ଭୁବନେଶ୍ୱର : ସ୍ୱଚ୍ଛ ଭାରତ ମିସନ୍‌ ପକ୍ଷରୁ ହେଉଥିବା ସ୍ୱଚ୍ଛତା ସର୍ଭେରେ ଭଲ ର‍୍ୟାଙ୍କ୍‌ ପାଇବା ପାଇଁ ବିଏମ୍‌ସି ପକ୍ଷରୁ ରାସ୍ତା କଡ଼ରେ ଟ୍ଵିନ୍‌ ଡଷ୍ଟବିନ୍‌ ଲଗାଇ ଦିଆଗଲା। ଉଦ୍ଦେଶ୍ୟ ଥିଲା ଲୋକ ରାସ୍ତାରେ ଆବର୍ଜନା ନ ପକାଇ ଏହି ଡଷ୍ଟବିନ୍‌ରେ ପକାଇବେ। କିନ୍ତୁ ଏବେ ଡଷ୍ଟବିନ୍‌ରେ କାଁ ଭାଁ ଆବର୍ଜନା ପଡ଼ୁଥିବାବେଳେ ପୂର୍ବଭଳି ରାସ୍ତାରେ ଆବର୍ଜନା ପଡ଼ୁଛି। ସ୍ଥିତି ଏପରି ଉପୁଜିଛି ଯେ, ବିଏମ୍‌ସିର ଟ୍ଵିନ୍‌ ଡଷ୍ଟବିନ୍‌ ଯୋଜନା ଫେଲ୍‌ ମାରିଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷଙ୍କର ଏନେଇ ନିଘା ନାହିଁ।

Advertisment

ସ୍ୱଚ୍ଛତା ସର୍ଭେ-୨୦୧୬ ପୂର୍ବରୁ ରାଜଧାନୀରେ ତରବରିଆ ଭାବେ ଟ୍ଵିନ୍‌ ଡଷ୍ଟବିନ୍‌ ଯୋଜନା ଆରମ୍ଭ ହୋଇଥିଲା। ଏଥିରେ ୧୮୦୦ଟି ସ୍ଥାନରେ ୩୬୦୦ଟି ଡଷ୍ଟବିନ୍‌ ଲାଗିଥିଲା। ବିଏମ୍‌ସି ପକ୍ଷରୁ କୁହାଗଲା ଲୋକ ଜୈବ ଓ ଅଜୈବ ଆବର୍ଜନାକୁ ପୃଥକ ପୃଥକ କରି ପକାଇବେ। ଏହାଦ୍ୱାରା ଆବର୍ଜନା ସଂଗ୍ରହ ସହଜ ହେବ ଏବଂ ଏହାକୁ ଠିକ୍‌ ଭାବେ ବିଶୋଧନ କରିହେବ। ଟ୍ଵିନ୍‌ ଡଷ୍ଟବିନ୍‌ରେ ଥିବା ସବୁଜ ରଙ୍ଗର ଡଷ୍ଟବିନ୍‌ରେ ବିଘଟନ ଯୋଗ୍ୟ ଆବର୍ଜନା ଯଥା ପଚା ଫଳ,ପନିପରିବା ଚୋପା, ରୋଷେଇ ବର୍ଜ୍ୟ ବସ୍ତୁ ପକାଇପାରିବେ। ଆଉ ନୀଳ ରଙ୍ଗର ଡଷ୍ଟବିନ୍‌ରେ ପୁନଃ ବ୍ୟବହାର ଯୋଗ୍ୟ ଆବର୍ଜନା ଯଥା କାଚ, ରବର, ପଲିଥିନ୍‌ ଆଦି ପକାଇବେ। କିନ୍ତୁ ଏହା କେବଳ ନିୟମରେ ଅଛି।

ରାଜଧାନୀର ବିଭିନ୍ନ ସ୍ଥାନରେ ଏହି ଟ୍ଵିନ୍‌ ଡଷ୍ଟବିନ୍‌ ଭାଙ୍ଗି ଯାଇଥିବାବେଳେ ଅଧିକାଂଶ ସ୍ଥାନରେ ଏହା ବ୍ୟବହାର ହେଉନି। ଆଉ କେତେକ ସ୍ଥାନରେ ଅଳିଆ ତଳେ ପଡ଼ୁଛି। ଏନେଇ ବମିଖାଲ ଅଞ୍ଚଳର ବାସିନ୍ଦା ପ୍ରଶାନ୍ତ ସାହୁ କହନ୍ତି, ଆମେ କେବଳ ଡଷ୍ଟବିନ୍‌ ଲାଗିଥିବା ଦେଖୁଛୁ। ଡଷ୍ଟବିନ୍‌ଗୁଡ଼ିକ ଏପରି ସ୍ଥାନରେ ଲାଗିଛି ଯେ, ସେଠାକୁ ଯାଇ ଅଳିଆ ପକାଇ ହେବନି। ତେଣୁ ବାହାରେ ପକାଉଛୁ। କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଆଲପ୍‌ ସାହୁଙ୍କ କହିବାନୁଯାୟୀ ଆମ ସ୍କୁଲ ସମ୍ମୁଖରେ ବହୁତ ଅଳିଆ ଏଣେତେଣେ ପଡ଼ୁଥିଲେ ହେଁ ଗୋଟିଏ ବି ଡଷ୍ଟବିନ୍‌ ନାହିଁ। ସ୍କୁଲ ପାଖରେ ଡଷ୍ଟବିନ୍‌ ଥିଲେ ଆମେ ବ୍ୟବହାର କରିପାରନ୍ତୁ।

ଏନେଇ ବିଏମ୍‌ସିର ସ୍ୱଚ୍ଛ ଭାରତ ସେଲ୍‌ର ଅଧିକାରୀ ତଥା ଲୋକସମ୍ପର୍କ ସହକାରୀ ଅଧିକାରୀ ଗୋପାଳ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହି ଟ୍ଵିନ୍‌ ଡଷ୍ଟବିନ୍‌ କମ୍‌ ଲୋକ ବ୍ୟବହାର କରୁଥିବା ଆମ ନଜରକୁ ଆସିଛି। ତେଣୁ କିପରି ଅଧିକରୁ ଅଧିକ ଲୋକ ଏହାକୁ ବ୍ୟବହାର କରିବେ ସେଥିପାଇଁ କେଉଁ ରଙ୍ଗର ଡଷ୍ଟବିନ୍‌ କେଉଁଥିପାଇଁ ବ୍ୟବହାର ହେବ ଲୋକଙ୍କୁ ସଚେତନ କରାଯିବ। ଆବଶ୍ୟକ ସ୍ଥାନରେ ଏହାକୁ ଲଗାଯିବ।

ଡିସେମ୍ବର ମାସ ପ୍ରଥମ ସପ୍ତାହରେ ସ୍ୱଚ୍ଛ ଭାରତ ମିସନ୍‌କୁ ନେଇ ଏକ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଜନସଚେତନତା ପାଇଁ ରେଡିଓ ଜିଙ୍ଗିଲ୍‌ ସହ ସ୍ୱଚ୍ଛତାର ଭିତ୍ତିଭୂମି ପାଇଁ ଏକ ଭିଡିଓ ମଧ୍ୟ ତିଆରି ହୋଇଛି। ପ୍ରତି ଅଞ୍ଚଳର ଗୋଷ୍ଠୀ ମୁଖ୍ୟ, ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ବିଏମ୍‌ସି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।