ଭୁବନେଶ୍ବର: ଉଦୟଗିରି ବସ୍ଷ୍ଟାଣ୍ଡ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ଦୁଇ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଖଣ୍ଡଗିରି ଥାନା ପୁଲିସ୍ ଗତକାଲି ସଂଧ୍ୟାରେ ଗିରଫ କରିଛି। ସେମାନେ ହେଲେ, ଭରତପୁର ହନୁମାନ ମନ୍ଦିର କଡ଼ରେ ରହୁଥିବା ଖୋର୍ଦ୍ଧା ସାରୁଅ ଗ୍ରାମର ଦୁଃଖୀଶ୍ୟାମ ଗୋଛି ଓ କେଶୁରା ବାଲିଘାଟରେ ରହୁଥିବା ଖୋର୍ଦ୍ଧା ଟାଙ୍ଗୀ ଥାନା କୁସୁମୀ ସାଗର ବଳିୟାରସିଂହ। ଉଭୟଙ୍କଠାରୁ ପୁଲିସ୍ ଗୋଟିଏ ଦେଶୀ ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି, ଗୋଟିଏ ଛୁରି ଓ ଗୋଟିଏ ବାଇକ୍ ଜବତ କରିଛି। ଆଜି ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଉଭୟଙ୍କ ନାମର ଖୋର୍ଦ୍ଧା ଓ ଭୁବନେଶ୍ବରର ବିଭିନ୍ନ ଥାନାରେ ଡକାୟତି, ଛିନ୍ତାଇ, ଲୁଟ୍, ହତ୍ୟା ଉଦ୍ୟମ ଆଦି ସଂଗିନ୍ ମାମଲା ରହିଥିବା ପୁଲିସ୍ କହିଛି। ଅପରପକ୍ଷେ ପୁଲିସ୍ର ଚଢ଼ଉ ବେଳେ ଘଟଣାସ୍ଥଳରୁ ଅନ୍ୟ ୩ଜଣ ଫେରାର୍ ହୋଇଯାଇଥିଲେ। ସେମାନଙ୍କୁ ଧରିବା ଲାଗି ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାଯାଇଛି।
ପୁଲିସ୍ ସୂଚନାନୁଯାୟୀ, ଉଦୟଗିରି ପାହାଡ଼ ନିକଟ ନୂଆ ବସ୍ଷ୍ଟାଣ୍ଡ ଭିତରେ କିଛି ଅସାମାଜିକ ଯୁବକ ମାରଣାସ୍ତ୍ର ଧରି ବସିଥିବା ନେଇ ଗତ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଖଣ୍ଡଗିରି ଥାନାକୁ ସୂଚନା ମିଳିଥିଲା। ଏସ୍ଆଇ ଜି.ଡି. ପାଣିଗ୍ରାହୀ ସଦଳବଳ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ପୁଲିସକୁ ବନ୍ଧୁକ ଦେଖାଇ ପାଚେରି ଡେଇଁ ଖଣ୍ଡଗିରି ପାହାଡ଼ ଆଡ଼କୁ ୩ଜଣ ଚାଲି ଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ପୁଲିସ ମାଡ଼ି ବସିଥିଲା। ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଥିଲା। ଫେରାର୍ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସମ୍ପୃକ୍ତ ଅଞ୍ଚଳରେ ଚଢ଼ଉ ଜୋରଦାର କରାଯାଇଥିଲେ ମଧ୍ୟ ସେମାନେ ଧରାପଡ଼ି ନଥିଲେ। ପଚରାଉଚରା ବେଳେ ସେମାନେ ଖଣ୍ଡଗିରି ଅଞ୍ଚଳରେ ଲୁଟ୍ପାଟ୍ ପାଇଁ ଯୋଜନା କରିଥିବା କହିଥିଲେ।