ପୁରୁଣା ଭୁବନେଶ୍ୱର : ଭଡ଼ା ଘର ଖୋଜିବା ବାହାନା କରି ଘରେ ଏକାକୀ ଥିବା ଜଣେ ମହିଳାଙ୍କୁ ଲୁଟ୍ ଉଦ୍ୟମ ଅଭିଯୋଗରେ ଆଜି ଏୟାର୍ଫିଲ୍ଡ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା କାମନାବାରା ସାହିର ସୋମନାଥ ନାୟକ(୨୬) ଓ ମନୋରଞ୍ଜନ ନାୟକ(୩୦)। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍ ନାମଞ୍ଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୁଲିସ ସୂଚନାନୁସାରେ ହାଇଟେକ୍ ଅଞ୍ଚଳର ଆପୋଲ୍ ଡ୍ୟୁପ୍ଲେକ୍ସରେ ଅଲିଭା ମାଝି ରହୁଛନ୍ତି। ଗତକାଲି ସନ୍ଧ୍ୟାରେ ଅଲିଭା ଘରେ ଏକାକୀ ଥିଲେ। ଏତିକିବେଳେ ସୋମନାଥ ଓ ମନୋରଞ୍ଜନ ତାଙ୍କ ଘରର କବାଟ ବାଡ଼େଇଥିଲେ। ସନ୍ଧ୍ୟାବେଳ ହୋଇଥିବାରୁ ଓ ରାସ୍ତାରେ ଜନଗହଳି ଥିବାରୁ ଅଲିଭା ଭୟ ନକରି କବାଟ ଖୋଲିଥିଲେ। ଦୁର୍ବୃତ୍ତଦ୍ବୟ ତାଙ୍କୁ ଘର ଭଡ଼ା ଦେବେ କି ବୋଲି ପଚାରିଥିଲେ। ସେମାନେ ଏକ ଘରୋଇ କମ୍ପାନିର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ତେବେ ଅଲିଭା ଘର ଭଡ଼ା ଦେବାର ନାହିଁ ବୋଲି କହି କବାଟ ବନ୍ଦ କରିବାକୁ ବାହାରିଥିଲେ। ଏମିତି କଥାବାର୍ତ୍ତା ଭିତରେ ଦୁର୍ବୃତ୍ତଦ୍ବୟ ନିଛାଟିଆ ହେବାର ସୁଯୋଗ ଖୋଜୁଥିଲେ। ଅଲିଭା କବାଟ ବନ୍ଦ କରିବାକୁ ଯାଉଥିବା ଦେଖି ମନୋରଂଜନ ହଠାତ୍ ତାଙ୍କୁ ଭିତରକୁ ଠେଲି ଦେଇଥିଲା ଓ ଦୁଇଜଣଯାକ ଭିତରକୁ ପଶି କବାଟ ବନ୍ଦ କରି ଦେଇଥିଲେ। ଅଲିଭା ତଳୁ ଉଠିବା ପୂର୍ବରୁ ସେମାନେ ତାଙ୍କ ବେକରେ ଛୁରି ଲଗାଇ ଦେଇଥିଲେ। ତଥାପି ଡରି ନଯାଇ ଅଲିଭା ବଡ଼ ପାଟିରେ ଚିତ୍କାର କରିଥିଲେ। ଫଳରେ ଘଟଣାସ୍ଥଳକୁ ପଡ଼ୋଶୀମାନେ ଧାଇଁ ଆସିଥିଲେ। ସେମାନେ ଘରକୁ ଘେରି ଯିବା ଦେଖି ସୋମନାଥ କବାଟ ଖୋଲି ଖସି ପଳାଇଥିଲା। କିନ୍ତୁ ଲୋକେ ମନୋରଂଜନକୁ ମାଡ଼ି ବସିଥିଲେ। ବହେ ଛେଚିବା ପରେ ସେମାନେ ପୁଲିସ ଜିମା ଦେଇଥିଲେ। ପରେ ପୁଲିସ ସୋମନାଥକୁ ଠାବ କରି ଖୋର୍ଦ୍ଧାରୁ ଉଠାଇଥିଲା।