ଜଣେ ପ୍ରେମିକା ପାଇଁ ଦୁଇ ପ୍ରେମିକ ପିଟାପିଟି

‘ମୁଁ କାହା ପ୍ରେମିକା ଫ୍ରେମିକା ନୁହଁ’

ଚନ୍ଦ୍ରଶେଖରପୁର : ଜଣେ ଯୁବତୀ। କିନ୍ତୁ ଦୁଇ ଯୁବକ ତାଙ୍କୁ ନିଜ ପ୍ରେମିକା ବୋଲି ଦାବି କରି ରାସ୍ତା ଉପରେ ପାଟି କରୁଥିଲେ। କଥା ଖାଲି ଦାବିରେ ଅଟକି ନଥିଲା, ଯୁବତୀଙ୍କ ସମ୍ମୁଖରେ ଦୁଇ ଯୁବକ ହାତାହାତି ହୋଇ ଖଣ୍ଡିଆଖାବରା ହୋଇପଡ଼ିଥିଲେ। ଲୋକଙ୍କଠାରୁ ଖବର ପାଇ ପୁଲିସ ଠିକ୍‌ ସମୟ‌ରେ ପହଞ୍ଚିନଥିଲେ, ହୁଏତ ବଡ଼ଧରଣର ଅଘଟଣ ଘଟିବା ଆଶଙ୍କା ଥିଲା। ତେବେ ମଜାର କଥା ଥିଲା, ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମତ ନେବା ବେଳେ ‘ମୁଁ କାହା ପ୍ରେମିକା ଫ୍ରେମିକା ନୁହଁ’ କହି ସ୍କୁଟିରେ ପଳାଇଥିଲେ। ପୁଲିସ ଆହତ ଯୁବକଦ୍ବୟଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇ ଚିକିତ୍ସା କରାଇ ଛାଡ଼ିଥିଲା। ଆଜି ସକାଳୁ ସକାଳୁ ଇନ୍‌ଫୋସିଟି ଗଲ୍‌ଫ ପଡ଼ିଆ ନିକଟରେ ଘଟିଥିବା ଏହି ନାଟକ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା।

ସୂଚନାନୁସାରେ ଦୁଇ ଯୁବକ ସ୍ଥାନୀୟ ଅଞ୍ଚଳର ଏକ ଇଂଜିନିୟରିଂ କଲେଜର ଛାତ୍ର। ସେମାନେ ଶୈଳଶ୍ରୀବିହାର ଅଞ୍ଚଳର ଏହି ଯୁବତୀଙ୍କୁ ପ୍ରେମ କରୁଥିଲେ। ଧୂର୍ତ୍ତ ଯୁବତୀଜଣକ ସେମାନଙ୍କୁ ଅଲଗା ଅଲଗା ସମୟ ଦେଇ ମଉଜ କରୁଥିଲା। ଏମିତିକି ସେ ସୋସିଆଲ୍‌ ମିଡିଆରେ ଦୁଇଟି ପୃଥକ୍‌ ପୃଥକ୍‌ ଆଇଡି ଖୋଲି ସେମାନଙ୍କୁ ଭକୁଆ ବନାଉଥିଲା। ତେବେ ଆଜି ସକାଳୁ ଯୁବତୀର ଚାଲ୍‌ ଧରାପଡ଼ି ଯାଇଥିଲା। ସେ ଜଣେ ଯୁବକ ସହ ଗଲ୍‌ଫ ପଡ଼ିଆ ନିକଟରେ ଗପସପ କରୁଥିବା ବେଳେ ଅନ୍ୟ ଯୁବକଟି ଦେଖି ପକାଇଥିଲା। କୌଣସି କାମ‌ରେ ସେ ସେହି ରାସ୍ତା ଦେଇ ଯାଉଥିବା ବେଳେ ଘଟଣା ତା’ ନଜରରେ ପଡ଼ିଥିଲା। ଏଥିରୁ ଆରମ୍ଭ ହୋଇଥିଲା ଦୁଇ ପ୍ରେମିକଙ୍କ ପିଟାପିଟି।

ସମ୍ବନ୍ଧିତ ଖବର