରବୀନ୍ଦ୍ର କୁମାର ବିଶ୍ବାଳ ଓ ମନୋଜ ମହାନ୍ତି ପ୍ରମୁଖଙ୍କୁ ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। ସେହିପରି ୨୦୧୬ ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ଦେବଦାସ ଛୋଟରାୟ, ଭଗବାନ ଜୟସିଂହ, ଫକୀର ସିଂହ, ପ୍ରସନ୍ନ କୁମାର ସ୍ବାଇଁ, ସୁରେନ୍ଦ୍ର ମହାରଣା, ପ୍ରଦୋଷ ପଟ୍ଟନାୟକ, ଶାରଦା ରଥ, ଦେବେନ୍ଦ୍ର ଚୌଧୁରୀ ଓ ମିଶ୍ର ସତ୍ୟନାରାୟଣଙ୍କୁ ପୁରସ୍କୃତ କରାଯାଇଛି।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ଏକାଡେମି ପୁରସ୍କାର ରାଶିକୁ ବୃଦ୍ଧି କରି ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଏହାଦ୍ବାରା ସାହିତ୍ୟିକମାନଙ୍କୁ ପ୍ରେରଣା ମିଳିବା ସହ ଭାଷା ସାହିତ୍ୟର ବିକାଶ ହୋଇପାରିବ। ଏଥିସହ ୨୦୨୧ ମାର୍ଚ୍ଚ ସୁଦ୍ଧା ବାକିଥିବା ସମସ୍ତ ପୁରସ୍କାର ପ୍ରଦାନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ବର୍ଷଠାରୁ ପ୍ରତିବର୍ଷ ପୁରସ୍କାର ପ୍ରଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସେ ଆଶ୍ବାସନା ଦେଇଛନ୍ତି। ଏକାଡେମିର ସଭାପତି କବି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଓ ଏକାଡେମିର ସଚିବ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୨୦୧୯ ମସିହା ପାଇଁ ବରିଷ୍ଠ ସାହିତ୍ୟିକ ମୀନକେତନ ପୁରୋହିତ, ଗୌରହରି ପଣ୍ଡା, ପଦ୍ମନାଭ ସାହୁ, ବିଭୂତି ଭୂଷଣ ପଟ୍ଟନାୟକ, ଇନ୍ଦୁଲତା ମହାନ୍ତି, ଶୈଳେନ୍ଦ୍ର କୁମାର ମହାପାତ୍ର, ନିରଞ୍ଜନ ପାଢ଼ୀ, ଶ୍ରୀକାନ୍ତ ଚରଣ ପାତ୍ର, କବିବର ପରିଡ଼ା, ତ୍ରିନାଥ ନାୟକ, ମନୀନ୍ଦ୍ର ମହାନ୍ତି, ରବି ମହାପାତ୍ର, ଶରତ କର, ବ୍ରଜ ଦାସ ଓ ଅଖିଳାନନ୍ଦ ବେବର୍ତା ପ୍ରମୁଖଙ୍କୁ ସାରସ୍ବତ ସମ୍ବର୍ଦ୍ଧନା କରାଯାଇଥିଲା। ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ୧ଲକ୍ଷ ଟଙ୍କାର ନଗଦ ଅର୍ଥ ପ୍ରଦାନ କରାଯାଇଥିଲା। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ବିକଶିତ ହେବ ‘ସଙ୍ଗୀତ ମାର୍ଗ’… ଅହରହ ଗୁଞ୍ଜରିତ ହେବ ସଙ୍ଗୀତ
ରବୀନ୍ଦ୍ର ମଣ୍ଡପଠାରୁ ୧୨୦ ବାଟାଲିଅନ୍‌ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିମି ରାସ୍ତାକୁ ‘ସଙ୍ଗୀତ ମାର୍ଗ’ ଭାବେ ବିକଶିତ କରାଯିବ। ଏଠାରେ ସଙ୍ଗୀତଜ୍ଞ ବାଳକୃଷ୍ଣ ଦାଶ ଓ ସିକନ୍ଦର ଆଲାମ୍‌ଙ୍କ ପ୍ରତିମୂର୍ତି ରହିଥିବା ବେଳେ ଏହି ମାର୍ଗରେ ଅହରହ ସଙ୍ଗୀତ ଗୁଞ୍ଜରିତ ହେବ। ଦିନ ହେଉ କି ରାତି; ରାଜଧାନୀବାସୀ ଏହି ମାର୍ଗ ଦେଇ ଗଲା ବେଳେ ସୁନ୍ଦର ସଙ୍ଗୀତର ଗୁଞ୍ଜରଣରେ ରୋମାଞ୍ଚିତ ହେବେ। ଏ ନେଇ ସଂସ୍କୃତି ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ ଦାସ। ଏଥିସହ ରାଜଧାନୀରେ ଆଉ ଦୁଇଟି ମାର୍ଗ ପ୍ରସ୍ତୁତ ହେବ। ‘ସାହିତ୍ୟ ମାର୍ଗ’ ଓ ‘ସଂସ୍କୃତି ମାର୍ଗ’। ସାହିତ୍ୟ ମାର୍ଗରେ ପୁସ୍ତକ ଦୋକାନ ସହ ‘ରିଡିଂ ହବ୍‌’ ରହିବ। ଓଡ଼ିଆ ସାହିତ୍ୟର ପ୍ରଚାରପ୍ରସାର ପାଇଁ ବିଭାଗ ପକ୍ଷରୁ ଏଭଳି ପ୍ରସ୍ତାବ ଦିଆଯାଇଛି। ଏଠାରେ ସମସ୍ତ ସାହିତ୍ୟିକଙ୍କ ପୁସ୍ତକ ଉପଲବ୍ଧ ହେବା ସହ ପାଠକମାନେ ଏଠାରେ ଯାଇ ପୁସ୍ତକ ପଢ଼ିପାରି‌ବେ। ‘ସଂସ୍କୃତି ମାର୍ଗ’କୁ ନେଇଁ ଏଯାଏ କିଛି ସ୍ପଷ୍ଟ ଚିତ୍ର ଆସି ନ ଥିଲେ ବି ଏଠାରେ ଓଡ଼ିଶାର ବିଭିନ୍ନ ସ୍ଥାନର କଳା, ସଂସ୍କୃତି ଓ ଚାଲିଚଳଣୀ ପ୍ରଦର୍ଶିତ ହେବ ବୋଲି ଅନୁମାନ କରାଯାଉଛି।

ସାମାଜିକ ଦୂରତାରେ ବସିଲେ ଦର୍ଶକ
କରୋନା ମହାମାରୀ ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଲା। ଏଥିପାଇଁ ବହୁ କଳାକାର ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ଡିସେମ୍ବରରେ ବି ପ୍ରେକ୍ଷାଳୟ ସବୁ ବନ୍ଦ ରହିବ ବୋଲି ଘୋଷଣା ହେଲା ପରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। କିନ୍ତୁ ଆଜି ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ସାରସ୍ବତ ସମ୍ବର୍ଦ୍ଧନା ଓ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ ଉତ୍ସବ କଳାକାରଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି। ଗୋଟିଏ ଲେଖାଏଁ ଧାଡ଼ି ଛାଡ଼ି ସାମାଜିକ ଦୂରତା ଅବଲମ୍ବନ କରାଯାଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଭଳି ଭାବେ ଆଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିଲେ କଳାକାରମାନେ ପୁଣି ନିଜ ବେଉସାକୁ ଫେରି ପାରନ୍ତେ ‌‌ବୋଲି ମତପ୍ରକାଶ ପାଇଛି। ଯଦି ଅଡିଟୋରିୟମ୍‌ରେ ସଭା ହୋଇପାରୁଛି, ତେବେ ଛୋଟ ଛୋଟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଅସୁବିଧା ନାହିଁ ବୋଲି ବହୁ ସଂସ୍କୃତିପ୍ରେମୀ ମତ ଦେଇଛନ୍ତି। ସଂସ୍କୃତି ବିଭାଗ ଏ ଦିଗରେ ଗୁରୁତର ସହ ଚିନ୍ତା କରି ରାଜ୍ୟର ସାଂସ୍କୃତିକ ଦୁନିଆକୁ ତୁରନ୍ତ ଚଳଚଞ୍ଚଳ କରିବା ସହ କଳାକାରମାନଙ୍କୁ ବୃତ୍ତି ଯୋଗାଉ ବୋଲି ମତପ୍ରକାଶ ପାଉଛି। ତେବେ ଆଜିର କାର୍ଯ୍ୟକ୍ରମରେ ପ୍ରବେଶ ଦ୍ବାରରେ କୌଣସି ସାନିଟାଇଜେସନ୍‌ ବା ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ନ ଥିଲା। ଏହାପ୍ରତି ବିଭାଗ ଅଧିକ ସଚେତନ ‌ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ବର୍ଦ୍ଧିତ ପୁରସ୍କାର ରାଶି ସମସ୍ତଙ୍କୁ ମିଳିଲା, ବୀଣାପାଣିଙ୍କୁ କାହିଁକି ନୁହେଁ?
ଗତ ମାର୍ଚ୍ଚ ମାସରେ ୨୦୧୯ ମସିହା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ପୁରସ୍କାର’ ପାଇଁ ବୀଣାପାଣି ମହାନ୍ତି ଓ ସମ୍ବର୍ଧନା ଲାଗି ୧୫ଜଣ ସାହିତ୍ୟିକଙ୍କ ନାମ ‌ଘୋଷଣା କରାଯାଇଥିଲା। ତେବେ କରୋନା ଯୋଗୁଁ ପୁରସ୍କାର ଉତ୍ସବ ଆୟୋଜନ ହୋଇପାରି ନ ଥିଲା। କିନ୍ତୁ ବୀଣାପାଣି ମହାନ୍ତି ଅସୁସ୍ଥ ଥିବାରୁ ଓ ବୟସାଧିକ ହେତୁ ତାଙ୍କୁ ଗତ ଜୁଲାଇ ମାସରେ ହିଁ ତାଙ୍କ ଘରେ ୧ ଲକ୍ଷ ଟଙ୍କାର ଅର୍ଥ ରାଶି ସହ ‘ଅତିବଡ଼ୀ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏହାପରେ ସେପ୍ଟେମ୍ବରରେ ଐତିହ୍ୟ କ୍ୟାବିନେଟ୍‌ରେ ସର୍ବୋଚ୍ଚ ପୁରସ୍କାର ରାଶି ୧ ଲକ୍ଷରୁ ୫ ଲକ୍ଷ, ଏକାଡେମି ପୁରସ୍କାର ୫୦ ହଜାରରୁ ୨ ଲକ୍ଷ ଏବଂ ସମ୍ବର୍ଧନା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଇ ଆଧାରରେ ଆଜି ଏକାଡେମି ଓ ସମ୍ବର୍ଧନାର ବର୍ଦ୍ଧିତ ରାଶି ପୁରସ୍କାର ସ୍ବରୂପ ପ୍ରଦାନ କରାଯାଇଛି। ଏପରିକି ୨୦୧୫-୧୬ ମସିହାର ଏକାଡେମି ପୁରସ୍କାର ରାଶି ମଧ୍ୟ ୨ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ଯଦିଓ ଐତିହ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ପୂର୍ବରୁ ବୀଣାପାଣି ମହାନ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି, ଏ ସବୁ ସତ୍ତ୍ବେ କାହିଁକି ତାଙ୍କୁ ବିଚାରକୁ ନିଆଯିବ ନାହିଁ ଓ ବର୍ଦ୍ଧିତ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ନାହିଁ ବୋଲି ସାହିତ୍ୟିକ ମହଲରେ ପ୍ରଶ୍ନ ଉଠିଛି। ତେବେ ବୀଣାପାଣି ମହାନ୍ତି ଏ ପର୍ଯ୍ୟନ୍ତ କୌଣସି ଆବେଦନ କରିନଥିବାରୁ ତାଙ୍କୁ ପୁରସ୍କାର ବାବଦରେ ବାକି ୪ ଲକ୍ଷ ଟଙ୍କା ଦିଆଯିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଏକାଡେମି ପକ୍ଷରୁ କୁହାଯାଇଛି। ନିଜ ସ୍ବାଭିମାନକୁ ଏଡ଼ାଇ ଦେଇ ସେ କୌଣସି ଆବେଦନ କରିବେ ନାହିଁ ବୋଲି ଶ୍ରୀମତୀ ମହାନ୍ତି ସ୍ପଷ୍ଟୋକ୍ତି ଦେଇଛନ୍ତି। ସେ କହିଛନ୍ତି, କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ଅତିବଡ଼ୀ ପୁରସ୍କାର ବାବଦକୁ ୫ଲକ୍ଷ ଟଙ୍କା ମୋର ପ୍ରାପ୍ୟ। ଏନେଇ ବିଭାଗ ଓ ଏକାଡେମି ସଚେତନ ହେବା ଉଚିତ। ମୁଁ ଆଗକୁ ଏନେଇ ଏକାଡେମିର ସଭାପତି ହରିହର ମିଶ୍ରଙ୍କ ସହ ଆଲୋଚନା କରିବି। କିନ୍ତୁ କୌଣସି ପ୍ରକାର ଲିଖିତ ଆବେଦନ କରିବି ନାହିଁ ବୋଲି ସେ ଅଭିମାନ କରି କହିଛନ୍ତି।

ସମ୍ବନ୍ଧିତ ଖବର