କାନ୍ଥ ଭୁଶୁଡ଼ି ୨ ଶିଶୁ କନ୍ୟା ମୃତ, ବଡ଼ର ଜୁଇ ଲିଭିନି, ଚାଲିଗଲା ସାନ

ଭୁବନେଶ୍ବର : ବଡ଼ ଭଉଣୀର ଜୁଇ ଲିଭିନି। ମିଳିଲା ସାନ ଭଉଣୀର ମୃତ୍ୟୁ ଖବର। କାନ୍ଦବୋବାଳିରେ ଫାଟିପଡ଼ିଲା ଅଞ୍ଚଳ। କେଳଶୂନ୍ୟ ହୋଇଗଲା ମା’। ଏଭଳି ଦୁଃଖଦ ଘଟଣା ଘଟିଛି ୟୁନିଟ୍-୫ କେଶରୀନଗର ଅଞ୍ଚଳରେ। କାନ୍ଥ ଭୁଶୁଡ଼ି ଚାଲିଗଲା ଦୁଇ ନିଷ୍ପାପ ଶିଶୁକନ୍ୟାଙ୍କ ଜୀବନ। ମୃତ ଶିଶୁ ଦ୍ବୟ ହେଲେ ସୁଶାନ୍ତ କାଣ୍ଡିଙ୍କ ଝିଅ ତୁଳସୀ(୩) ଓ ଲଗ୍ନା(୨)। ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶିଶୁକନ୍ୟା ଦ୍ବୟଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସୂଚନା ମୁତାବକ, ସୁଶାନ୍ତ ଦୀର୍ଘଦିନ ହେବ ପରିବାର ସହିତ କେଶରୀନଗରରେ ରହୁଥିଲେ। ୫ ତାରିଖ ଅପରାହ୍‌ଣରେ ସୁଶାନ୍ତ, ପତ୍ନୀ ସୁନା, ସୁନାଙ୍କ ଭାଇ ମନୋଜ ବିଶ୍ବାଳ ଓ ଦୁଇ ଝିଅ ତୁଳସୀ ଓ ଲଗ୍ନା ଶୋଇଥିଲେ। କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ସମସ୍ତେ କାନ୍ଥ ତଳେ ଚାପି ହୋଇଯାଇଥିଲେ। କାନ୍ଥ ପଡ଼ିବା ଶବ୍ଦ ଶୁଣି ପାଖ ପଡ଼ୋଶୀ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ରକ୍ତାକ୍ତ ଅବସ୍ଥାରେ କାନ୍ଥ ତଳେ ଚାପି ହୋଇ ରହିଥିବା ସମସ୍ତଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲେ। ଅବସ୍ଥା ଗୁରୁତର ହେବାରୁ ତୁଳସୀ ଓ ଲଗ୍ନାଙ୍କୁ କଟକ ଶିଶୁ ଭବନ ପଠାଯାଇଥିଲା। ରାତି ପ୍ରାୟ ୧୦ଟାରେ ତୁଳସୀର ମୃତ୍ୟୁ ହୋଇଯାଇଥିଲା। ଗୁରୁବାର ଦିନ ପରିବାର ଲୋକ ଝିଅର ଶବକୁ ଆଣି ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ସେହିଦିନ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଲଗ୍ନାର ମୃତ୍ୟୁ ହୋଇଯାଇଥିଲା। ଦୁଇ ଝିଅଙ୍କୁ ହରାଇବା ପରେ ସୁନା ଏବେ କୋଳଶୂନ୍ୟ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା। ସେ ସୁକାନ୍ତ ଓ ସୁନାଙ୍କୁ ବୁଝାସୁଝା କରିବା ସହିତ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର