ବଡ଼ଚଣାରୁ ଅପହରଣ, ବନମାଳିପୁରରୁ ଉଦ୍ଧାର

ମାମୁ ଭଣଜା ଗିରଫ, ବନ୍ଧୁକ, ଗୁଳି ଓ କାର୍‌ ଜବତ

ବାଲିପାଟଣା : ବଡ଼ଚଣାରୁ ଅପହରଣ ହୋଇଥିବା ଅମିନ ଦାଶରଥୀ ନାୟକଙ୍କୁ ଆଜି ବାଲିପାଟଣା ଥାନା ପୁଲିସ ସହଯୋଗରେ ବଡ଼ଚଣା ଥାନା ପୁଲିସ ବନମାଳିପୁରରୁ ଉଦ୍ଧାର କରିଛି। ଏହି ମାମଲାରେ ପୁଲିସ ଅପହରଣକାରୀ ମାମୁ ଓ ଭଣଜାଙ୍କୁ ଗିରଫ କରିଛି। ସେମାନେ ହେଲେ, ମାମୁ ରବୀନ୍ଦ୍ର ଦାଶ ଓ ଭଣଜା ସୁଶାନ୍ତ ପଣ୍ଡା। ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ ହୋଇଥିବା କାର୍‌ ସମେତ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରାଯାଇଛି।

ବାଲିପାଟଣା ଥାନା ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ଅଭିଜିତ ନାୟକ ତାଙ୍କ ବାପା ଦାଶରଥୀ ନାୟକ(୭୨)ଙ୍କୁ ଅପହରଣ କରାଯାଇଥିବା ସମ୍ପର୍କରେ ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ। ବଡ଼ଚଣା ପୁଲିସ ଅଭିଯୋଗ ଆଧାରରେ ତଦନ୍ତ କରି ଫୋନ୍‌ ଟ୍ରାକିଂ କରିଥିଲା। ଟ୍ରାକିଂରୁ ଦାଶରଥୀ ବାଲିପାଟଣା ଥାନା ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ତେଣୁ ବିଳମ୍ୱିତ ରାତିରେ ବଡ଼ଚଣା ଥାନା ପୁଲିସ ଏବଂ ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ସଦଳବଳେ ବନମାଳିପୁର ଫାଣ୍ଡି ଅଞ୍ଚଳରେ ଚଢ଼ଉ କରିଥିଲେ। ଅଭିଯୁକ୍ତ ରବୀନ୍ଦ୍ରଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରି ଦାଶରଥୀଙ୍କୁ ଉଦ୍ଧାର କରାଯାଇଥିଲା ଓ ଅଭିଯୁକ୍ତଦ୍ବୟଙ୍କୁ ଗିରଫ କରାଯାଇଥିଲା। ସୂଚନାନୁସାରେ, ବଡ଼ଚଣା ଅଞ୍ଚଳରେ ରବୀନ୍ଦ୍ରଙ୍କ ଏକ ମୂଲ୍ୟବାନ ଜମି ଥିଲା। ଦାଶରଥୀ ସରକାରୀ ଅମିନ ଥିବା ସମୟରେ ଚଞ୍ଚକତା କରି ସେହି ଜମିକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମରେ କରି ଦେଇଥିଲେ। ଏବେ ଉକ୍ତ ପ୍ଲଟ ଉପରେ ନିର୍ମାଣ କାମ ଆରମ୍ଭ ହେବା ଦେଖି ରବୀନ୍ଦ୍ର ଖୋଳତାଡ଼ କରିବା ପରେ ଦାଶରଥୀଙ୍କ ଉପରେ ତାଙ୍କର ସନ୍ଦେହ ହୋଇଥିଲା। ତେଣୁ ସେ ଗତକାଲି ଏକ ବାହାନା କରି ଦାଶରଥୀଙ୍କୁ କଡ଼େଇ ଛକକୁ ଡାକିଥିଲେ। ସେଠାରୁ ତାଙ୍କୁ କାର୍‌ ଯୋଗେ ଅପହରଣ କରି ବନମାଳିପୁର ନେଇ ଆସିଥିଲେ।

ସମ୍ବନ୍ଧିତ ଖବର