ଡିଜେ ପାଇଁ ରାସ୍ତା ଅବରୋଧ, ଦୁଇ ଗିରଫ

ମହିଳାଙ୍କୁ ଦୁର୍ବ୍ୟବହାର, ଜେଲ୍‌ ଗଲେ ଦୁଇ ଯୁବକ, ନାବାଳିକାକୁ ଅପହରଣ ଅଭିଯୋଗରେ ଜଣେ ଗିରଫ

ବାରଙ୍ଗ : ଗଣେଶ ଭଷାଣିରେ ଡିଜେ ବଜାଇବାକୁ ବାରଣ କରିବାରୁ ରାସ୍ତାରେ ଗଛ ପକାଇ ଅବରୋଧ କରିବା ଘଟଣାରେ ଚନ୍ଦକା ଥନା ପୁଲିସ ବାରମାଣ ଗ୍ରାମର ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଓ ଅନ୍ୟ ୫ ଜଣ ଫେରାର ଅଛନ୍ତି। ପୁଲିସ ଗିରଫ କରିଥିବା ଯୁବକ ହେଲେ ଫରେନ୍ଦ୍ର ନାଏକ ଓ ଗୋପୀ ମୁଣ୍ତା। ଏମାନେ ଗଣେଶ ମୂର୍ତ୍ତି ବିସର୍ଜନ ଲାଗି ଗତକାଲି ରାତିରେ ଡିଜେ ବଜାଇ ଶୋଭାଯାତ୍ର ଆରମ୍ଭ କରୁଥିବା ବେଳେ ଚନ୍ଦକା ଥାନା ପୁଲିସ ପହଞ୍ଚି ବାରଣ କରିଥିଲା। ଯୁବକ ମାନେ ଡିଜେ ନ ବଜାଇ ରହିଯାଇଥିଲେ। ଏହାକୁ କେନ୍ଦ୍ର କରି ସେମାନେ ରାସ୍ତା ଅବରୋଧ କରିଥିବା ସୂଚନା ପାଇ ପୁଲିସ ସେମାନଙ୍କୁ ଗିରଫ କରିଥିଲା।

ମହିଳାଙ୍କୁ ଦୁର୍ବ୍ୟବହାର, ଜେଲ୍‌ ଗଲେ ଦୁଇ ଯୁବକ

ବାଲିଅନ୍ତା : ବାଲିଅନ୍ତା ଥାନା ପୁଲିସ ଗଣ୍ଡଗୋଳ ଓ ଅସଦାଚରଣ ମାମଲାରେ ସ୍ଥାନୀୟ ଟଙ୍କପାଣି ଗ୍ରାମର ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ଦ୍ବୟ ହେଲେ ମନୋଜ ସାହୁ (୧୮) ଓ ବିଦ୍ୟାଧର ସାହୁ (୧୯)। ଜାମିନ ନାମଂଜୁର ହୋଇଯିବାରୁ ଦୁହିଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ମନୋଜ ଓ ବିଦ୍ୟାଧରଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଗ୍ରାମର ଦୁଇଜଣ ମହିଳା ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ସଂପୃକ୍ତ ମହିଳା ଦ୍ବୟଙ୍କ ଅଭିଯୋଗ ଆଧାରରେ ଥାନାରେ କେସ୍‌ ନଂ. ୨୨୧/୧୯ରେ ମାମଲା ରୁଜୁ ହୋଇଛି। ପୁଲିସ ସୂଚନାନୁଯାୟୀ ଗତକାଲି ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ନେଇ ଶୋଭାଯାତ୍ରା ଯାଉଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଯୁବକମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ମାଡ଼ ମାରିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି।

ନାବାଳିକାକୁ ଅପହରଣ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ବର : ଜଣେ ୧୬ବର୍ଷର ନାବାଳିକାକୁ ଅପହରଣ କରିବା ନେଇ ଏୟାରପୋର୍ଟ ଥାନା ପୁଲିସ ଆଜି ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ସେହି ଥାନା ଅଧୀନ କାରଗିଲ ବସ୍ତିର ଶଙ୍କର ଦାସ(୨୦)। ପୁଲିସ ସୂଚନା ଅନୁଯାୟୀ ଏୟାର ପୋର୍ଟ ଥାନା ଅଞ୍ଚଳରେ ରହୁଥିବା ଜଣେ ନାବାଳିକାକୁ ଶଙ୍କର ଗତ ମଇ ମାସରେ ଅପହରଣ କରିଥିଲା। ୩ଦିନ ପରେ ସେ ନାବାଳିକାକୁ ଛାଡ଼ି ବେଙ୍ଗାଲୁରୁ ପଳାଇଥିଲା। ଏନେଇ ନାବାଳିକା ଓ ତା’ ମା’ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର