ଭୁବନେଶ୍ବର : ଲଜ୍ରେ ପଶି ଦୁଇ ଭାଇ ଭଙ୍ଗାରୁଜା କଲେ। କର୍ମଚାରୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କଲେ। ଏହି ମାମଲାରେ କ୍ୟାପିଟାଲ ଥାନା ପୁଲିସ ଫାଳିକିଆ ବସ୍ତିର ସନିଆ କୁଞ୍ଜ(୨୪) ଓ ସୀମାଞ୍ଚଳ କୁଞ୍ଜ(୨୬) ଦୁଇ ଭାଇଙ୍କୁ ଗିରଫ କରିଛି।
ମଙ୍ଗଳବାର ରାତି ପାଖାପାଖି ସାଢ଼େ ୯ଟା ସମୟରେ ସନିଆ ଓ ସୀମାଞ୍ଚଳ ଅଶୋକନଗରସ୍ଥିତ ନିରୂପମା ଲଜ୍କୁ ଯାଇ ଜଣେ ଗ୍ରାହକଙ୍କୁ ଭେଟିଥିଲେ। ହଠାତ୍ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଦୁଇ ଭାଇ ରାଗିଯାଇ ତାଙ୍କୁ ମାଡ଼ ମାରିଥିଲେ। ହୋଟେଲ୍ କର୍ମଚାରୀ ମଧୁସୂଦନ ସ୍ବାଇଁ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ହୋଟେଲ୍ରେ ଆତଙ୍କ ଖେଳାଇଥିଲେ। ତାଙ୍କୁ କାଚ ବୋତଲରେ ଆକ୍ରମଣ କରିବା ସହ ହେଟେଲ୍ରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଲଜର ସମ୍ମୁଖ କାଚ ବାଡ଼େଇ ଭାଙ୍ଗିଦେବା ସହ ଭିତରେ ଥିବା ଟେବୁଲର କାଚ ଭାଙ୍ଗି ଦେଇଥିଲେ। ସେହିଭଳି ବାହାରେ ତାଙ୍କ ବାଇକ୍କୁ ମଧ୍ୟ ଭାଙ୍ଗି ଦେଇଥିଲେ। କ୍ୟାପିଟାଲ ଥାନା ପୁଲିସ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ୍ ପଠାଇବା ସହ ଦୁଇ ଭାଇଙ୍କୁ କାବୁ କରିଥିଲା। ଏନେଇ ମଧୁସୂଦନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆଜି ଦୁଇ ଭାଇଙ୍କୁ କୋର୍ଟ ଚାଲାଣ କରିଛି। ତେବେ ପୂର୍ବରୁ ମଧ୍ୟ ଦୁଇ ଭାଇଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ଥିବା ପୁଲିସ କହିଛି।