ଜମି ବିକିବା ବାହାନାରେ ୨୦ଲକ୍ଷ ଚଳୁ, ୨ ଧୂର୍ତ୍ତ ଦଲାଲ୍‌ ଗିରଫ

ଭୁବନେଶ୍ବର: ରାଜଧାନୀରେ ଜମି କିଣାଇ ଦେବା ବାହାନାରେ ଜଣେ ବ୍ୟକ୍ତିଙ୍କ ୨୦ ଲକ୍ଷ ଟଙ୍କା ଚଳୁ କରି ଦେଇଥିବା ୨ ଧୂର୍ତ୍ତ ଦଲାଲ୍‌ଙ୍କୁ ଭରତପୁର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ଯାଁଳା ଫାଣ୍ଡି ଅଧୀନ ମଠସାହିର ରଂଜିତ ପରିଡ଼ା ଓ ପାଟଣାସାହିର ରାହାସ ବିହାରୀ ବାରିକ ଓରଫ କାହ୍ନା। ଜାଲ ଜମି ପଟ୍ଟା ଦେଖାଇ ଖୋର୍ଦ୍ଧାର ଧୀରେନ୍ଦ୍ରନାଥ ପରିଡ଼ାଙ୍କୁ ଚୁନ ଲଗାଇଥିବା ଅଭିଯୋଗରେ ପୁଲିସ ଏହି ଦୁଇ ଠକଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ଦୁଇ ଅଭିଯୁକ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନାନୁସାରେ ଜମି ଦଲାଲ୍‌ ଭାବେ ଜଣାଶୁଣା ରଂଜିତ ଓ କାହ୍ନା ଗତ ବର୍ଷ ଅକ୍ଟୋବରରେ ଖୋର୍ଦ୍ଧା ଟାଉନ୍‌ର ଧୀରେନ୍ଦ୍ରଙ୍କୁ ଭରତପୁର ଫାଣ୍ଡି ଅନ୍ତର୍ଗତ ନୂଆଗାଁ ମୌଜାରେ ୧ ଏକର ଜମି କିଣାଇ ଦେବ ବୋଲି କହିଥିଲେ। ଜମି ଦେଖିବା ପରେ ଧୀରେନ୍ଦ୍ରଙ୍କର ପସନ୍ଦ ହୋଇଥିଲା ଓ ସେ କିଣିବାକୁ ମନ କରିଥିଲେ। ମାଲିକ ଜଣେ ମହିଳା ବୋଲି ଦୁଇ ଧୂର୍ତ୍ତ କହିଥିଲେ ଓ ସେହି ଅନୁସାରେ କିଣାବିକା ନେଇ ଉକ୍ତ ମହିଳାଙ୍କ ନାଁ’ରେ ଡିଲ୍ କରାଇଥିଲେ। କିନ୍ତୁ ଜମିର ପଟ୍ଟା ଓ ମାଲିକାଣି ସବୁ ଥିଲା ନକଲି। ଧୀରେନ୍ଦ୍ର ଜମିର ମାଲିକାଣିଙ୍କୁ ସାକ୍ଷାତ କରିବାକୁ ଇଛା କରିଥିଲେ ବି ଧୂର୍ତ୍ତ ଦ୍ବୟ ବିଭିନ୍ନ ବାହାନା କରି ତାହା କରାଇ ଦେଇନଥିଲେ। ବରଂ ଫୁସୁଲାଇ ତାଙ୍କଠାରୁ ଦୁଇ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ନେଇ ଯାଇଥିଲେ। ୨୦ ଲକ୍ଷ ଟଙ୍କା ହାତେଇବା ପରେ ଦୁଇ ଧୂର୍ତ୍ତ ଆଉ ଧୀରେନ୍ଦ୍ରଙ୍କୁ ଧରାଛୁଆଁ ଦେଇନଥିଲେ। ଏନେଇ ଭରତପୁର ଥାନାରେ ଅଭିଯୋଗ ହେବା ପରେ ଉଭୟ କିଛି ମାସ ମଧ୍ୟରେ ଟଙ୍କା ଫେରସ୍ତ ଦେବେ ବୋଲି ଲିଖିତ ଚୁକ୍ତି କରି ଛାଡ୍‌ ପାଇଥିଲେ। କିନ୍ତୁ ଚୁକ୍ତି ଖିଲାପ କରିବାରୁ ଧୀରେନ୍ଦ୍ର ପୁଣି ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର