ଭୁବନେଶ୍ୱର: ସ୍ୱଚ୍ଛ ଭାରତ ମିସନ୍ ପକ୍ଷରୁ ହେଉଥିବା ସ୍ୱଚ୍ଛତା ସର୍ଭେରେ ଭଲ ର୍ୟାଙ୍କ୍ ପାଇବା ପାଇଁ ବିଏମ୍ସି ପକ୍ଷରୁ ରାସ୍ତା କଡ଼ରେ ଟ୍ଵିନ୍ ଡଷ୍ଟବିନ୍ ଲଗାଇ ଦିଆଗଲା। ଜାନୁଆରି, ୨୦୧୭ରୁ ରାଜଧାନୀର ରାସ୍ତା କଡ଼, ଗଳିକନ୍ଦି, ପ୍ରମୁଖ ଛକ ସ୍ଥାନରେ ୫୦ଲିଟର ବିଶିଷ୍ଟ ଦୁଇଟି ଲେଖାଏଁ ଡଷ୍ଟବିନ୍ ଲଗାଇ ଦିଆଗଲା। ଏଥିପାଇଁ ଜାଗୃତିକୁ ପ୍ରାୟ ୪୦ଲକ୍ଷ ଟଙ୍କା ଦିଆଗଲା। କୁହାଗଲା ଡଷ୍ଟବିନ୍ ଲଗାଇବ ଏବଂ ଏହାର ମରାମତି କରିବ। ମାସକ ମଧ୍ୟରେ ୧୫୦୦ଟି ସ୍ଥାନରେ ୩ହଜାର ଡଷ୍ଟବିନ୍ ଲାଗିଥିଲା। କିନ୍ତୁ ୨୦୧୮ ସ୍ୱଚ୍ଛ ସର୍ଭେକ୍ଷଣ ସରିଲା ବେଳକୁ ରାସ୍ତାରେ ଡଷ୍ଟବିନ୍ ନାହିଁ। ଯେଉଁଠି ଡଷ୍ଟବିନ୍ ଅଛି ତାହା ଭାଙ୍ଗିଯାଇଛି। ଏପରିକି ପ୍ରାୟ ହଜାରେ ସ୍ଥାନରେ ଡଷ୍ଟବିନ୍ ନଥିବା ଜାଣିବାକୁ ମିଳିଛି। ଏହାକୁ ନେଇ ତନାଘନା ହେବା ପରେ ଏବେ ଏହାର ତଦନ୍ତ ଦାୟିତ୍ୱ ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦିଆଯାଇଛି।
ଟ୍ଵିନ୍ ଡଷ୍ଟବିନ୍ ଲଗାଇବା ପଛର ଉଦ୍ଦେଶ୍ୟ ଥିଲା ଲୋକ ରାସ୍ତାରେ ଆବର୍ଜନା ନ ପକାଇ ଏହି ଡଷ୍ଟବିନ୍ରେ ପକାଇବେ। ବିଏମ୍ସି ପକ୍ଷରୁ କୁହାଗଲା ଲୋକ ଜୈବ ଓ ଅଜୈବ ଆବର୍ଜନାକୁ ପୃଥକ ପୃଥକ କରି ପକାଇବେ। ଏହାଦ୍ୱାରା ଆବର୍ଜନା ସଂଗ୍ରହ ସହଜ ହେବ ଏବଂ ଏହାକୁ ଠିକ୍ ଭାବେ ବିଶୋଧନ କରିହେବ। ଟ୍ଵିନ୍ ଡଷ୍ଟବିନ୍ରେ ଥିବା ସବୁଜ ରଙ୍ଗର ଡଷ୍ଟବିନ୍ରେ ବିଘଟନ ଯୋଗ୍ୟ ତଥା ଜୈବ ଆବର୍ଜନା, ଯଥା-ପଚା ଫଳ, ପନିପରିବା ଚୋପା, ରୋଷେଇ ବର୍ଜ୍ୟ ବସ୍ତୁ ପକାଇପାରିବେ। ଆଉ ନୀଳ ରଙ୍ଗର ଡଷ୍ଟବିନ୍ରେ ପୁନଃ ବ୍ୟବହାର ଯୋଗ୍ୟ ତଥା ଅଜୈବ ଆବର୍ଜନା ଯଥା-କାଚ, ରବର, ପଲିଥିନ୍ ଆଦି ପକାଇବେ। କିନ୍ତୁ ଏହା କେବଳ ନିୟମରେ ଅଛି। ଡଷ୍ଟବିନ୍ ତ ନାହିଁ ଲୋକ ଅଳିଆ ପକାଇବେ କେଉଁଠି। ମିଳିଥିବା ସୂଚନା ଅନୁଯାୟୀ, ଡଷ୍ଟବିନ୍ ଲଗାଇବା ସମୟରେ ସର୍ତ୍ତ ଥିଲା ଯେ, ଡଷ୍ଟବିନ୍ରୁ ଅଳିଆ ଗାଡ଼ିକି ଉଠାଇବା ସମୟରେ ହେଉ କି କୌଣସି କାରଣରୁ ଡଷ୍ଟବିନ୍ ଭାଙ୍ଗିଲେ ଏହାର ମରାମତି ହେବ। କିନ୍ତୁ ଡଷ୍ଟବିନ୍ ଲାଗିବା ପରେ ଏହାକୁ କେତେକ ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ଏନେଇ ମଧ୍ୟ ଘରୋଇ ସଂସ୍ଥା ପକ୍ଷରୁ ଖାରବେଳ ନଗର ଏବଂ ସହିଦ ନଗର ଥାନାରେ ଏଫ୍ଆଇଆର୍ ଦିଆଯାଇଛି। ପୁଲିସ ଏଫ୍ଆଇଆର୍ ରଖିବା ବଦଳରେ ଓଲଟି ପ୍ରଶ୍ନ କଲା ଥାନାରେ କ’ଣ ଅଭିଯୋଗ ଅଭାବ ଯେ, ଡଷ୍ଟବିନ୍ ଚୋରି ଅଭିଯୋଗ ରଖିବୁ। ଏହାପରେ ଘରୋଇ ସଂସ୍ଥା ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଜଣାଇଲା। କିନ୍ତୁ କର୍ତ୍ତୃପକ୍ଷ ପଦକ୍ଷେପ ନେଲେନି। ପୁଲିସ ବି ଡଷ୍ଟବିନ୍ ଏଫ୍ଆଇଆର୍ ରଖି କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ନଥିବାରୁ ଘରୋଇ ସଂସ୍ଥାର ଡଷ୍ଟବିନ୍ ଚୋରି ହେବା ପରେ ଆଉ ଥାନାରେ ଅଭିଯୋଗ କଲାନି। କେବଳ ଏତିକିରେ ସମସ୍ୟା ଦୂର ହେଲାନି। ଅଧିକାଂଶ ସ୍ଥାନରେ ଦୁର୍ବୃତ୍ତ ଡଷ୍ଟବିନ୍ରେ ନିଆଁ ଲଗାଇଦେଲେ। କିଏ ଜଳନ୍ତା ସିଗାରେଟ୍ ପକାଇ ନିଆଁ ଲଗାଇ ଦେଲେ ତ କିଏ ରାସ୍ତାରୋକ ବେଳେ ଜଳନ୍ତା ଟାୟାର ଆଣି ପକାଇଲେ। ଏମିତିରେ ଡଷ୍ଟବିନ୍ ନଷ୍ଟ ହେଲା। ଏପରିକି ବିିଭିନ୍ନ ବନ୍ଦ/ଆନ୍ଦୋଳନ ସମୟରେ ବିକ୍ଷୋଭକାରୀମାନେ ଡଷ୍ଟବିନ୍ ବାଡେଇ ଭାଙ୍ଗିଦେଲେ। ବିଏମ୍ସି କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଅଭିଯୋଗ ହେଲା। ତଥାପି କିଛି ଲାଭ ହେଲାନି।
ଯେତିକି ଡଷ୍ଟବିନ୍ ବଳିଥିଲା କିଛିଦିନ ହେଲା ହେଲା ରାଜଧାନୀରେ ଜୋରଦାର୍ କାମ ହେଉଥିବା ଭୂତଳ କେବୁଲିଂ ପାଇଁ ରାତାରାତି ଡଷ୍ଟବିନ୍ ଭାଙ୍ଗି ଦିଆଗଲା। ଜାଇକା, ଡ୍ରେନ୍ ଆଦି ମରାମତି ପାଇଁ ଏହି ଡଷ୍ଟବିନ୍ଗୁଡ଼ିକୁ ମନଇଚ୍ଛା ଉଠାଇ ଏଣେତେଣେ ଫିଙ୍ଗି ଦିଆଗଲା। କର୍ତ୍ତୃପକ୍ଷ ତଦାରଖ କରିବାରେ ବିଫଳ ହେବାରୁ ରାସ୍ତାରେ ଏବେ କେବଳ ୪୦୦ରୁ ୫୦୦ ଡଷ୍ଟବିନ୍ ଲାଗିଛି। କେତେକ ସ୍ଥାନରେ ଷ୍ଟାଣ୍ଡ ଅଛି କିନ୍ତୁ ଡଷ୍ଟବିନ୍ ନାହିଁ। ଟ୍ଵିନ୍ ଡଷ୍ଟବିନ୍ ଉଭାନ୍ ହେବା ପରେ ଗତ କାଉନସିଲ୍ ବୈଠକରେ କର୍ପୋରେଟର୍ମାନେ ହୋହଲ୍ଲା କରିଥିଲେ। ଏହାପରେ ଡଷ୍ଟବିନ୍ ସ୍ଥିତି ତଦନ୍ତ କରି ରିପୋର୍ଟ ଦେବାକୁ ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଜାଗୃତିକୁ ୩ହଜାର ଡଷ୍ଟବିନ୍ ଲଗାଇବାକୁ କୁହାଯାଇଥିଲା। ୩ହଜାର ଡଷ୍ଟବିନ୍ ମଧ୍ୟ ଲାଗିଥିଲା। ଏହାର ଜିଆଇଏସ୍ ସର୍ଭେ କରି ଅର୍ଥ ଦିଆଯାଇଥିଲା। କିନ୍ତୁ ଏବେ ଅଧିକାଂଶ ସ୍ଥାନରେ ଡଷ୍ଟବିନ୍ ନାହିଁ। ତେଣୁ ସାନିଟାରି ଇନ୍ସପେକ୍ଟରମାନଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।