ଘଣ୍ଟାକରେ ୫ ଲୁଟ୍, ଜୟ-ବିଜୟ ଗିରଫ

ବାଇକ୍‌, ୫ ମୋବାଇଲ୍ ଜବତ

ଭୁବନେଶ୍ବର : ଇନ୍‌ଫୋସିଟିରୁ ଆରମ୍ଭ ଖଣ୍ଡଗିରିରେ ଶେଷ। ମାତ୍ର ଘଣ୍ଟାକ ମଧ୍ୟରେ ଭୁବନେଶ୍ବରର ୫ ଥାନା ଅଞ୍ଚଳରୁ ସିରିଜ୍ ଲୁଟ୍‌ କରି ଆତଙ୍କ ଖେଳାଇଥିବା ୨ ଭାଇଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ସେମାନେ ହେଲେ, ନୟାଗଡ଼ ମୁଣ୍ଡିଆ ସାହିର ବିଜୟ କୁମାର ପ୍ରଧାନ ଓରଫ ବିଜି ଓ ଜୟକୃଷ୍ଣ ପ୍ରଧାନ ଓରଫ ଜୟ। ପୁଲିସ ସେମାନଙ୍କଠାରୁ ୫ଟି ମୋବାଇଲ୍ ଓ ଗୋଟିଏ ବାଇକ୍ ଜବତ କରିଛି।

ଗତ ଶୁକ୍ରବାର ସନ୍ଧ୍ୟା ୭ଟାରୁ ସାଢ଼େ ୮ଟା ମଧ୍ୟରେ ଏହି ଦୁଇ ଭାଇ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ୫ଟି ଲୁଟ୍ କରିଥିଲେ। ବରମୁଣ୍ଡା ବିଜୁପଟ୍ଟନାୟକ ଖେଳ ପଡ଼ିଆରେ ମଦ ପିଇବା ପରେ ଉଭୟ ଇନ୍‌ଫୋସିଟି ଯାଇଥିଲେ। ସେଠାରେ ଜଣେ ଯୁବକଙ୍କ ସ୍ମାର୍ଟଫୋନ୍ ଝାମ୍ପିଥିଲେ। ଫେରିବା ବେଳେ ଚନ୍ଦ୍ରଶେଖରପୁରରେ ଜଣେ ମହିଳାଙ୍କଠାରୁ ଫୋନ୍ ଛଡ଼ାଇଥିଲେ। ପରେ ନୂଆପଲ୍ଲୀ ଏନ୍‌-୪ରୁ ଜଣଙ୍କ ମୋବାଇଲ୍ ଓ ବଡ଼ଗଡ଼ ଥାନା ଅଞ୍ଚଳରେ ଛିନ୍‌ତାଇ କରିଥିଲେ। ସେଠାରୁ ୧୬ନମ୍ବର ଜାତୀୟ ରାଜପଥରେ ଆସି ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ଆଡ଼େ ଯାଇଥିଲେ। ମହିମା ମିଶ୍ର ଗଳିରେ କଲ୍ୟାଣୀ ମିଶ୍ର ଏକୁଟିଆ ଚାଲିଚାଲି ଯାଉଥିବା ଦେଖି ତାଙ୍କ ମୋବାଇଲ୍‌ ଝାମ୍ପିଥିଲେ। ମାତ୍ର ଦେଢ଼ ଘଣ୍ଟା ମଧ୍ୟରେ ରାଜଧାନୀର ପ୍ରମୁଖ ଥାନା ଅଞ୍ଚଳରୁ ୫ଟି ଲୁଟ୍ ଅଭିଯୋଗ ପାଇବା ପରେ ସ୍ପେସାଲ୍ ସ୍କ୍ବାଡ୍ ଓ ବିଭିନ୍ନ ଥାନାର ପିଓପିଡି ଟିମ୍ ତନାଘନା ଆରମ୍ଭ କରିଥିଲା। ସିସି କ୍ୟାମେରା ଯାଞ୍ଚ କରିବାରୁ ଏହା ଜୟ-ବିଜୟଙ୍କ କାରନାମା ବୋଲି ପୁଲିସ ଜାଣିବାକୁ ପାଇଥିଲା। ଆଜି କମିସନରେଟ୍‌ ପୁଲିସର ଏକ ଟିମ୍‌ ନୟାଗଡ଼ରେ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଛି।

ଓଏଲ୍‌ଏକ୍ସରେ ବିକ୍ରି ହେଉଥିଲା ଚୋରି ମୋବାଇଲ୍
ଜୟ ଓ ବିଜୟ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି। ଉଭୟ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିବାରୁ ଘରଲୋକ ଦୁହିଁଙ୍କୁ ବିଦା କରିଦେଇଥିଲେ। ତେଣୁ ନିଶା ଖାଇବା ପାଇଁ ଦୁହେଁ ଲୁଟ୍‌ କରିଥିବା ପୁଲିସ୍‌ ଆଗରେ ସ୍ବୀକାର କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜଣେ ବି.ଫାର୍ମା ପଢ଼ୁଆ ଛାତ୍ର ଏହି ୨ଭାଇଙ୍କଠାରୁ ଖୁବ୍ କମ୍‌ ଟଙ୍କାରେ ମୋବାଇଲ୍ କିଣୁଥିଲା। ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ ଜରିଆରେ ଓଏଲ୍‌ଏକ୍ସରେ ଆକାଉଣ୍ଟ ଖୋଲିଥିଲା। ସେଥିରେ ମୋବାଇଲ୍‌କୁ ବିକ୍ରି ପାଇଁ ବିଜ୍ଞାପନ ଦେଉଥିଲା। ପୁଲିସ ପାଖରୁ ବର୍ତ୍ତିବା ପାଇଁ ସବୁ ମୋବାଇଲ୍ ରାଜ୍ୟ ବାହାରର ଗ୍ରାହକଙ୍କୁ ବିକ୍ରି କରୁଥିଲା। ସେଥିପାଇଁ ସେ ସହଜରେ ଧରାପଡ଼ୁ ନଥିଲା। ପୁଲିସ ଉକ୍ତ ବି. ଫାର୍ମା ପଢ଼ୁଆ ଛାତ୍ରକୁ ଚିହ୍ନଟ କରିଛି। ସେ ଫେରାର୍‌ ଅଛି, ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର