ଜମିବାଡ଼ି ବିବାଦକୁ କେନ୍ଦ୍ରକରି ୨ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ, ଦେଢ଼ଶୁର ମାଡରେ ଭାଇ ବୋହୂ ଆହତ

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ମହୁଖଣ୍ଡା ଗ୍ରାମରେ ଆଜି ଜମିବାଡ଼ି ବିବାଦକୁ କେନ୍ଦ୍ରକରି ୨ ଭାଇଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ଏହି ଗଣ୍ଡଗୋଳରେ ଦେଢ଼ଶୁର ଆକ୍ରମଣରେ ଭାଇବୋହୁ ଲହୁଲୁହାଣ ହୋଇଛି | ସେହି ଗ୍ରାମର ବସନ୍ତ ସାହୁଙ୍କ ପୁଅ ବାବୁ ସୁକାନ୍ତ ସାହୁଙ୍କ ବୋହୁ ମିତାଲୀଙ୍କୁ ଆକ୍ରମଣ କରିଛି | ଗୁରୁତର ଅବସ୍ଥାରେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |
ଉଭୟ ପକ୍ଷରୁ ସ୍ଥାନୀୟ ଥାନାରେ ୨ଟି ଅଭିଯୋଗ ହୋଇଛି |

ପ୍ରାପ୍ତ ସୂଚନା ଅନୁସାରେ , ମହୁଖଣ୍ଡା ଗ୍ରାମର ବସନ୍ତ ଏବଂ ସୁକାନ୍ତ ୨ ଭାଇ ଅଟନ୍ତି | ଘରଡ଼ିହ ଭାଗ ବଣ୍ଟାକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା | ଆଜି ବିବାଦୀୟ ଜମିରେ ବସନ୍ତ ଘର କରିବା ପାଇଁ ନିଅଁ ଖୋଳିଥିଲେ | ସୁକାନ୍ତଙ୍କ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ | ଫଳରେ ୨ ଭାଇଙ୍କ ପରିବାର ମଧ୍ୟରେ ଝଗଡା ଲାଗିଥିଲା | ଝଗଡା ସମୟରେ ମିତାଲୀ ହାତରେ କଟୁରୀ ଧରିଥିଲେ | ତାଙ୍କ ହାତରୁ ବାବୁ କଟୁରୀ ଛଡାଇ ସେହି କଟୁରୀରେ ତାଙ୍କୁ ଆକ୍ରମଣ କରିଥିଲା | ଆହତ ମିତାଲୀଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା | ଅବସ୍ଥାରେ ସୁଧାର ନ ଆସିବାରୁ ଅଧିକ ଚିକିତ୍ସା ନିମନ୍ତେ ୧0୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି | ଥାନାରେ ଉଭୟ ପକ୍ଷରୁ ୨ ଟି ଅଭିଯୋଗ ହୋଇଛି | ବାଲିପାଟଣା ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ଥାନା ସୁତ୍ରରୁ ସୂଚନା ମିଳିଛି |

ସମ୍ବନ୍ଧିତ ଖବର