ଛିନ୍‌ତାଇ ମାମଲାରେ ୨ ଗିରଫ, ଚାପଡ଼, କଟୁରି ଓ ଟଙ୍କା ଜବତ

ବାଲିଅନ୍ତା : ସ୍ଥାନୀୟ ଅଞ୍ଚଳରେ କାମ କରୁଥିବା ଘରୋଇ ଫାଇନାନ୍‌ସ କର୍ମଚାରୀଙ୍କୁ ଟାର୍ଗେଟ୍‌ କରି ଲୁଟ୍‌ କରୁଥିବା ଏକ ୪ ଜଣିଆ ଗ୍ୟାଙ୍ଗ୍‌ର ଦୁଇ ଜଣଙ୍କୁ ଗତକାଲି ରାତିରେ ବାଲିଅନ୍ତା ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ ସ୍ଥାନୀୟ ଯଶୁଆପୁର ଗ୍ରାମର ପର୍ଶୁରାମ ଭୋଇ ଓ ଗଡ଼ଶ୍ରୀରାମପୁର ଗ୍ରାମର ସୁଶାନ୍ତ କୁମାର ସାମଲ। ସେମାନଙ୍କ ନିକଟରୁ ନଗଦ ୧୫ ହଜାର ଟଙ୍କା ସମେତ ‌ଛିନ୍‌ତା‌ଇ ବେଳେ ବ୍ୟବହାର କରୁଥିବା ଗୋଟିଏ ପଲ୍‌ସର ବାଇକ୍‌, ଗୋଟିଏ ଚାପଡ଼ ଓ ଗୋଟିଏ କଟୁରି ଜବତ କରିଛି। ଜାମିନ ଖାରଜ ହେବା ପରେ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁସାରେ ଗତ ୪ ଦିନ ତଳେ ଯଶୁଆପୁର ନିଛାଟିଆ ରାସ୍ତାରେ ଫାଇନାନ୍‌ସ ସଂସ୍ଥାର ଜଣେ ମହିଳା କର୍ମଚାରୀ ଲୁଟ୍‌ର ଶିକାର ହୋଇଥିଲେ। ଦୁର୍ବୃତ୍ତମା‌ନେ ଚଳନ୍ତା ଅବସ୍ଥାରେ ସ୍କୁଟିକୁ ଗୋଇଠା ମାରି ଯୁବତୀଙ୍କୁ ତଳେ ପକାଇ ଦେଇଥିଲେ ଓ ତାଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଥିଲେ। ଅଭିଯୋଗ ପରେ ପୁଲିସ ସ୍ଥାନୀୟ ଅଞ୍ଚଳରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଛାନ୍‌ଭିନ୍ କରିଥିଲା। ଏକ ସିସିଟିଭି ଫୁଟେଜ୍‌ରୁ ପୁଲିସ ପର୍ଶୁରାମ ଓ ସୁଶାନ୍ତକୁ ଚିହ୍ନଟ କରିବା ପରେ ଗତକାଲି ରାତିରେ ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ସଦଳବଳେ ଏକ ଆଡ଼ାରେ ଚଢ଼ଉ କରି ସେମାନଙ୍କୁ ଉଠାଇଥିଲେ। ସେମାନଙ୍କଠାରୁ ଚୋରିରେ ବ୍ୟବହୃତ ବାଇକ୍‌ ସହ ନଗଦ ଟଙ୍କା ଓ ମାରଣାସ୍ତ୍ର ଜବତ ହୋଇଥିଲା। ଆଇଆଇସି ଶ୍ରୀ ରାଉତଙ୍କ ସୂଚନାନୁସାରେ ଏହି ରୢାକେଟ୍‌ରେ ୪ ଜଣ ସଂପୃକ୍ତ। ଅନ୍ୟ ଦୁଇ ଜଣଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ।

ସମ୍ବନ୍ଧିତ ଖବର