ବାଲିପାଟଣା : ଭାଇ-ଭାଇ ଭିତରେ ଲାଗି ରହିଥିବା ସଂପତ୍ତି ବିବାଦକୁ କେନ୍ଦ୍ର କରି ବାଲିପାଟଣା ଅଞ୍ଚଳରେ ଆଜି ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ସାନ ଭାଇକୁ ବିଚ୍ ରାସ୍ତାରେ ଉଲଗ୍ନ କରି ମାଡ଼ ମାରିଛି ବଡ଼ ଭାଇ ଓ ତାଙ୍କ ପରିବାର। ବିଧା, ଗୋଇଠା ସାଙ୍ଗକୁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ଆକ୍ରମଣ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାରେ ପୁଲିସ୍ ୨ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଛନ୍ତି।
ଆକ୍ରମଣର ଶିକାର ହୋଇଛନ୍ତି ବନମାଳୀପୁର ପ୍ରଧାନପାଟଣା ଗ୍ରାମର ଶ୍ରୀଦାସ ଆଚାର୍ଯ୍ୟ (୬୩)। ତାଙ୍କ ଅଭିଯୋଗ ଅନୁଯାୟୀ, ବନମାଳୀପୁର ବଜାରସ୍ଥିତ ୟୁକୋ ବ୍ୟାଙ୍କ ସାମ୍ନାରେ ସେ ଘର କରିଥିଲେ। ୨୦୧୩ ମସିହାରେ ତାଙ୍କ ବଡ଼ଭାଇ ଲୋକନାଥଙ୍କ ପୁଅ ରାମଚନ୍ଦ୍ର ଦୋକାନ କରିବା ପାଇଁ ସେ ଜାଗା ନେଇଥିଲେ। କିନ୍ତୁ ପରେ ଏହି ଜାଗାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ରବିବାର ସକାଳ ପ୍ରାୟ ସାଢ଼େ ୭ଟାରେ ଶ୍ରୀଦାସ ସେ ଦୋକାନ ଘରେ ତାଲା ପକାଇ ଦେଇଥିଲେ। ବଡ଼ଭାଇ ଲୋକନାଥ, ତାଙ୍କ ପତ୍ନୀ ପ୍ରମିଳା ଏବଂ ପୁଅ ରାମଚନ୍ଦ୍ର, ରମେଶ, କୈଳାସ ଏବଂ ସୋମନାଥ ସେଠାକୁ ଆସି ଶ୍ରୀଦାସଙ୍କୁ ଗାଳିଗୁଲଜ କରିବା ସହ ସଂଘବଦ୍ଧ ଆକ୍ରମଣ କରିଥିଲେ। ଶ୍ରୀଦାସଙ୍କ ଅଭିଯୋଗ ଆଧାରରେ ବାଲିପାଟଣା ପୁଲିସ୍ ଅଭିଯୁକ୍ତ ରାମଚନ୍ଦ୍ର ଏବଂ ସୋମନାଥଙ୍କୁ ଗିରଫ କରିଛି ବୋଲି ଥାନା ଅଧିକାରୀ ଓମ୍ ପ୍ରକାଶ ମହାନ୍ତି କହିଛନ୍ତି।