ଚାକିରି ନାଁ’ରେ ଅଢ଼େଇ ଲକ୍ଷ ଠକେଇ: ନକଲି ଚେକ୍ ଦେଇ ଠକିଦେଲା ଧୂର୍ତ୍ତ

ଭୁବନେଶ୍ବର: ଚାକିରି କରାଇବାକୁ ପ୍ରତିଶ୍ରୁତି ଦେଇ ଜଣେ ଧୂର୍ତ୍ତ ମହିଳାଙ୍କ ସମେତ ଏକାଧିକ ଆଶାୟୀଙ୍କୁ ଲକ୍ଷଲକ୍ଷ ଟଙ୍କା ଚୁନ ଲଗାଇଛି। ଏନେଇ ଆଜି ମହିଳାଙ୍କ ସମେତ ୨ଜଣ ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗକାରୀ ରିତେଶ ରଂଜନ ସାହୁଙ୍କ ଗତ କିଛିମାସ ତଳେ ନୂଆପଲ୍ଲୀ ଆଇଆର୍‌ସି ଭିଲେଜସ୍ଥିତ ଏନ୍-୨ରେ ରହୁଥିବା ପ୍ରିୟରଂଜନ ସ୍ବାଇଁଙ୍କୁ ଭେଟିଥିଲେ। ପ୍ରିୟ ତାଙ୍କୁ ଚାକିରି କରାଇଦେବ କହି କିଛି ଟଙ୍କା ଦାବି କରିଥିଲା। ପ୍ରିୟ କଥାରେ ବିଶ୍ବାସ କରି ରିତେଶ ତାଙ୍କୁ ୨ଟି ପର୍ଯ୍ୟାୟରେ ଲକ୍ଷେ ୬୦ହଜାର ଟଙ୍କା ଦେଇଥିଲେ।

ଟଙ୍କା ନେବା ପରେ ପ୍ରିୟ ତାଙ୍କୁ ବରିଷ୍ଠ ଅଧିକାରୀଙ୍କ ସହ ଦେଖା କରାଇଦେବ କହି ସମୟ ଗଡ଼ାଇ ଚାଲିଥିଲେ। ଏହିଭଳି ପ୍ରାୟ ୬ରୁ ୭ମାସ ଗଡ଼ାଇବା ପରେ ଅଭିଯୋଗକାରୀ ରିତେଶ ତାଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ପରେ ପ୍ରିୟ ତାଙ୍କୁ ଏକ ଏସ୍‌ବିଆଇ ଚେକ୍ ଦେଇ ଟଙ୍କା ଫେରସ୍ତ ହୋଇଗଲା କହିଥିଲେ। ମାତ୍ର ରିତେଶ ଏସ୍‌ବିଆଇର ଚେକ୍ ଯାଞ୍ଚ୍ କରିବାରୁ ସେଇଟା ମଧ୍ୟ ନକଲି ବାହାରିଥିଲା। ତେଣୁ ରିତେଶ ଆଜି ନୂଆପଲ୍ଲୀ ଥାନାରେ ଠକେଇ ଅଭିଯୋଗ କରିଥିବା ଜଣାପଡ଼ିଛି। ସେହିଭଳି ସମାନ ଢଙ୍ଗରେ ଆଉ ଜଣେ ଯୁବକଙ୍କୁ ଆମାଜନ୍‌ରେ ଚାକିରି ଦେବାକୁ କହି ଧୂର୍ତ୍ତ ପ୍ରାୟ ଲକ୍ଷେ ଟଙ୍କା ଠକିନେଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ଏହି ଧୂର୍ତ୍ତ ଏହିଭଳି ମାଳମାଳ ବେକାର ଯୁବକ ଯୁବତୀଙ୍କୁ ଚାକିରି ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଛି। ଆଗାମୀ ଦିନରେ ଠକେଇ ମାମଲା ବଢ଼ିବ ବୋଲି ପୁଲିସ ଅନୁମାନ କରିଛି।

ସମ୍ବନ୍ଧିତ ଖବର