ଛୁରି ଭୁସି ମୋବାଇଲ୍ ‌ଲୁଟ୍ ଘଟଣା: ୨ଭାଇ ଗିରଫ

ଚନ୍ଦ୍ରଶେଖରପୁର : ଜଣେ ମହିଳାଙ୍କୁ ଛୁରି ଭୁଶି ତାଙ୍କଠାରୁ ଏକ ଦାମୀ ମୋବାଇଲ୍ ଫୋନ୍‌ ଲୁଟ୍‌ କରିବା ଘଟଣା‌‌ରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଆଜି ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ, ତାପସ କୁମାର ସାହୁ ଓ ପ୍ରଦୀପ କୁମାର ସାହୁ। ଏମାନେ ସମ୍ପର୍କରେ ଦୁଇ ଭାଇ। ଗତ ସେପ୍ଟେମ୍ବର ୮ ତାରିଖରେ ବାସନ୍ତୀ ନାୟକ ଅରବିନ୍ଦନଗର ବସ୍ତିରୁ ଡମଣା ହାଟକୁ ଯାଉଥିବା ବେଳେ ଦୁଇ ଭାଇ ଏକ ଧାରୁଆ ଛୁରି ନେଇ ତାଙ୍କ ପିଛା କରିଥିଲେ। ସୁଯୋଗ ଦେଖି ନିଛାଟିଆ ରାସ୍ତାରେ ସେମାନେ ବାସନ୍ତୀଙ୍କ ହାତରୁ ମୋବାଇଲ୍‌ ଝାମ୍ପି ନେଇଥି‌ଲେ। ପ୍ରତିବାଦ କରିବାରୁ ପ୍ରଦୀପ ଛୁରିରେ ବାସନ୍ତୀଙ୍କୁ ଆକ୍ରମଣ କରିଥିଲା। ଏଥିରେ ମହିଳାଙ୍କ ଡାହାଣ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏ ସଂପର୍କରେ ମହିଳାଙ୍କ ପରିବାରଲୋକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବାରୁ ପୁଲିସ୍ ସ୍ଥାନୀୟ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଲୁଟେରାମାନଙ୍କୁ ଚିହ୍ନଟ କରିବା ସହ ଲୁଟ୍‌ ମୋବାଇଲ୍‌କୁ ଟ୍ରାକ୍‌ କରିଥିଲା। ଗତକାଲି ରାତିରେ ଡମଣା ଅଞ୍ଚଳରୁ ‌ଲୁଟେରା ଦୁଇଭାଇଙ୍କ ସନ୍ଧାନ ପାଇ ଆଜି ଭୋର୍‌ରୁ ସେମାନଙ୍କୁ କାବୁ କରିଥିଲା। ଆଜି ଦୁଇ ଭାଇଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର