ଇସ୍କନ୍‌ ସାଧୁଙ୍କୁ ଛୁରାମାଡ଼ ଘଟଣା: ଲୁଟେରା ସମେତ ଦୁଇ ଗିରଫ

୧୫ ମୋବାଇଲ୍‌ ଓ ବାଇକ୍‌ ଜବତ

ଭୁବନେଶ୍ବର : ଘାଟିକିଆ ରାସ୍ତାରେ ଇସ୍କନ୍‌ର ଜଣେ ସାଧୁଙ୍କୁ ଛୁରାମାଡ଼ ଘଟଣାରେ ଭରତପୁର ଥାନା ପୁଲିସ ଦୁଇଜଣକୁ ଗିରଫ କରିଛି। ସେମାନେ ହେଲେ, ସହିଦନଗର ଶାନ୍ତିପଲ୍ଲୀ ବସ୍ତିର ଦୀପକ ପ୍ରଧାନ ଓରଫ କାଳିଆ(୨୩) ଓ ଲକ୍ଷ୍ମୀସାଗର ବମିଖାଲ ଅଞ୍ଚଳର ଶୁଭମ ସ୍ବାଇଁ ଓରଫ ଲୁଡ଼ୁ(୨୦)। ପୁଲିସ୍‌ ସେମାନଙ୍କଠାରୁ ୧୫ଟି ମୋବାଇଲ୍‌ ଓ ଗୋଟିଏ ବାଇକ୍‌ ଜବତ କରିଛି।

ଗତ ୧୬ତାରିଖ ରାତିରେ ଇସ୍କନ୍‌ର ଜଣେ ସାଧୁ ବିଭୁପ୍ରସାଦ ଦାସ ଘାଟିକିଆ ରୋଡ୍‌ସ୍ଥିତ ସିଇଟି କଲେଜ୍‌ ନିକଟରେ ଯାଉଥିବା ବେଳେ କାଳିଆ ଓ ତା’ର ସହଯୋଗୀ ମିଶି ତାଙ୍କୁ ଆକ୍ରମଣ କରିଥିଲେ। ସାଧୁଙ୍କ ପେଟରେ ଛୁରା ମାଡ଼ କରି ତାଙ୍କଠାରୁ ୩ହଜାର ଟଙ୍କା ଓ ମୋବାଇଲ୍‌ ନେଇଯାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଏହି ମାମଲାରେ ପ୍ରଥମେ ପୁଲିସ କାଳିଆକୁ ଗିରଫ କରିଥିଲା। ଏହା ପରେ ତା’ଠାରୁ ତଥ୍ୟ ହାସଲ କରି ଚୋରା ମୋବାଇଲ୍‌ ନେଇ ବାହାରେ ଶସ୍ତାରେ ବିକ୍ରି କରୁଥିବା ଲୁଡ଼ୁକୁ ମଧ୍ୟ ପୁଲିସ ଗିରଫ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କ ସହଯୋଗୀ ଫେରାର୍ ଅଛି।

 

ସମ୍ବନ୍ଧିତ ଖବର