ବ୍ୟାଙ୍କରୁ ରିହାତି ଋଣ ବାହାନାରେ ଠକେଇ: ମହିଳାଙ୍କ ସମେତ ୨ ଧୂର୍ତ୍ତ ଗିରଫ, ମହିଳା ସାଜିଥିଲେ ମ୍ୟାନେଜର

ବାଲିପାଟଣା : ବ୍ୟାଙ୍କରୁ ବିଭିନ୍ନ ସ୍କିମ୍‌ରେ ମିଳୁଥିବା ରିହାତି ଋଣ କରାଇବା ବାହାନାରେ ଲୋକଙ୍କୁ ଫସାଉଥିବା ଦୁଇ ଧୂର୍ତ୍ତଙ୍କୁ ବାଲିପାଟଣା ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ବାଲିପାଟଣା ଥାନା ଭଗବତପଡ଼ା ବାଲିପଡ଼ିଆ ସାହିର ହୃଷୀକେଷ ବେହେରା(୩୨) ଓ କଟକ ନିଆଳି ଥାନା ବାହାରଣା ଗ୍ରାମର ପ୍ରକାଶ ବେହେରାଙ୍କ ସ୍ତ୍ରୀ ରଞ୍ଜିତା ମୁଦୁଲି(୩୯)। ଋଣ ଛାଡ଼ କରାଇବାକୁ କହି ସେ ବହୁ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଆଗୁଆ ନେଇଯାଇଥିବା ଅଭିଯୋଗ ହୋଇଛି। ପୁଲିସର ପ୍ରା‌ଥକିମ ତଦନ୍ତ ଅନୁସାରେ ବାଲୁଙ୍ଗା, ନୟାଗଡ଼, କଟକ, ନିମାପଡ଼ା ଆଦି ଅଞ୍ଚଳରୁ ପ୍ରାୟ ୫ ଶହରୁ ଅଧିକ ଲୋକଙ୍କୁ ସେମାନେ ଠକିଥିବା ଜଣାପଡ଼ିଛି। ଏମିତିକି ଅଭିଯୋଗ ସଂଖ୍ୟା ଅଧିକ ହୋଇପାରେ ବୋଲି ପୁଲିସ ଅନୁମାନ କରୁଛି। କୋର୍ଟ ଚାଲାଣ ପରେ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂଚନାନୁସାରେ ନିଆଳି ଥାନା ବାହାରଣା ଗାଁର ଶିବପ୍ରସାଦ ଦାସଙ୍କୁ ଏମାନେ ଚୂନ ଲଗାଇ ୧୦ ଲକ୍ଷ ୩୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଶିବଙ୍କୁ ୫୦ ଲକ୍ଷ ଟଙ୍କାର ଋଣ କରାଇଦେବାକୁ କହିଥିଲେ। ଉକ୍ତ ଋଣରୁ ୨୦ ଲକ୍ଷ ଟଙ୍କା ଛାଡ଼ ବ୍ୟବସ୍ଥା ଥିବା କହି ପ୍ରଲୋଭିତ କରିଥିଲେ। ତେଣୁ ୨୦ ଲକ୍ଷ ଛାଡ଼ରୁ ଅଧା ୧୦ ଲକ୍ଷ ଆଗୁଆ ଦେବାକୁ ପଡ଼ିବ ବୋଲି ଡିଲ୍‌ ହୋଇଥିଲା। ସେହିଭଳି ଋଣ ପାଇଁ ପ୍ରୋସେସିଂ ବାବଦ‌ରେ ୩୦ ହଜାର ଟଙ୍କା ଲାଗିବ ବୋ‌ଲି କହିଥିଲେ। ହୃଷୀକେଷଙ୍କ କଥାରେ ଭଳି ଯାଇ ଡିଲ୍‌ ଅନୁସାରେ ଶିବ ସେମାନଙ୍କୁ ୧୦ ଲକ୍ଷ ୩୦ ହଜାର ଟଙ୍କା ଗଣି ଦେଇଥିଲେ। ଟଙ୍କା ପକାଇବା ପରେ ହୃଷୀକେଷ ଓ ରଞ୍ଜିତା ଆଉ ଧରାଛୁଆଁ ଦେଇନଥିଲେ। ବିଭିନ୍ନ ବାହାନା କରି ଦିନ ଗଡ଼ାଇ ଚାଲିଥିଲେ। ବାରମ୍ବାର ଧାଇଁଧାଇଁ ଶିବ ହତାଶ ହେବା ପରେ ସେ ଠକାମିର ଶିକାର ହୋଇଥିବା ବୁଝିପାରି ଥାନାର ଦ୍ବାରସ୍ଥ ହୋଇଥିଲେ।

ହୃଷୀକେଷର ଏହି କଳା କାରନାମା ଦୀର୍ଘ ବର୍ଷର ବୋଲି ଜଣାପଡ଼ିଛି। ସରକାରଙ୍କ ବିଭିନ୍ନ ଋଣ ଯୋଜନା ବାବଦରେ ହୃଷୀକେଷକୁ ଜଣାଥିଲା। ତେଣୁ ପ୍ରଥମେ ସେ କିଛି ଲୋକଙ୍କୁ ଋଣ କରାଇଥିଲା। ଫଳରେ ଲୋକେ ତାକୁ ବିଶ୍ବାସ କରୁଥିଲେ। ବ୍ୟାଙ୍କର ଅସଲି ଲୋନ୍‌ ଫର୍ମ ଧରି ସେ ଲୋକଙ୍କ ନିକଟରେ ପହଞ୍ଚୁଥିଲା ଓ ମିଠା କଥାରେ ଫସାଇ ଦେଉଥିଲା। ବଡ଼ କଥା ହେଉଛି, ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ସେ ରଞ୍ଜିତାଙ୍କୁ ଅସ୍ତ୍ର କରିଥିଲା। ତାଙ୍କୁ ବ୍ୟାଙ୍କ ମ୍ୟାନେଜର ସଜାଇ ଫୋନ୍‌ରେ ଯୋଗାଯୋଗ କରାଉଥିଲା। ଅଧା ପାଠୋଇ ହୋଇଥିଲେ ବି ରଞ୍ଜିତା ଫୋନ୍‌ରେ ଏମିତି ଷ୍ଟାଇଲ୍‌ରେ କହୁଥିଲେ ଯେ ଲୋକେ ଅବିଶ୍ବାସ କରିବାକୁ ସୁଯୋଗ ପାଉନଥିଲେ। ଫଳରେ ସେମାନଙ୍କ ମିଛ ନାଟକରେ ଫସି ଯିବା ସହ ଋଣ ଛାଡ଼ ଲୋଭରେ ଲୋକେ ଆଗୁଆ ଲକ୍ଷ ଲକ୍ଷ ଟଙ୍କା ଗଣି ଦେଉଥିଲେ। ବି‌ଶେଷକରି ରଞ୍ଜିତା ନିଜ କଥା ଚାତୁରୀ ବଳରେ ମହିଳା ମଣ୍ଡଳମାନଙ୍କୁ ସହଜରେ ଫସାଇ ପାରୁଥିଲେ।

ସମ୍ବନ୍ଧିତ ଖବର