ରାଜଧାନୀରୁ ଦୁଇ ଶିଶୁ ନିଖୋଜ ଘଟଣା : ମୟୂରଭଞ୍ଜରୁ ଖାଲି ହାତରେ ଫେରିଲା ପୁଲିସ ଟିମ୍‌, ଗଣମାଧ୍ୟମର ସହଯୋଗ ଲୋଡ଼ିଲା ପୁଲିସ

ଭୁବନେଶ୍ୱର : ଇନ୍‌ଫୋସିଟି ଥାନା ଅଧୀନ ପଟିଆ ଚିରଗାଲଟୋଲା ବସ୍ତିରୁ ଶେଷ ରଜ ଦିନଠାରୁ ଦୁଇ ଶିଶୁ ନିଖୋଜ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ। ନିଜେ ଏହି ଘଟଣା ଉପରେ ନଜର ରଖିବା ସହ ଡିସିପି ଅନୁପ ସାହୁଙ୍କୁ ପ୍ରତ୍ୟକ୍ଷ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଡିସିପି ଶ୍ରୀ ସାହୁ ଏକ ଟିମ୍‌ ଗଠନ କରି ନିଖୋଜ ଦୁଇ ଶିଶୁଙ୍କୁ ଖୋଜାଖୋଜି କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଦୁଇ ଶିଶୁଙ୍କ ମୟୂରଭଞ୍ଜ ଘରକୁ ଯାଇ ପୁଲିସ ଖୋଜାଖୋଜି କରିଛି। କିନ୍ତୁ ସେଠାରେ ସେମାନଙ୍କ ପତ୍ତା ମିଳିନାହିଁ। ଶେଷରେ ଖାଲି ହାତରେ ପୁଲିସ ଭୁବନେଶ୍ୱର ଫେରି ଆସିଛି। ପୁଲିସ ଆଜି ଗଣମାଧ୍ୟମର ସହଯୋଗ ଲୋଡ଼ି ନିଖୋଜ ବିଜ୍ଞାପନ ପ୍ରକାଶ କରାଇଛି। ସୂଚନା ଦିଆଯାଇଛି, କେହି ସହୃଦୟର ବ୍ୟକ୍ତି ସୂଚନା ଦେଲେ ୨୫ ଶହ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଡିସିପି ଭୁବନେଶ୍ୱରଙ୍କ କାର୍ଯ୍ୟାଳୟ ଫୋନ୍‌ ନମ୍ବର, ଇନ୍‌ଫୋସିଟି ଥାନା ଲ୍ୟାଣ୍ଡଲାଇନ୍‌ ନମ୍ବର କିମ୍ବା ଇନ୍‌ଫୋସିଟି ଥାନାଧିକାରୀଙ୍କ ଫୋନ୍‌ ନମ୍ବରରେ ସୂଚନା ଦେବାକୁ ପୁଲିସ ପକ୍ଷରୁ କୁହାଯାଇଛି।

ସେହିପରି ପୁଲିସ ମଧ୍ୟ ବସ୍ତିକୁ ଲାଗି କରିଥିବା ବିଭିନ୍ନ ଛକର ସିସି କ୍ୟାମେରା ଯାଞ୍ଚ କରିଛି। ପଟିଆ ପ୍ରଶାନ୍ତ ବିହାରରେ ଲାଗିଥିବା ଏକ ସିସି କ୍ୟାମେରାରେ ସ୍ପଷ୍ଟ ଭାବେ ଦେଖାଯାଇଛି କି ଦୁହେଁ ହାତ ଧରା ଧରି ହୋଇ ଯାଉଛନ୍ତି। ତେଣୁ ପୁଲିସ ଟିକେ ଆଶ୍ୱସ୍ତ ହୋଇଛି କି ତାଙ୍କୁ କେହି ଅପହରଣ କରିନାହିଁ ବୋଲି। ଦୁଇ ନିଖୋଜ ଶିଶୁଙ୍କ ସମ୍ପର୍କୀୟମାନେ ସାଲିଆସାହିରେ ରହନ୍ତି। ତେଣୁ ପୁଲିସ ସେଠାକୁ ଯାଇ ପଚରାଉଚରା ମଧ୍ୟ କରି ଆସିଲାଣି। ହେଲେ କେହି ଦୁଇ ଶିଶୁଙ୍କ ସମ୍ପର୍କରେ କୌଣସି ସୂଚନା ଦେଇ ପାରୁନାହାନ୍ତି। ପୁଲିସ ମଧ୍ୟ ଦୁଇ ନିଖୋଜ ଶିଶୁଙ୍କ ଫଟୋ ଓ ତଥ୍ୟ ରାଜ୍ୟର ଅନ୍ୟ ଥାନାକୁ ପଠାଇଛି।

ଅନ୍ୟପକ୍ଷରେ ପୁଲିସ ପକ୍ଷରୁ କୁହାଯାଇଛି ନିଖୋଜ ହୋଇଥିବା ନାବଳକ ରାଜା ବିଭିନ୍ନ ସମୟରେ ସ୍କୁଲ ହଷ୍ଟେଲରୁ ଲୁଚି ପଳାଇ ଆସିଛି। ତେଣୁ ଏଥର ମଧ୍ୟ ସେ କେଉଁଆଡ଼େ ପଳାଇଥିବ। ରାଜାର ଘର ପାଖରେ ଦେବଯାନୀର ଘର। ତେଣୁ ଦୁହେଁ ଘଟଣା ଦିନ ଖେଳି ସାରିବା ପରେ କେଉଁଆଡ଼େ ଚାଲି ଯାଇଥିବେ। ତେବେ ପୁଲିସର ଏଭଳି କଥାକୁ ନେଇ ଚିରଗାଲଟୋଲା ବସ୍ତିବାସିନ୍ଦା ଓ ନିଖୋଜ ଦୁଇ ଶିଶୁଙ୍କ ପରିବାର ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିଛି ଦିନ ତଳେ ସାରା ରାଜ୍ୟରେ ଛୁଆ ଚୋରି ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଥିଲା ବୋଲି କୁହାଯାଉଥିଲା, ତାହା ସତ ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଦୁଇ ଶିଶୁଙ୍କୁ ନ ପାଇ ସେମାନଙ୍କ ଘର ଲୋକ ଏବେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଘରେ କାନ୍ଦବୋବାଳ ପରିସ୍ଥିତି। ସପ୍ତାହେ ହେବ ଘରେ ଚୁଲି ବି ଜଳୁନି। ଘର ଲୋକ ଭୁବନେଶ୍ୱର ସମତେ ଆଖାପାଖ ଅଞ୍ଚଳ ଖୋଜି ଖୋଜି ନୟାନ୍ତ ହୋଇ ଗଲେଣି।

ପ୍ରକାଶଥାଉକି, ଚିରଗାଲଟୋଲା ବସ୍ତିରୁ ଶେଷ ରଜ ଦିନଠାରୁ ରାଜା ସୋରେନ୍‌(୧୦) ଓ ଦେବଜାନୀ ହେମ୍ବ୍ରମ(୬) ନାମକ ଦୁଇ ଜଣ ପିଲା ନିଖୋଜ ଅଛନ୍ତି। ଏ ନେଇ ଇନ୍‌ଫୋସିଟି ଥାନା ପୁଲିସ ଏକ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର