ସୁରେଖା ପଲେଇ ମୃତ୍ୟୁ ମାମଲାରେ ୨ ଗିରଫ: ଆତ୍ମହତ୍ୟା ପାଇଁ ଉସୁକାଇଥିଲେ

ସୁଧାରଗୃହକୁ ଗଲା ନାବାଳକ, ବାହା ହେବାକୁ ରାଜି ନହେବାରୁ ଝୁଲି ପଡ଼ିଥିଲେ ସୁରେଖା

ଭୁବନେଶ୍ବର : ସୁରେଖାଙ୍କୁ ହତ୍ୟା କରାଯାଇନାହିଁ, ସେ ଆତ୍ମହତ୍ୟା କରିଛନ୍ତି। ସୁରେଖାଙ୍କ ପ୍ରେମିକ ଛୋଟୁ ଓ ତା’ର ଦୁଇ ସହଯୋଗୀ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିଲେ। ସେଦିନ ରାତିରେ ଛୋଟୁ ଘରେ ଭୋଜିଭାତର ଆସର ଜମିଥିଲା। ବିବାହକୁ ନେଇ ଛୋଟୁ ଓ ସୁରେଖାଙ୍କ ମଧ୍ୟରେ ମତାନ୍ତର ଘଟିଥିଲା। ଛୋଟୁ ତାଙ୍କୁ ବିବାହ କରିବ ନାହିଁ ବୋଲି ରୋକଠୋକ୍‌ ମନା କରିଦେଇଥିଲା। ଏପରିକି ସୁରେଖାକୁ ବିବାହ ନ କରିବାକୁ ଛୋଟୁକୁ ତା’ ଦୁଇସାଙ୍ଗ ମଧ୍ୟ ପ୍ରବର୍ତ୍ତାଇଥିଲେ। ଏଥିରେ ରାଗିଯାଇ ସୁରେଖା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ଛୋଟୁ ଘରେ ସେ ବେକରେ ଗାମୁଛା ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ଏହା ଦେଖି ୩ଜଣଯାକ ତାଙ୍କ ଶବକୁ ଫ୍ୟାନ୍‌ରୁ ତଳକୁ ଓହ୍ଲାଇ ତାଙ୍କ ଘରେ ମୁହଁ ମାଡ଼ି ତଳେ ଶୁଆଇ ଦେଇଥିଲେ। ଗତ ରବିବାର ବିଳମ୍ବିତ ରାତିରେ ତାରିଣୀ ବସ୍ତିରେ ଘଟିଥିବା ସୁରେଖା ପଲେଇ ମୃତ୍ୟୁ ମାମଲାର ପର୍ଦ୍ଦାଫାସ୍‌ କରି ଭରତପୁର ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଏହି ସୂଚନା ଦେଇଛି। ତେଣୁ ତଦନ୍ତ ଆଧାରରେ ଥାନାରେ ରୁଜୁ ହୋଇଥିବା ହତ୍ୟା ମାମଲା (ଦଫା ୩୦୨)କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ୩୦୬ରେ ପରିବର୍ତ୍ତନ କରି ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ, ନୟାଗଡ଼ କୁଞ୍ଜବିହାରୀ ପ୍ରସାଦ ଅଞ୍ଚଳର ବିଶ୍ବଜିତ୍‌ ଜେନା ଓରଫ ଚୋଟୁ (୧୯) ଓ ମାନସ ପାତ୍ର ଓରଫ ବୁଡୁ (୧୯)। ଅନ୍ୟତମ ଅଭିଯୁକ୍ତ ଜଣେ ନାବାଳକ ହୋଇଥିବାରୁ ପୁଲିସ ତାକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇବା ପରେ ବ୍ରହ୍ମପୁରସ୍ଥିତ ବାଳସୁଧାର ଗୃହକୁ ପଠାଇ ଦେଇଛି।

ରବିବାର ରାତିରେ କ’ଣ ଘଟିଥିଲା?
ଗତ ନଭେମ୍ବର ମାସରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଛୋଟୁକୁ ବିବାହ କରିବାକୁ ସୁରେଖା ମନେମନେ ସ୍ଥିର କରିସାରିଥିଲେ। ତେଣୁ କିଛି ଦିନର ସଂପର୍କ ପରେ ସେ ଛୋଟୁକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ବୟସ‌ରେ ସାନ ହୋଇଥିବାରୁ ଓ ମାନସିକସ୍ତରରେ ପ୍ରସ୍ତୁତ ନଥିବା କହି ଛୋଟୁ ଏହି ପ୍ରସ୍ତାବକୁ ଏଡ଼ାଇ ଚାଲିଥିଲା। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଛୋଟବଡ଼ କଳିଝଗଡ଼ା ଲାଗି ରହିଥିଲା। କିନ୍ତୁ ଗତ ରବିବାର ଦିନ ଏହା ଉଗ୍ରରୂପ ନେଇଥିଲା। ଛୋଟୁକୁ ବିବାହ ପାଇଁ ମନାଇବା ଜିଦ୍‌ରେ ସୁରେଖା ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଛୋଟୁକୁ ହ୍ବାଟ୍ସଆପ୍‌ ମେସେଜ୍ କରିଥିଲେ। ଉତ୍ତର ନ ଦେବାରୁ ସୁରେଖା ଏକ ବ୍ଲେଡ୍ ଆଣି ନିଜ ହାତ କାଟି ଦେଇଥିଲେ ଓ ଏହାର ଫଟୋ ଛୋଟୁକୁ ପଠାଇଥିଲେ। ଏଥିରେ ବିଚଳିତ ହୋଇ ଛୋଟୁ ତାଙ୍କୁ ଏଭଳି ନ କରିବାକୁ ବାରଣ କରିବା ସହ ସୁରେଖାଙ୍କୁ ବୁଝାଇବା ପାଇଁ ତା’ ଦୁଇ ସାଙ୍ଗକୁ ଘରକୁ ଆଣିଥିଲା। ସେହିନ ରାତିରେ ଛୋଟୁ ଘରେ ଭୋଜି ହୋଇଥିଲା। ସୁରେଖା ସେଥିରେ ସାମିଲ ହୋଇଥିଲେ। ଏହି ମୌକାରେ ଛୋଟୁ ଓ ତା’ର ଦୁଇ ସହଯୋଗୀ ସୁରେଖାଙ୍କୁ ବୁଝାଇଥିଲେ। ବର୍ଷେ ପରେ ବିବାହ କରିବ ବୋଲି ଛୋଟୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ୩ସାଙ୍ଗ ମଦ ପିଇବା ପରେ ସେମାନଙ୍କ ଆଚରଣ ପରିବର୍ତ୍ତନ ହୋଇଯାଇଥିଲା। ଛୋଟୁ ତାଙ୍କୁ ବାହା ହେବ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରିଦେଇଥିଲା ଓ ତା’ ଦୁଇ ସାଙ୍ଗ ବି ପାଳି ଧରିଥିଲେ। ଏଥିରେ ରାଗିଯାଇ ସୁରେଖା ଭୋଜିରୁ ଉଠି ଛୋଟୁର ଦାଣ୍ଡଘରକୁ ଚାଲି ଆସିଥିଲେ। ଭିତରପୁଟ କବାଟ ବନ୍ଦ କରି ବେକରେ ଗାମୁଛା ଲଗାଇ ପଙ୍ଖାରେ ଝୁଲି ପଡ଼ିଥିଲେ। ତେବେ ଏହା ଦେଖିବା ପରେ ୩ ସାଙ୍ଗଙ୍କ ମୁଣ୍ଡ କାମ କରିନଥିଲା। ସେମାନଙ୍କ ମଧ୍ୟରୁ ଜଣେ ସ୍କାଏଲାଇଟ୍ ଦେଇ ଭିତରକୁ ପଶିବା ପରେ କବାଟ ଖୋଲିଥିଲା। ପରେ ୩ଜଣଯାକ ମିଶି ସୁରେଖାଙ୍କୁ ତଳକୁ ଓହ୍ଲାଇ ତାଙ୍କ ମୁହଁ‌ରେ ପାଣି ଛାଟିଥିଲେ। କିନ୍ତୁ ନ ଉଠିବାରୁ ସେମାନେ ସୁରେଖାଙ୍କ ଶବକୁ ତାଙ୍କ ଭଡ଼ାଘରେ ମୁହଁ ମାଡ଼ି ତଳେ ଶୁଆଇ ଦେଇଥିଲେ। ଏହି ମାମଲାରେ ଫସିଯିବା ଭୟରେ ୩ଜଣ ଚେନ୍ନାଇ ଫେରାର୍‌ ହୋଇଯିବାକୁ ଯୋଜନା କରିଥିଲେ।

କେମିତି ଧରିଲା ପୁଲିସ?
ଏହି ଅଘଟଣ ଘଟିବା ପରେ ଛୋଟୁ ଓ ମାନସକୁ ବରମୁଣ୍ଡାରେ ଛାଡ଼ି ନାବାଳକଜଣଙ୍କ ଗାଡ଼ି ନେଇ ମାଲିକ ନିରଂଜନ ରାଉତରାୟଙ୍କ ପାଖକୁ ପଳାଇଥିଲେ। ତାଙ୍କୁ ଘଟଣା ସଂପର୍କରେ ଜଣାଇବା ସହ ଚେନ୍ନାଇ ଫେରାର୍‌ ହେବା ପାଇଁ ଟଙ୍କା ମାଗିଥିଲା। ମାତ୍ର ନିରଂଜନ ନାବାଳକଙ୍କୁ ଫେରାର୍ ହେବା ପରିବର୍ତ୍ତେ ଥାନାରେ ଆତ୍ମସମର୍ପଣ କରିବାକୁ କହିଥିଲେ। ପରେ ନିରଂଜନ ନାବାଳକଙ୍କ ବଡ଼ଭାଇକୁ ଡାକି ଭରତପୁର ପୁଲିସ ପାଖରେ ଆତ୍ମସମର୍ପଣ କରାଇଥିଲେ। ତା’ ସୂଚନା ଆଧାରରେ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତ ଛୋଟୁ ଓ ମାନସକୁ ନୟାଗଡ଼ରୁ ମଙ୍ଗଳବାର ଗିରଫ କରିଥିଲା।

‌ଛୋଟୁର ଘରେ ସିନ୍‌-ରିକ୍ରିଏସନ୍‌
ଅଭିଯୁକ୍ତଙ୍କ ପାଖରୁ ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଗତକାଲି ଫୋରେନ୍ସିକ ଟିମ୍ ଓ ଏମ୍ସ ଏଫ୍‌ଏମ୍‌ଟି ବିଭାଗର ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ। ସେମାନେ ଛୋଟୁ ଘର ଛାନଭିନ୍ କରି ବହୁ ତଥ୍ୟପ୍ରମାଣ ସଂଗ୍ରହ କରିଥିଲେ। ଆଜି ସକାଳୁ ୩ଅଭିଯୁକ୍ତଙ୍କୁ ନେଇ ପୁଲିସ ଘଟଣାସ୍ଥଳରେ ସିନ୍‌-ରିକ୍ରିଏସନ୍ କରାଇଥିଲା। କେଉଁ ଘରେ ଭୋଜି କରୁଥିଲେ? ସୁରେଖା ସେମାନଙ୍କୁ କ’ଣ କହିଲେ? କେମିତି ଆତ୍ମହତ୍ୟା କଲେ? ସୁରେଖାଙ୍କ ଶବକୁ ସେମାନେ କିପରି ଉଦ୍ଧାର କଲେ? ଆଦି ସମସ୍ତ ଘଟଣା ଅଭିଯୁକ୍ତମାନେ ଆଉ ଥରେ ପୁଲିସ ଆଗରେ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର