କମ୍ପାନି ଚାକିରି ନାଁରେ କୋଟିଏ ଟଙ୍କା ଚଳୁ : ୨ ଗିରଫ, ମାଷ୍ଟର ମାଇଣ୍ଡର ପତ୍ତା ମିଳିନି

ଖଣ୍ଡଗିରି : ଏକ ପ୍ରତିଷ୍ଠିତ କମ୍ପାନିରେ ଚାକିରି କରାଇ ଦେବାକୁ କହି ଶତାଧିକ ବେକାର ଯୁବକଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିବା ଏକ ବଡ଼ ଠକ ଗ୍ୟାଙ୍ଗ୍‌ର ଦୁଇଜଣଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ଡୁମୁଡୁମା ଫେଜ୍-୪ରେ ରହୁଥିବା ସୌଭାଗ୍ୟ କୁମାର ଦାସ(୩୬) ଓ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ରହୁଥିବା ଜିଜ୍ଞାସୁ ରଂଜନ ଦାଶ(୨୯)। ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ୨ଜଣଙ୍କ ପତ୍ତା ମିଳି ପାରିନାହିଁ।

ସୂଚନାନୁସାରେ, ସ୍ଥାନୀୟ ପଞ୍ଚସଖାନଗରରେ ରହୁଥିବା କୃଷ୍ଣଚନ୍ଦ୍ର ରଥ ଗତ ଫେବ୍ରୁଆରିରେ ତାଙ୍କ ଷ୍ଟାବଲାଇଜର୍‌ ମରାମତି ପାଇଁ ଜିଜ୍ଞାସୁକୁ ଘରକୁ ଡକାଇଥି‌ଲେ। ମରାମତି ଅବସରରେ ଜିଜ୍ଞାସୁ ଶ୍ରୀ ରଥଙ୍କ ପୁଅ ଅନିଷ ବେକାର ଥିବା ଜାଣିବାକୁ ପାଇବା ପରେ ତାଙ୍କୁ ଏକ ପ୍ରତିଷ୍ଠିତ କମ୍ପାନିରେ ଚାକିରି କରାଇଦେବାକୁ କହିଥିଲା। ଉକ୍ତ କମ୍ପାନିର ଏଚ୍‌ଆର୍ ରାମନାଥ ମହାନ୍ତି ଓ ଉପଦେଷ୍ଟା ସୁରେଶ ମିଶ୍ରଙ୍କ ସହ ତାଙ୍କର ସହ ଭଲ ଭାବେ ପରିଚୟ ଅଛି ବୋଲି ସେ କହିଥିଲା। ତା’ କଥାରେ ବିଶ୍ବାସ କରି ଶ୍ରୀ ରଥ ଉଭୟ ରାମନାଥ ଓ ସୁରେଶଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ। ଚାକିରି ପାଇଁ ସେମାନେ ୩ ଲକ୍ଷ ଟଙ୍କା ଦାବି କରିବାରୁ ଶ୍ରୀ ରଥ ଅଭିଯୁକ୍ତ ସୌଭ‌ାଗ୍ୟ ଆକାଉଣ୍ଟରେ ୩ ଲକ୍ଷ ଟଙ୍କା ଜମା କରିଥିଲେ। କିନ୍ତୁ ଟଙ୍କା ପାଇବା ପରେ ରାମନାଥ କିମ୍ବା ସୁରେଶଙ୍କର ଦେଖାଦର୍ଶନ ମିଳି ନଥିଲା। ଫୋନ୍‌ କଲେ, ସେମାନେ ପାଲଟା ଧମକ ଦେଇଥିଲେ। ଶ୍ରୀ ରଥ ଏ ନେଇ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଅଭିଯୁକ୍ତମାନଙ୍କ ଫୋନ୍‌ ଟ୍ରାକିଂ କରି ବୁଧବାର ରାତିରେ ଜିଜ୍ଞାସୁକୁ ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଉଠାଇଥିଲା। ପରେ ପରେ ଡୁମୁଡୁମାରୁ ସୌଭାଗ୍ୟକୁ ପୁଲିସ ଗିରଫ କରିଥିଲା।

ପୁଲିସ ସୂଚନାନୁସାରେ ଏହି ଗ୍ୟାଙ୍ଗ୍‌ରେ ରାମନାଥ ଓ ସୁରେଶ ବୋଲି ଯେଉଁ ଦୁଇ ଅଭିଯୁକ୍ତଙ୍କ ନାମ ଉଠିଛି, ସେମାନଙ୍କ ବାବଦରେ ଖୋଳତାଡ଼ ଚାଲିଛି। ତଦନ୍ତ ସରିବା ପରେ ପ୍ରକୃତ ସତ ଜଣାପଡ଼ିବ। ତେବେ ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ଏହି ରୢାକେଟ୍‌ ପ୍ରାୟ ୧୦୦ଜଣ ବେକାର ଯୁବକଙ୍କୁ ଏଭଳି ଶିକାର କରି ପ୍ରାୟ ଏକ କୋଟିରୁ ଅଧିକ ଟଙ୍କା ଚଳୁ କରିଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର