ଭୁବନେଶ୍ବର: ଚିନ୍ତାମଣୀଶ୍ବର ନିକଟ ରାସ୍ତା କଡ଼ରେ ଜଳିଗଲା ୨ କାର୍‌

ଭୁବନେଶ୍ୱର : ଆଜି ଅପରାହ୍ନରେ ଲକ୍ଷ୍ମୀସାଗର ଥାନା ଚିନ୍ତାମଣୀଶ୍ବର ନିକଟ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୨ଟି କାର୍‌ରେ ଅଚାନକ ନିଆଁ ଲାଗି ଯିବାରୁ ତ‌ାହା ସମ୍ପୂର୍ଣ୍ଣ ଜଳି ଯାଇଛି। ତେ‌ବେ ସେଠାରେ ଥିବା ଅନ୍ୟଏକ କାର୍‌ର କିଛି ଅଂଶ ଜଳି ଯାଇଛି। ତିନିଟି କାର୍‌ ମଧ୍ୟ‌ରୁ ଗୋଟିଏ ବ୍ୟବହାର ହେଉ ନ ଥିବା ବେଳେ ଦୁଇଟି ବ୍ୟବହାର ହେଉଥିବା ଜଣାପଡ଼ିଛି। କଳ୍ପନା ଛକରେ ଥିବା ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କେଉଁ କାରଣରୁ କାର୍‌ରେ ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। ଅଧାଜଳା ସିଗାରେଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।

ସୂଚନା ମୁ୍ତାବକ, ଚିନ୍ତାମଣୀଶ୍ବର ତୃତୀୟ ଲେନ୍‌ରେ ଗାଡ଼ିଗୁଡ଼ିକ ରଖାଯାଇଥିଲା। ପ୍ରଥମେ ଚିନ୍ତାମଣୀଶ୍ବର ଅଞ୍ଚଳର ରାଜେଶ କୁମାର ଦାସଙ୍କର କାର୍‌(ଓଡି୩୩ଜି-୪୫୨୫)ରେ ନିଆଁ ଲାଗିଥିଲା। ନିଆଁ ଦେଖି ସ୍ଥାନୀୟ ବାସିନ୍ଦାଙ୍କ ସମେତ କେତେକ ବ୍ୟବସାୟୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ହେଲେ ନିଆଁ ଲିଭିବା ପରିବର୍ତ୍ତେ ବ୍ୟାପିଥିଲା ଓ ଜଳି ଯାଇଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ଅଗ୍ନିଶମ ସେବା ସଂସ୍ଥାକୁ ଖବର ଦେଇଥିଲେ। ସହକାରୀ ଅଗ୍ନିଶମ ଅଧିକାରୀ ପ୍ରସନ୍ନଜିତ ବେହେରାଙ୍କ ନେତୃତ୍ବରେ ନିଆଁ ଲିଭା ଦଳ ପହଞ୍ଚିଥିଲା। ହେଲେ ସେତେବେଳକୁ ପାଖରେ ଥିବା ରତିକାନ୍ତ କାନୁନଗୋଙ୍କର ଗାଡ଼ି (ଓଆର୦୫ଡିୱାଇ-୯୪୬୭)ଟି ବି ଜଳି ଯାଇଥିଲା। ଏହା ନିକଟରେ ଥିବା ଅଶୋକ କୁମାର ମହାପାତ୍ରଙ୍କର ଏକ କାର୍‌ (ଓଆର୦୨ଡିୱାଇ-୧୫୦୪) ନିଆଁ ଧରି ଆସୁଥିଲା। ଏହି ଗାଡ଼ିଟି ଜଳିବା ପୂର୍ବରୁ ଲିଭା ଯାଇପାରିଥିଲା।

ସମ୍ବନ୍ଧିତ ଖବର