ଭଡ଼ା ଦେଲେନି, ଘର ମାଲିକଙ୍କୁ ପିଟିଲେ ମାଉସୀ, ପୁତୁରା ଗିରଫ

ଭୁବନେଶ୍ୱର : ଘର ଭଡ଼ା ମାଗିବାରୁ ଘର ମାଲିକ ଓ ତାଙ୍କ ଓକିଲଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଆଜି ଭରତପୁର ଥାନା ପୁଲିସ ଅଭିଯୁକ୍ତ ମାଉସୀ ଓ ପୁତୁରାକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ମାଉସୀ ଭାନୁ ଓ ତାଙ୍କ ପୁତୁରା ରାଜକୁମାର ବାରିକ। ଭଡ଼ାଟିଆଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିବା ଘର ମାଲିକ ହେଲେ ଆୟୁର୍ବେଦିକ ଡାକ୍ତର ପି ଉମାଶଙ୍କର। ଏହି ମାମଲାରେ ଅଭିଯୁକ୍ତଙ୍କ ଅନ୍ୟ କେତେକ ସମ୍ପର୍କୀୟ ସମ୍ପୃକ୍ତ ଥିବାରୁ ପୁଲିସ ସେମାନଙ୍କୁ ମଧ୍ୟ ଗିରଫ କରିବ ବୋଲି ସୂଚନା ମିଳିଛି।

ଅଭିଯୋଗ ମୁତାବକ ଫୁଲବାଣୀର ରାଜକୁମାର ବାରିକ, ତାଙ୍କ ବାପା ଓ ମାଉସୀ ଭାନୁ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିରେ ଆୟୁର୍ବେଦିକ ଡାକ୍ତର ପି. ଉମାଶଙ୍କର ଘରକୁ ଭଡ଼ା ସୂତ୍ରରେ ନେଇଥିଲେ। ପ୍ରଥମେ କିଛି ମାସ ଠିକ୍‌ରେ ଭଡ଼ା ଦେଇଥିଲେ ହେଁ ପରେ ଭଡ଼ା ନ ଦେବା ପାଇଁ ବିଭିନ୍ନ ବାହାନା ଖୋଜିଥିଲେ। ବିଭିନ୍ନ କାରଣ ଦର୍ଶାଇ ମାସ ମାସ କାଳ ଭଡ଼ା ଦେଲେନାହିଁ। ଉମାଶଙ୍କର ଭଡ଼ା ଟଙ୍କା ମାଗି ମାଗି ହତାଶ ହେବା ପରେ ବାଧ୍ୟ ହୋଇ ଜଣେ ଓକିଲଙ୍କ ସାହାଯ୍ୟ ଲୋଡ଼ିଥିଲେ। ଗତକାଲି ଡାକ୍ତର ଉମାଶଙ୍କର ଓକିଲ ସୁରଜ ପ୍ରଧାନଙ୍କ ସହ ସେଠାକୁ ଯାଇ ଭାନୁ ଓ ରାଜକୁ ଘର ଛାଡ଼ିବାକୁ କହିଥିଲେ। ତୁରନ୍ତ ଘର ନ ଛାଡ଼ିଲେ, ସେ କୋର୍ଟର ଆଶ୍ରୟ ନେ‌ବେ ବୋଲି ଧମକ ଦେଇଥିଲେ। ଏତିକିରେ ମାଉସୀ ଓ ପୁତୁରାଙ୍କ ରାଗ ପଞ୍ଚମକୁ ଉଠି ଯାଇଥିଲା। ସେମାନଙ୍କଠାରୁ ଖବର ପାଇ କିଛି ସମ୍ପର୍କୀୟ ସେଠାରେ ପହଞ୍ଚି ଯାଇଥିଲେ। ସେମାନେ ଏକାଠି ହେବା ପରେ ହଠାତ୍ ଡାକ୍ତର ଓ ତାଙ୍କ ଓକିଲଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ଡାକ୍ତର ଉମାଶଙ୍କର ଆହତ ହୋଇଥିଲେ। ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଭାନୁ ଓ ରାଜକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର