ବନ୍ଧୁକ ବେପାରରେ ଉଚ୍ଚ ଶିକ୍ଷିତ : ବିବିଏ ଛାତ୍ର ସହ ଅନ୍ୟ ଜଣେ ଗିରଫ

ଭୁବନେଶ୍ବର : ରାଜଧାନୀରେ ବନ୍ଧୁକ କାରବାର ସମ୍ପର୍କ‌ରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌କୁ ଏକ ବଡ଼ ସଫଳତା ମିଳିଛି। ଦୁଇଜଣ ବନ୍ଧୁକ ବେପାରୀଙ୍କୁ ଏସ୍‌ଟିଏଫ୍‌ ଗିରଫ କରିବା ସହ ସେମାନଙ୍କ ଠାରୁ ୭.୬୫ ଏମ୍‌ଏମ୍‌ର ୩ଟି ଅତ୍ୟାଧୁନିକ ସ୍ବୟଂଚାଳିତ ବନ୍ଧୁକ, ୨୨ଟି ଜୀବନ୍ତ ଗୁଳି ଓ ୫ଟି ମାଗାଜିନ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲା ଜଗନ୍ନାଥପୁର ଜୟନ୍ତଗଡ଼ର ସାନୁ ପୋଦ୍ଦାର ଓ ଆଇଟିଆର କଲେଜ୍‌ ନିକଟ ଲେକ୍‌ ଭ୍ୟାଲି-୨ରେ ରହୁଥିବା ଗଞ୍ଜାମର ସୁରେଶ କୁମାର ପାଣିଗ୍ରାହୀ ଓରଫ୍ ଲିପୁନ୍‌। ରବିବାର ବିଳମ୍ବିତ ରାତିରେ ଉଭୟଙ୍କୁ ଗିରଫ କରିବା ପରେ ସୋମବାର ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରାଯାଇଛି। ଜାମିନ୍‌ ନାମଞ୍ଜୁର ହେବା ପରେ ସେମାନଙ୍କୁ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଛି। ସେମାନେ ଏକ ସଂଗଠନ ସହ ସମ୍ପର୍କରେ ରହିଥିଲେ ଏବଂ ମାଓବାଦୀଙ୍କୁ ବନ୍ଧୁକ ଯୋଗାଉ ଥିଲେ ବୋଲି ଚର୍ଚ୍ଚା ହେଉଛି। ତେବେ ତଦନ୍ତ ଚାଲିଥିବାରୁ ଏ ସମ୍ବନ୍ଧରେ ଅଧିକ କିଛି କହିବା ପାଇଁ ଏସ୍‌ଟିଏଫ୍‌ ଚାହିନାହିଁ। ଖୋର୍ଦ୍ଧାରେ ବେଆଇନ ଖଣି କାରବାରରେ ସାମିଲ ଥିବା ମାଫିଆମାନଙ୍କୁ ବନ୍ଧୁକ ଯୋଗାଇବା ସହ ପୁରୀ, କଟକ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର ପ୍ରଭୃତି ଅଂଚଳକୁ ବନ୍ଧୁକ ଯୋଗାଉଥିଲେ। ଏମାନଙ୍କ ଠାରୁ ଆହୁରି ଅନେକ ତଥ୍ୟ ମିଳିବାକୁ ଥିବାରୁ ସେମାନଙ୍କୁ ୫ ଦିନ ରିମାଣ୍ଡରେ ଆଣିବା ପାଇଁ ଏସ୍‌ଟିଏଫ୍‌ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଛି।

୭ ଫେରାର
ଆଇଟିଆର୍‌ କଲେଜ୍‌ ନିକଟରେ ଲିପୁନ୍‌ ଘର ରହିଛି। ଏଠାରେ ଲିପୁନ୍‌ ବାପାଙ୍କର ଏକ ମେଡିସିନ୍‌ ଷ୍ଟୋର ରହିଛି। ଏମାନେ ଗଞ୍ଜାମର ହୋଇଥିଲେ ମଧ୍ୟ ଦୀର୍ଘ ଦିନ ହେବ ଏଠାରେ ରହିଆସୁଛନ୍ତି। ଝାଡ଼ଖଣ୍ଡର ସାନୁ ଲିପୁନ୍‌ ଘରେ ଭଡ଼ାରେ ରହୁଥିଲା। ଲିପୁନ୍‌ ଏନ୍‌ଆଇସି(ନାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ କମ୍ପ୍ୟୁଟର ସାଇନ୍ସ)ରୁ ପାସ୍‌ କରିଥିବା ବେଳେ ସାନୁ ଏବେ ବିବିଏ ଶେଷ ବର୍ଷର ଛାତ୍ର। ସାନୁର ଘର ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ। ସେ ବିହାରର ମୁଙ୍ଗେର ଅଞ୍ଚଳରୁ ବନ୍ଧୁକ ଆଣୁଥିଲା। ଲିପୁନ୍‌ ଏଠାରେ ଗ୍ରାହକମାନଙ୍କୁ ଯୋଗାଡ଼ କରୁଥିଲା। ଗ୍ରାହକ ଯୋଗାଡ଼ ହେବା ପରେ ବନ୍ଧୁକ ଆସୁଥିଲା। ଗତ ରାତିରେ ଏମାନେ ଗଣ୍ଡମୁଣ୍ଡାରେ ଜଣେ ଖଣି ମାଫିଆକୁ ବନ୍ଧୁକ ବିକ୍ରି କରିବା ପାଇଁ ଆଣିଥିଲେ। ଗଣ୍ଡମୁଣ୍ଡା ଛକରେ ଏହ‌ି ବେପାର ହେଉଥିଲା। ଏସ୍‌ଟିଏଫ୍‌ ସୂଚନା ପାଇ ଘଟଣାସ୍ଥଳରୁ ଉଭୟଙ୍କୁ ମାଡ଼ି ବସିଥିଲା। ଅନ୍ୟ ୫ ଜଣ ଏକ ସ୍କର୍ପିଓରେ ଫେରାର ହୋଇଯାଇଥିବା ବେଳେ ଦୁଇଜଣ ଦଲାଲ ଏକ କେଟିଏମ୍‌ ବାଇକ୍‌ ଓ ସ୍କୁଟି ଯୋଗେ ଫେରାର ହୋଇ ଯାଇଥିଲେ। ଏମାନଙ୍କୁ ଚିହ୍ନଟ କରିବା ପାଇଁ ଏସ୍‌ଟିଏଫ୍‌ ସିସିଟିଭି ଫୁଟେଜ୍‌ ସହ ଏହି ଅଞ୍ଚଳରେ ସକ୍ରିୟ ଥିବା ମୋ‌ବାଇଲ୍‌ ଫୋନ୍‌ ଯାଞ୍ଚ କରୁଛି।

ଦାମୀ ବନ୍ଧୁକ
ଜବତ ହୋଇଥିବା ବନ୍ଧୁକ ମୂଲ୍ୟବାନ୍‌ ହୋଇଥିବା ବେଳେ ଓଜନ ୮ଶହ ଗ୍ରାମ୍‌ ରହିଛି। ବନ୍ଧୁକରେ ମେଡ୍‌ ଇନ୍‌ ଇଟାଲି ଲେଖାଯାଇଛି। ବନ୍ଧୁକଗୁଡ଼ିକ ସ୍ବୟଂଚାଳିତ। ଗୋଟିଏ ଥର ଟ୍ରିଗର ଟିପିଲେ ଏଥିରୁ ୧୨ଟି ଗୁଳି ଏକା ଥରକେ ବାହାରିବ। ବନ୍ଧୁକଗୁଡ଼ିକ ହାତ ତିଆରି ନୁହେଁ ବୋଲି ଏସ୍‌ଟିଏଫ୍‌ ସ୍ପଷ୍ଟ କରିଛି। ଗୋଟିଏ ବନ୍ଧୁକ ଅତି କମ୍‌ରେ ୧ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି ହେଉଥିଲା। ପୂର୍ବରୁ ଏମାନେ ଶହ ଶହ ବନ୍ଧୁକ ବିକି ସାରିଛନ୍ତି। ଏଣୁ ଏଭଳି ବନ୍ଧୁକ କେଉଁଠି ତିଆରି ହେଉଛି? ସେଠାରୁ କିଏ ଏମାନଙ୍କୁ ଯୋଗାଉଛି? ଓଡ଼ିଶାକୁ କିଭଳି ଆସୁଛି? ବାଟରେ ଆଉ କେହି ମଧ୍ୟସ୍ଥି ଅଛନ୍ତି କି ନାହିଁ? ତାହାର ଛାନ୍‌ଭିନ୍‌ ଚାଲିଛି। ପୂର୍ବରୁ ଅନେକ ବନ୍ଧୁକ ଜବତ ହୋଇଥିଲେ ମଧ୍ୟ ଏଭଳି ସ୍ବୟଂଚାଳିତ ବନ୍ଧୁକ ପ୍ରଥମ ଥର ପାଇଁ ଏସ୍‌ଟିଏଫ୍‌ ଜବତ କରିଥିବା ସୂଚନା ମିଳିଛି।

ସତ ହୋଇଥିଲେ ସାଂଘାତିକ: ମାଓ ସଂଗଠନକୁ ବନ୍ଧୁକ ଯୋଗାଉଥିବା ଚର୍ଚ୍ଚା ହେବା ପରେ ଏସ୍‌ଟିଏଫ୍‌ର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ଏହା ସତ ‌ହୋଇଥିଲେ ସାଂଘାତିକ ବୋଲି କୁହାଯାଉଛି। ସେଥିପାଇଁ ଏ ଦିଗରେ ତଦନ୍ତ ଜୋରଦାର ହୋଇଛି। ଏମାନଙ୍କର ଏକ ବଡ଼ ମାଓବାଦୀ ନେତା ସହ ସିଧା ସଳଖ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଥିବାରୁ ଏସ୍‌ଟିଏଫ୍‌ ମଧ୍ୟ ଏ ଦିଗରେ ଖୋଳତାଡ଼ ଆରମ୍ଭ କରିଛି। କିଏ ଏହି ମାଓ ନେତା? କେତେଦିନ ହେବ ଏମାନେ ନେତାଙ୍କ ସମ୍ବନ୍ଧରେ ଅଛନ୍ତି? ଏହାର ପ୍ରମାଣ ପାଇଁ ଉଭୟଙ୍କର ମୋବାଇଲ୍‌ କଲ୍‌ ରେକର୍ଡ ଯାଞ୍ଚ କରାଯାଉଛି। ଏମାନେ ନିକଟ ଅତୀତରେ କାହା କାହା ସହ କଥା ହୋଇଛନ୍ତି ତାହାର ତଦନ୍ତ ଚାଲିଛି।

କେ ଏଫ୍ ଗୁଳି: ଯେଉଁ ୨୨ଟି ଜୀବନ୍ତ ଗୁଳି ଜବତ କରାଯାଇଛି ସେଥିରେ ନିର୍ମାତାଙ୍କ ନାମ କେଏଫ୍‌ ରହିଛି। ଏହି କେଏଫ୍‌କୁ ନେଇ ଏସ୍‌ଟିଏଫ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି। ପ୍ରାଥମିକ ପର୍ଯ୍ୟାୟରେ ଏହା ପୁଣେର ଗୁଳିଗୋଳା କାରଖାନା ‘କିର୍‌କି’ର ବୋଲି ଏସ୍‌ଟିଏଫ୍‌ ଆଶଙ୍କା କରୁଛି। ତେବେ ଏଭଳି ବ୍ରାଣ୍ଡର ଗୁଳି କିଭଳି ଚୋରା ବଜାରକୁ ଆସିଲା ସେ ନେଇ ଏସ୍‌ଟିଏଫ୍‌ର ଚିନ୍ତା ବଢ଼ିଛି। ବିଭିନ୍ନ ସରକାରୀ ବିଭାଗ ଓ ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନକୁ ଗୁଳି ଯୋଗାଉଥିବା ସଂସ୍ଥାକୁ ଏହି ଗୁଳିର ଫଟୋ ପଠାଯାଇଛି। ଏହି ଗୁଳିସବୁ ବଜାରକୁ କିପରି ଆସିଛି ଓ କିଏ ଛାଡ଼ିଛି ସେ ସମ୍ପର୍କରେ ତଦନ୍ତ କରି ସୂଚନା ଦେବାକୁ କୁହାଯାଇଛି।

ବେଆଇନ ବେପାର ପଛରେ ଛାତ୍ର: ନିଶା ଓ ବନ୍ଧୁକ ବେପାର ପଛରେ ଛାତ୍ର ରହିଛନ୍ତି। ଗତ ମାସ ୨୭ ତାରିଖରେ ବ୍ରାଉନସୁଗାର ବେପାର କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ୨ ଜଣ ଛାତ୍ରକୁ ଗିରଫ କରିଥିଲା। ସେମାନଙ୍କ ଠାରୁ ୨୫ ଗ୍ରାମ୍‌ ଓଜନର ବ୍ରାଉନସୁଗାର ଜବତ ହୋଇଥିଲା। ଏବେ ଜଣେ ଅଣଓଡ଼ିଆ ପୂର୍ବତନ ଛାତ୍ର ସହ‌ ମିଶି ଜଣେ ଓଡ଼ିଆ ଛାତ୍ର ବନ୍ଧୁକ କାରବାର କରି ଗିରଫ ହୋଇଛି। ପୂର୍ବରୁ ମଧ୍ୟ ଛାତ୍ରମାନଙ୍କ ନାମରେ ଏଭଳି ଅନେକ ଅପରାଧ ରେକର୍ଡ ରହିଛି। ଛାତ୍ରଙ୍କର ଏଭଳି ଅପରାଧରେ ସଂଶ୍ଳିଷ୍ଟ ହେବା ଘଟଣା ରାଜଧାନୀବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର