ଭୁବନେଶ୍ବର: ଦାମୀ କାରରେ ହେଉଛି ଗଞ୍ଜେଇ ଚୋରା ଚାଲାଣ । ଆଜି ଏଭଳି ଏକ କାରବାରର ପର୍ଦ୍ଦାଫାସ କରିଛି କମିସନରେଟ୍ ପୁଲିସ । ଏହି ଗଞ୍ଜେଇ କନ୍ଧମାଳରୁ ବ୍ରହ୍ମପୁର ଦେଇ ଭୁବନେଶ୍ୱର ଚାଲାଣ ହେଉଥିଲା । ଭୁବନେଶ୍ୱର ବାଙ୍କୁଆଳ ପାଖରୁ ଗଞ୍ଜେଇ ସହିତ ଏହି ଦାମୀ ଗାଡିକୁ ଧରିଛି ପୁଲିସ । ଗାଡ଼ିରୁ ପ୍ରାୟ ୧୪ କିଲୋ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ କାରବାରରେ ୨ ଜଣ ଗିରଫ ହୋଇଛନ୍ତି ।
ଗଞ୍ଜେଇ ସହ ଗିରଫ ହୋଇଥିବା ଦୁଇ ଯୁବକ ହେଲେ ସତିଶ କୁମାର ପ୍ରଧାନ (୩୨) ଓ ସୁଶାନ୍ତ କୁମାର ସାହୁ (୩୨)। ସତିଶ ମୂଳତଃ କନ୍ଧମାଳ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଭୁବନେଶ୍ବରର ବ୍ରହ୍ମେଶ୍ବର ପାଟଣାରେ ରହୁଛନ୍ତି। ସେହିପରି ସୁଶାନ୍ତଙ୍କ ଗାଁ କେନ୍ଦୁଝର ଜିଲ୍ଲାରେ ହୋଇଥିବା ବେଳେ ସେ ଜଗନ୍ନାଥ ନଗରରେ ରହୁଥିବା ପୁଲିସ ସୂତ୍ରରୁ ପ୍ରକାଶ। ସହିଦ ନଗର ଥାନା ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ଗାଡ଼ି ସହ ଦୁଇ ଅଭିଯୁକ୍ତ ଧରାପଡ଼ିଥିଲେ।