ଆଇଏଏସ୍‌ଙ୍କ ଘରୁ ଲୁଟ୍‌ ଘଟଣା : ସନ୍ଦେହରେ ୨ ଅଟକ

ଲୁଟେରା ଗିରଫ: ଟଙ୍କା, ମୋବାଇଲ୍‌ ଜବତ; ବିଟ୍‌ କଏନ୍‌ ଆପ୍‌ରେ ଠକେଇ, ଯୁବକ ଗିରଫ

ଭୁବନେଶ୍ବର : ନୂଆପଲ୍ଲୀ ଥାନା ଅଧୀନ ଓୟୁଏଟି ଗେଷ୍ଟହାଉସ୍‌ ନିକଟସ୍ଥ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶକ ରେଘୁଜୀଙ୍କ ଘର ତାଲା ଭାଙ୍ଗି ଲୁଟ୍‌ ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ୨ଜଣଙ୍କୁ ଅଟକ ରଖିଛି। ତେବେ ପୁଲିସ ଆଜି ୭ଜଣଙ୍କୁ ଆଣି ଘଣ୍ଟା ଘଣ୍ଟା ଧରି ଜେରା କରିଥିଲା। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କାରିଥିଲା। ପଚରାଉଚରା ବେଳେ ୨ଜଣଙ୍କ କଥାବାର୍ତ୍ତାରେ ତାଳମେଳ ନ ରହିବାରୁ ପୁଲିସ ସେମାନଙ୍କୁ ଅଟକ ରଖିଛି। ଯେଉଁ ଦୁଇଜଣଙ୍କୁ ପୁଲିସ ଅଟକ ରଖିଛି, ସେମାନେ ଏଥିରେ ସମ୍ପୃକ୍ତ ଥିବା ନେଇ ସନ୍ଦେହ କରିଛି। ଅନ୍ୟ ୫ଜଣଙ୍କୁ ପୁଲିସ ଛାଡ଼ିଦେଇଛି।‌

ପ୍ରକାଶଥାଉ କି, କିଛି ଦିନ ତଳେ ଏହି କ୍ବାର୍ଟର(୪ଆର/୧୦) ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶକ ରେଘୁଜୀଙ୍କୁ ମିଳିଥିଲା। ଘରର ସମ୍ପୂର୍ଣ୍ଣ କାମ ସରିନଥିବାରୁ କିଛି କିଛି ଜିନିଷପତ୍ର ଆଣି ଘରେ ରଖିଥିଲେ। ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟା ବେଳକୁ ସେ ଘରକୁ ଫେରିବା ବେଳକୁ ତାଙ୍କ ଘର ତାଲା ଭଙ୍ଗାଯିବା ସହ ଘରୁ ୨ଟି ଲାପଟପ୍‌, ୨ ଘଣ୍ଟା ଓ କେତେକ ଇଲୋକ୍‌ଟ୍ରନିକ୍ସ ଜିନିଷପତ୍ର ଚୋରି ହୋଇଥିଲା।

ଲୁଟେରା ଗିରଫ: ଟଙ୍କା, ମୋବାଇଲ୍‌ ଜବତ

ଭୁବନେଶ୍ବର : ରେଳବାଇ ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିଛି। ପୁଲିସ ତା’ଠାରୁ ୬ହଜାର ଟଙ୍କା, ମୋବାଇଲ୍‌ ଓ ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ କାର୍ଡ ଜବତ କରିଛି। ସେ ହେଲା, ଜଗତସିଂହପୁର ଜିଲ୍ଲା ବିରିଡ଼ି ଅଞ୍ଚଳର ଧନେଶ୍ବର ମହାନ୍ତି(୨୨)। ପୁଲିସ ସୂଚନା ମୁତାବକ, ଶନିବାର ରାତି ପ୍ରାୟ ସାଢ଼େ ୧ଟାରେ ଉପେନ୍ଦ୍ର ସ୍ବାଇଁ ନାମକ ଜଣେ ଯାତ୍ରୀ ରେଢ଼ାଖୋଲ ଯିବା ପାଇଁ ଭୁବନେଶ୍ୱର ଷ୍ଟେସନ୍‌ରେ ପହଞ୍ଚିଥିଲେ। ରବିବାର ସକାଳ ସାଢ଼େ ୬ଟା‌ରେ ଭୁବନେଶ୍ବର-ବଲାଙ୍ଗୀର ଏକ୍ସପ୍ରେସ୍‌ରେ ଯାଇଥାଆନ୍ତେ। ସେ ଷ୍ଟେସନ୍‌ରେ ବିଶ୍ରାମ ନେଉଥିବା ବେଳେ ଧନେଶ୍ବର ତାଙ୍କ ବ୍ୟାଗ୍‌ ଓ ପର୍ସ ଚୋରି କରି ନେଇଥିଲା। ଧନେଶ୍ବର ଉଠିବା ବେଳକୁ ବ୍ୟାଗ୍‌ ଚୋରି ହୋଇଥିବା ଜାଣିବା ପରେ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା। ତଦନ୍ତ ବେଳେ ଧନେଶ୍ବର ଚୋରି କରିଥିବା ଜଣାପଡ଼ିବା ପରେ ପୁଲିସ ତାକୁ ଗିରଫ କରିଥିଲା।

ବିଟ୍‌ କଏନ୍‌ ଆପ୍‌ରେ ଠକେଇ, ଯୁବକ ଗିରଫ

ଜଟଣୀ : ବିଟ୍‌-କଏନ୍‌ ଆପ୍‌ ଜରିଆରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ଯୁବକଙ୍କୁ ଜଟଣୀ ପୁଲିସ ଗିରଫ କରିଛି। ଜଟଣୀ ଥାନା ସୂତ୍ରରୁ ପ୍ରକାଶ ଯେ ଜଟଣୀ ବେଲପଡ଼ା ଗ୍ରାମର ମନୋରଞ୍ଜନ ବିଶ୍ବାଳ(୩୦) ବିଟ୍ କଏନ୍‌ ଆପ୍‌ ଜରିଆରେ ଟଙ୍କା ବିନିଯୋଗ କଲେ ଅଧିକ ଲାଭ ମିଳିବ ବୋଲି ‌ସ୍ଥାନୀୟ ଅଞ୍ଚଳର କେତେକ ଲୋକଙ୍କୁ କହିଥିଲେ। ଏହିପରି ଭାବେ ଶ୍ରୀ ବିଶ୍ବାଳ ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କଠାରୁ ପ୍ରାୟ ୧୫ଲକ୍ଷ ଟଙ୍କା ଠକି ନେବା ପରେ ଆପ୍‌ଟିକୁ ବନ୍ଦ କରି ଦେଇଥିଲେ। ଲୋକେ ଠକାମିରେ ପଡ଼ିଥିବା ଜାଣିବା ପରେ ଏନେଇ କ୍ରାଇମ୍‌ ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ମଧ୍ୟ ମାମଲାର ତଦନ୍ତ କରୁଛି। ଅପରପକ୍ଷେ ଶ୍ରୀ ବିଶ୍ବାଳଙ୍କୁ ଦେଖି ଠକାମିର ଶିକାର ହୋଇଥିବା ବଡ଼ତୋଟା ଗ୍ରାମର ବିଜୟ ପ୍ରଧାନ ତାଙ୍କୁ ଅଟକାଇ ତାଙ୍କୁ ପୁଲିସର ଜିମା ଦେଇଛନ୍ତି। ଜଟଣୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର