ଗାଡ଼ି ଚୋର ଗ୍ୟାଙ୍ଗ ଠାବ: ୨ବାଇକ୍ ଜବତ, ୩ ଅଟକ
ଛିନ୍ତାଇ ଅଭିଯୋଗରେ ତିନି ଗିରଫ, ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
ଚନ୍ଦ୍ରଶେଖରପୁର : ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଦୁଇଚକିଆ ଗାଡ଼ି ଚୋରି କରୁଥିବା ଏକ ଗ୍ୟାଙ୍ଗକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫ କରିଛି। ତିନି ଯୁବକଙ୍କଠାରୁ ଦୁଇଟି ଚୋରା ବାଇକ୍ ମଧ୍ୟ ଜବତ କରିଛି। ପୁଲିସ୍ ଅଟକ ଯୁବକଙ୍କୁ ଥାନାରେ ରଖି ଜେରା କରୁଥିବା ଜଣାଇଛି। ଘଟଣା ଅନୁଯାୟୀ ଚୋରା ଗାଡ଼ି ବିକ୍ରି କରିବା ପାଇଁ ଉକ୍ତ ତିନି ଯୁବକ ନୀଳାଦ୍ରିବିହାର ଅଞ୍ଚଳର ଏକ ବସ୍ତିରେ ପହଞ୍ଚି କିଛି ଲୋକଙ୍କ ସହ କଥାବାର୍ତ୍ତା କହୁଥିଲେ। ବସ୍ତିର ଜଣେ ଯୁବକ ପୁଲିସ୍କୁ ସୂଚନା ଦେବାରୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ କାବୁ କରିଥିଲା।
ଛିନ୍ତାଇ ଅଭିଯୋଗରେ ତିନି ଗିରଫ
ପୁରୁଣା ଭୁବନେଶ୍ୱର : ଏୟାରପୋର୍ଟ ଥାନା ଅଧୀନ କାରଗିଲ ରୋଡ଼୍ ନିକଟରେ ଛିନ୍ତାଇ କରିବା ଅଭିଯୋଗରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, କାରଗିଲ ବସ୍ତିର ପ୍ରକାଶ ନାୟକ(୨୬), କାହ୍ନା ନାୟକ(୨୬) ଓ ଶିବ ସାମନ୍ତରାୟ (୨୦)। ପୁଲିସ ସୂଚନା ଅନୁଯାୟୀ କାରଗିଲ ରୋଡ଼୍ ନିକଟରେ ଏହି ୩ଜଣ ସନ୍ତୋଷ ନାୟକ ନାମକ ଜଣେ ଯୁବକଙ୍କଠାରୁ ୩ହଜାର ୯ଶହ ଟଙ୍କା ଓ ମନି ପର୍ସ ଛଡ଼ାଇ ନେଇଥିଲେ। ଏନେଇ ସନ୍ତୋଷ ଥାନାରେ ଅଭିଯୋଗ କରିଥିଲେ।
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ଅଧୀନ ଏକ ବସ୍ତିରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଜଣକ ହେଲା ନାରାୟଣ ନାହାକ। ଗତକାଲି ରାତିରେ ନାରାୟଣ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସମୟରେ ସେ ଚିତ୍କାର କରି ଆଖପାଖ ଲୋକଙ୍କୁ ଡାକିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏନେଇ ମହିଳା ଓ ତାଙ୍କ ପରିବାରଲୋକ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଅଭିଯୁକ୍ତକୁ ଖୋଜାଖୋଜି କରି ଆଜି ଗିରଫ କରିଛି।